ଗୋଟିଏ ପରିବାରର ୩ ଜଣଙ୍କ ଆତ୍ମହତ୍ୟା

ବିଷାଦ ନେଲା ୩ ଜୀବନ

ମୁମ୍ବାଇ: ମାନସିକ ବିଷାଦ ଏବେ ଭାରତୀୟଙ୍କ ପାଇଁ ଅତି ମାରାତ୍ମକ ସାବ୍ୟସ୍ତ ହୋଇଛି। ବିଷାଦ ଯୋଗୁଁ ଅନେକ ଆତ୍ମହତ୍ୟା ମାମଲା ଲୋକଲୋଚନକୁ ଆସୁଥିବା ବେଳେ ଆଜି ମୁମ୍ବାଇରେ ଆଉ ଏକ ହୃଦୟ ବିଦାରକ ଘଟଣା ଘଟିଛି। ଗୋଟିଏ ପରିବାରର ୩ ଜଣ ସଦସ୍ୟ ଏକସଂଗରେ ଆତ୍ମହତ୍ୟା କରିଛନ୍ତି। ସୂଚନାନୁଯାୟୀ ଦକ୍ଷିଣ ମୁମ୍ବାଇର ମାଚ୍ଛିମାର୍‌ ନଗର ଅଞ୍ଚଳରେ ବାପା ମା’ ଓ ପୁଅ ଆତ୍ମହତ୍ୟା କରିଛନ୍ତି। ତେବେ ପୁଲିସ ସୂତ୍ରରୁ ଜଣାଯାଇଛି ଯେ ଉକ୍ତ ଦମ୍ପତିଙ୍କ ଝିଅର ଗତ କିଛି ମାସ ପୂର୍ବେ ଅଚାନକ ମୃତ୍ୟୁ ହୋଇଯାଇଥିଲା। ସେବେଠାରୁ ପରିବାରର ସମସ୍ତ ସଦସ୍ୟ ଘୋର ମାନସିକ ଚାପରେ ରହୁଥିଲେ। ଏହି କାରଣ ପାଇଁ ସେମାନେ ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି କୁହାଯାଉଛି। ମୃତକମାନେ ହେଉଛନ୍ତି ପ୍ରବୀଣ ପଟେଲ୍‌ (୪୦), ପତ୍ନୀ ରୀନା (୩୫) ଏବଂ ପୁଅ ପ୍ରଭୁ (୧୧)। ଡେପୁଟି ପୁଲିସ କମିସନର ମନୋଜ କ୍‌ୁମାର ଶର୍ମାଙ୍କ କହିବା ଅନୁଯାୟୀ ଉକ୍ତ ୩ ଜଣ ସଦସ୍ୟ କେଉଁଦିନ ଆତ୍ମହତ୍ୟା କରିଛନ୍ତି ତାହା ଜଣାପଡ଼ିନି, କିନ୍ତୁ ପଡ଼ୋଶୀମାନେ ପ୍ରବୀଣଙ୍କ ଘରୁ ଦୁର୍ଗନ୍ଧ ଆସୁଥିବା ନେଇ ପୁଲିସରେ ଜଣାଇବାପରେ ପୁଲିସ ଉକ୍ତ ଘର କବାଟ ଭାଙ୍ଗି ଭିତରକୁ ପଶିଥିଲା ଏବଂ ୩ ଜଣଙ୍କ ଝୁଲନ୍ତା ଶବ ଉଦ୍ଧାର କରିଥିଲା।

ସମ୍ବନ୍ଧିତ ଖବର