ଟୋକିଓ: ଗୁରୁବାର ଦିନ ଉତ୍ତର ହୋକ୍କାଇଡୋ ଦ୍ୱୀପରେ ଶକ୍ତିଶାଳୀ ଭୂମିକମ୍ପ ହେବାରୁ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହେବା ସହ ଅନ୍ୟ ୩୨ ଜଣ ନିରୁଦ୍ଦେଶ ହୋଇଯାଇଥିବା କଥା ଜାପାନୀ ଗଣମାଧ୍ୟମ କହିଛି। ଭୂମିକମ୍ପ ଯୋଗୁଁ ସେଠାରେ ଭୂସ୍ଖଳନ ସହ ୫. ୩ ନିୟୁତ ଲୋକଙ୍କ ଘରକୁ ବିଦ୍ୟୁତ୍ ସରବରାହ ବନ୍ଦ ହୋଇ ଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ରିକ୍ଟର୍ ସ୍କେଲ୍ରେ ୬. ୭ ତୀବ୍ରତା ସମ୍ପନ୍ନ ଏହି ଭୂମିକମ୍ପ ଯୋଗୁଁ ୧୨୦ ଜଣ ଲୋକ ଆହତ ହୋଇଥିବା କଥା ଖବର ପ୍ରସାରଣ ସଂସ୍ଥା ଏନ୍ଏଚ୍କେ କହିଛି। ପୂର୍ବରୁ ନିଖୋଜ ବ୍ୟକ୍ତିଙ୍କ ସଂଖ୍ୟ ୧୯ ବୋଲି କୁହାଯାଇଥିଲା।
ଭୂମିକମ୍ପ ଯୋଗୁଁ ଦକ୍ଷିଣ ହୋକ୍କାଇଡୋ ଅନ୍ତର୍ଗତ ଆତ୍ସୁମା ନଗରୀ ନିକଟରେ ଟାଙ୍ଗରା ପାହାଡ଼ ନିକଟରେ ଅନେକ ସ୍ଥାନରେ ଭୂସ୍ଖଳନ ଘଟି ସାଗୁଆ ବିଲ ଧାରରେ ନାଲିଆ ମାଟି କୁଦ ଦେଖାଯିବା ସହ ଗଛଲତା ଉପୁଡ଼ି କାଣ୍ଡି ହୋଇ ପଡ଼ିଛି।
ଭୂକମ୍ପ ପରେ ତାପଜ ବିଦ୍ୟୁତ୍ ଯୋଗାଣକୁ ଜରୁରୀକାଳୀନ ଭିତ୍ତିରେ ବନ୍ଦ କରାଯିବାରୁ ସମଗ୍ର ଦ୍ୱୀପରେ ବିଜୁଳି ସେବା ବ୍ୟାହତ ହୋଇଛି। ୨. ୯୫ ନିୟୁତ ଘରକୁ ପୁଣି କେବେ ବିଜୁଳି ସେବା ଯୋଗାଇ ଦିଆଯିବ ତାହା କହି ହେବ ନାହିଁ।
ଦ୍ୱୀପବ୍ୟାପୀ ସବୁଆଡ଼େ ଟ୍ରେନ୍ ଚଳାଚଳ ମଧ୍ୟ ବନ୍ଦ ରହିଛି।
ହୋକ୍କାଇଡୋ ମୁଖ୍ୟ ବିମାନ ବନ୍ଦର ଭାଙ୍ଗିରୁଜି ଯାଇଥିବାରୁ ୨୦୦ ବିମାନ ଚଳାଚଳ ଓ ୪୦, ୦୦୦ ଯାତ୍ରୀ ପ୍ରଭାବିତ ହେବେ ବୋଲି କୁହାଯାଉଛି।