ସାବଧାନ୍! ପଡ଼ୋଶୀଙ୍କୁ କୁକୁର କାମୁଡ଼ିବା ପରେ ଜରିମାନା ଦେଇ, ବର୍ଷକ ପାଇଁ ଜେଲ ଗଲେ ମାଲିକ…
ନୂଆଦିଲ୍ଲୀ: ଯଦି ଆପଣ ନିଜ ଘରେ ପୋଷା କୁକୁର ରଖିଛନ୍ତି ବା ଆପଣଙ୍କ ପଡ଼ୋଶୀ ଯଦି ପୋଷା କୁକୁର ରଖିଛନ୍ତି, ତେବେ ଏହି ଖବର ସେ ସମସ୍ତଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। କାରଣ ଯଦି ଆପଣ ରଖିଥିବା ପୋଷା କୁକୁର କାହାକୁ କାମୁଡ଼ି ଦିଏ, ତେବେ ସେ ନେଇ ଆପଣଙ୍କୁ ଏକ ବଡ଼ ମୂଲ୍ୟ ଦେବାକୁ ହେବ। ଏମିତି କି ଜେଲ ମଧ୍ୟ ଯିବାକୁ ପଡ଼ିପାରେ। ଗୁଜୁରାଟର ଅହମ୍ମଦାବାଦରେ ଏବେ ସେଭଳି ଏକ ଘଟଣା ଘଟିଥିବା ସାମ୍ନାକୁ ଆସିଛି। ପଡ଼ୋଶୀଙ୍କୁ କୁକୁର କାମୁଡ଼ିବାରୁ ମାଲିକକୁ ବର୍ଷକ ପାଇଁ ଜେଲ ପଠାଇବା ସହ ଜରିମାନା ଦେବାକୁ ଆଦେଶ ଦେଇଛନ୍ତି ଅହମ୍ମଦାବାଦ୍ ଅଦାଲତ।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ମୁତାବକ, ଘଟଣାଟି ଅହମ୍ମଦାବାଦର ଘୋଡ଼ାସର ଅଞ୍ଚଳରେ ଘଟିଛି। ଏହି ଅଞ୍ଚଳରେ ରହୁଥିବା ଭରେଶ ପାଣ୍ଡ୍ୟାଙ୍କ କୁକୁର ୪ଜଣ ପଡ଼ୋଶୀଙ୍କ ଉପରରେ ଆକ୍ରମଣ କରିଥିଲା। ସେ ମଧ୍ୟରୁ ୩ଜଣ ଶିଶୁ ଓ ଜଣେ ବୟସ୍କ ଅବିନାଶ ପଟେଲ ଥିଲେ। ଏଭଳି ଘଟଣା ଘଟିବା ପରେ ଅବିନାଶ ଭରେଶଙ୍କ ବିରୋଧରେ ଏତଲା ଲେଖାଇଥିଲେ। କୁକୁର କାମୁଡ଼ିବାରୁ ସେ ତଳେ ପଡ଼ିଯାଇଥିଲେ, ଯାହାଦ୍ବାରା ତାଙ୍କର ହାତ ଭାଙ୍ଗି ଯାଇଥିଲା ବୋଲି ଏତଲାରେ ଲେଖିଥିଲେ ଅବିନାଶ। ୨୦୧୪ରେ ଏଭଳି ଘଟଣା ଘଟିଥିବା ବେଳେ ଏବେ ଏହି ଘଟଣା ଉପରେ ଶୁଣାଣି କରି ଭରେଶଙ୍କୁ ୧ବର୍ଷର ଜେଲ ଦଣ୍ଡ ଶୁଣାଇଛନ୍ତି ଅହମଦାବାଦ ଅଦାଲତ। ଏହା ସହ ତାଙ୍କୁ ୧,୫୦୦ଟଙ୍କା ଜରିମାନା ଆକାରରେ ଦେବା ପାଇଁ ମଧ୍ୟ କହିଛନ୍ତି ଅଦାଲତ।