ଅସ୍ତ୍ରବିରତି ଶେଷ: ‘ଅପରେସନ୍‌ ଅଲ୍‌ଆଉଟ’ ଆରମ୍ଭ

ଶ୍ରୀନଗର: ପବିତ୍ର ରମଜାନ ମାସ ପାଇଁ ଜମ୍ମୁ-କଶ୍ମୀରରେ ସେନା ପକ୍ଷରୁ ଘୋଷଣା କରାଯାଇଥିବା ଅସ୍ତ୍ରବିରତିର ଆଜି ପରିସମାପ୍ତି ଘଟିଛି। ଅସ୍ତ୍ରବିରତି ଅବଧିକୁ ଅମରନାଥ ଯାତ୍ରା ଶେଷ ହେବା ଯାଏଁ ଜାରି ରଖିବାକୁ ଜମ୍ମୁ-କଶ୍ମୀର ମୁଖ୍ୟମନ୍ତ୍ରୀ ମେହବୁବା ମୁଫ୍‌ତିଙ୍କ ପ୍ରସ୍ତାବକୁ କେନ୍ଦ୍ର ସରକାର ଗ୍ରହଣ କରିନାହାନ୍ତି। କିନ୍ତୁ କଶ୍ମୀର ଘାଟିରେ ଆତଙ୍କବାଦୀଙ୍କ ଦୌରାତ୍ମ୍ୟ ବୃଦ୍ଧି ପାଉଥିବାରୁ କେନ୍ଦ୍ର ସରକାର ଏହି ଅସ୍ତ୍ରବିରତିର ଅବଧି ବୃଦ୍ଧି ନକରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ତେଣୁ ଆଜିଠାରୁ ପୁଣିଥରେ ‘ଅପରେସନ ଅଲ୍‌୍‌ ଆଉଟ’ ଆରମ୍ଭ କରାଯାଇ ଆତଙ୍କବାଦୀଙ୍କୁ ନିପାତ ପ୍ରକ୍ରିୟା ଆରମ୍ଭ ହୋଇଛି। ଆଜି ଗୃହମନ୍ତ୍ରୀ ରାଜନାଥ ସିଂହ ଟ୍ଵିଟ୍‌ କରି ଆତଙ୍କବାଦୀ ନିପାତ ଅଭିଯାନ ପୁଣି ଥରେ ଆରମ୍ଭ ହୋଇଥିବା ସୂଚନା ଦେଇଛନ୍ତି। ଆତଙ୍କବାଦୀଙ୍କ ହିଂସା, ଆତଙ୍କ ଓ ହତ୍ୟାକୁ ରୋକିବା ପାଇଁ କେନ୍ଦ୍ର ସରକାର ଏହି ପଦକ୍ଷେପ ନେଇଥିବା ସେ କହିଛନ୍ତି। ନିକଟରେ ବରିଷ୍ଠ ସାମ୍ବାଦିକ ସୁଜାତ ବୁଖାରୀ ଓ ଯବାନ ଔରଙ୍ଗଜେବଙ୍କ ହତ୍ୟାକାଣ୍ଡ ଘାଟିର ବାତାବରଣକୁ ଅଧିକ ଅଶାନ୍ତ କରିଛନ୍ତି। କଡ଼ା ସୁରକ୍ଷା ସତ୍ତ୍ୱେ ଆଜି ଗାନ୍ଦରବଲ ଅଚଂଳରେ ଏକ ଗ୍ରେନେଡ୍‌ ବିସ୍ଫୋରଣ ଘଟିବାରୁ ୪ ଜଣ ଆହତ ହୋଇଛନ୍ତି।

ଆସନ୍ତା ୨୮ ତାରିଖରେ ଅମରନାଥ ଯାତ୍ରା ଆରମ୍ଭ ହେବାକୁ ଯାଉଥିବା ବେଳେ ଏହି ସମୟରେ ଆତଙ୍କବାଦୀମାନେ ଆକ୍ରମଣ କରିବା ଯୋଜନା କରୁଥିବା ନେଇ ମଧ୍ୟ ଗୁଇନ୍ଦା ବିଭାଗ ପକ୍ଷରୁ ସତର୍କ କରିଦିଆଯାଇଛି। ଶାନ୍ତି ପ୍ରତିଷ୍ଠା କରିବାକୁ ଚାହୁଥିବା ସମସ୍ତ ଲୋକ ସେନା ଓ ସରକାରଙ୍କୁ ସମର୍ଥନ କଲେ ଆତଙ୍କବାଦୀଙ୍କୁ ନିପାତ କରିବା ସେନା ପାଇଁ ସହଜ ହେବ ବୋଲି କେନ୍ଦ୍ର ସରକାର କହିଛନ୍ତି। ସେନାର ଏହି କାର୍ଯ୍ୟରେ ସ୍ଥାନୀୟ ଲୋକେ ବାଧା ସୃଷ୍ଟି କରିବା ପରିବର୍ତ୍ତେ ସହଯୋଗ କରନ୍ତୁ ବୋଲି କେନ୍ଦ୍ର ସରକାର ନିବେଦନ କରିଛନ୍ତିି। ଆଗକୁ ଲୋକସଭା ନିର୍ବାଚନ ଥିବାରୁ କେନ୍ଦ୍ର ସରକାରଙ୍କ ଏ ପ୍ରକାର ନିଷ୍ପତ୍ତି ମୁଖ୍ୟମନ୍ତ୍ରୀ ମେହବୁବା ମୁଫତିଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି। ଗତ ଶୁକ୍ରବାର ଦିନ କଶ୍ମୀର ପରିସ୍ଥିତି ନେଇ ଗୃହମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କ ସହିତ ବିସ୍ତତ ଆଲୋଚନା କରିଥିଲେ। ଅସ୍ତ୍ରବିରତି ସମୟସୀମା ଶେଷ ହେବାପରେ ସେନା ଏବେ ସର୍ବଧିକ ଆଲର୍ଟରେ ଅଛନ୍ତି।

ସମ୍ବନ୍ଧିତ ଖବର