ସୀମାରେ ପାକିସ୍ତାନର ସମରସଜା:ପାକ୍‌ ବାୟୁ ସେନା ଏବଂ ସ୍ଥଳ ସେନା ସର୍ବା‌ଧିକ ସତର୍କ

ଇସଲାମାବଦ୍‌ : ପାକିସ୍ତାନ ସୀମାରେ ଭାରତୀୟ ବାୟୁସେନାର ବିମାନ ଆକ୍ରମଣ ପରଠାରୁ ପାକିସ୍ତାନ ଛାନିଆ ହୋଇଯାଇଛି। ପୁଲୱାମା ଆକ୍ରମଣ ପରେ ପାକିସ୍ତାନ ଭାବିଥିଲା ଯେ ଭାରତ ପୂର୍ବଥର ଭଳି ସ୍ଥଳସେନା ଦ୍ବାରା ସର୍ଜିକାଲ୍‌ ଷ୍ଟ୍ରାଇକ୍‌ କରିବ। ସେଥିପାଇଁ ଏହା ସୀମା ନିକଟରେ ମୁତୟତ କରିଥିବା ରାଡାର ଏବଂ ବାୟୁ ପ୍ରତିରକ୍ଷା ପଦ୍ଧତିକୁ ଅଧିକ ସୁଦୃଢ଼ କରି ଦେଇଥିଲା। ମାତ୍ର ପାକିସ୍ତାନର କଳ୍ପନା ବାହାରେ ଭାରତୀୟ ବାୟୁସେନା ବାଲାକୋଟରେ ବୋମାମାଡ଼ କରିଥିଲା। ତେବେ ତାହା ପରଠାରୁ ପାକିସ୍ତାନ ଏହାର ରଣନୀତିକୁ ସୁଦୃଢ଼ କରି ନିଜର ବାୟୁସେନା ଏବଂ ସ୍ଥଳ ସେନାକୁ ସର୍ବାଧିକ ସତର୍କ ରଖିଛି।
ମିଳିଥିବା ସୂଚନାନୁଯାୟୀ, ପାକିସ୍ତାନ ଭାରତ ସୀମାରେ ଏଫ୍‌-୧୬ ଯୁଦ୍ଧ ବିମାନ ମୁତୟନ କରି ରଖିଛି। ‌ଏଥି ସହିତ ହାଇଦ୍ରାବାଦ୍‌ର ସିନ୍ଧଠାରୁ ଉତ୍ତରାଞ୍ଚଳର ସ୍କାର୍ଦୁ ପର୍ଯ୍ୟନ୍ତ ସବୁ ସୀମା ଅଞ୍ଚଳରେ ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ଠୁଳ କରି ରଖିଛି। ତେବେ ଭାରତୀୟ ସେନାବାହିନୀ ମଧ୍ୟ ପାକିସ୍ତାନ ପଟୁ କୌଣସି ଅପ୍ରତ୍ୟାଶିତ ଆହ୍ବାନର ମୁକାବିଲା କରିବାକୁ ପ୍ରସ୍ତୁତ ଅଛନ୍ତି ବୋଲି ସେନା ପକ୍ଷରୁ କୁହାଯାଇଛି।
ଉଲ୍ଲେଖ‌ଯୋଗ୍ୟ, ବାୟୁସେନାର ବିମାନ ଆକ୍ରମଣ ପରେ ପାକିସ୍ତାନ କେବଳ ଭାରତର ସୁନ୍ଦରବନି, ନୌସେରା, ପୁଞ୍ଚ୍‌, ଭିମ୍ବର ଗଲି ଏବଂ କ୍ରିଷ୍ଣାଘାଟି ସେକ୍ଟର ଭଳି ଆଗୁଆ ପୋଷ୍ଟ୍‌ ଗୁଡ଼ିକୁ ଟାର୍ଗେଟ୍‌ କରି ପ୍ରବଳ ଗୁଳିଗୋଳା ମାଡ଼ କରିଥିଲା।
ତେବେ ଭବିଷ୍ୟତରେ ଭାରତୀୟ ସେନାକୁ କଡ଼ା ଜବାବ ଦେବାକୁ ପାକିସ୍ତାନ ଯାବତୀୟ କୌଶଳ ଆପଣେଇ ଚାଲିଛି। ଏଥିରେ ଏହାକୁ ସହଯୋଗର ହାତ ବଢ଼ାଇଛି ଚୀନ୍। ଚୀନ୍‌ ଏବଂ ପାକିସ୍ତାନର ମିଳିତ ଉଦ୍ୟମରେ ନିର୍ମିତ ଜେଏଫ୍‌-୧୭ ଯୁଦ୍ଧବିମାନର ଉନ୍ନତୀକରଣ ପାଇଁ ଏବେ ଉଭୟ ଦେଶ ପ୍ରୟାସ ଆରମ୍ଭ କରିଦେଇଛନ୍ତି। ଫଳରେ ଏହି ବିମାନରୁ ଏକକାଳୀନ ଅନେକ ଟାର୍ଗେଟ୍‌କୁ ଯୁଦ୍ଧାସ୍ତ୍ର କ୍ଷେପଣ କରିହେବ। ଜେଏଫ୍‌-୧୭ ବ୍ଲକ୍‌-୩ର ଉନ୍ନତୀକରଣ କାର୍ଯ୍ୟ ଏବେ ଜାରି ରହିଛି ବୋଲି ଏହାର ମୁଖ୍ୟ ଡିଜାଇନର ୟାଙ୍ଗ୍‌ ୱେଇ କହିଛନ୍ତି। ଭାରତ ନିଜସ୍ବ ଜ୍ଞାନକୌଶଳରେ ନିର୍ମାଣ କରିଥିବା ତେଜସ୍‌ ବିମାନର ଏହା ପ୍ରତିଦ୍ବନ୍ଦ୍ବୀ ବୋଲି କୁହାଯାଉଛି।

ବାୟୁସେନା ବିମାନ ଆକ୍ରମଣ ପୂର୍ବରୁ ବାଲାକୋଟ୍‌‌ରେ ଠୁଳ ହୋଇଥିଲେ
୨୬୩ ଆତଙ୍କବାଦୀ
ନୂଆଦିଲ୍ଲୀ : ଗତ ଫେବ୍ରୁଆରି ୨୬ରେ ଭାରତୀୟ ବାୟୁସେନା ଦ୍ବାରା ବାଲାକୋଟ୍‌ରେ ବିମାନ ଆକ୍ରମଣ ହେବା ପୂର୍ବରୁ ବାଲାକୋଟ୍‌ ସ୍ଥିତ ‌ଜୈସ୍‌ ଶିବିରରେ ୨୬୩ ଜଣ ଆତଙ୍କବାଦୀ ସମବେତ ହୋଇଥିଲେ। ବିଭିନ୍ନ ବିଷୟରେ ତାଲିମ ନେବା ପାଇଁ ସେମାନେ ସେଠାରେ ଠୁଳ ହୋଇଥିଲେ। ସେମାନଙ୍କ ମଧ୍ୟରେ ନୂତନ ଆତଙ୍କବାଦୀ ନିଯୁକ୍ତି ତାଲିମ ପାଇଁ ୮୩ ଜଣ, ଅତ୍ୟାଧୁନିକ ସରଞ୍ଜାମ ଓ ଜ୍ଞାନକୌଶଳ ତାଲିମ ନେବା ପାଇଁ ୯୧ ଜଣ ଏବଂ ଆତ୍ମଘାତୀ ଆକ୍ରମଣ ରଚାଇବା ପାଇଁ ୨୫ ଜଣ ରହିଥିଲେ। ସେହିପରି ପ୍ରଶିକ୍ଷିକ ଭାବେ ଜୈସର ୧୮ ଜଣ ବରିଷ୍ଠ କମାଣ୍ଡର ମଧ୍ୟ ଉକ୍ତ ଶିବିରରେ ରହିଥିଲେ। ଜୈସର ଏହି ତାଲିମ ଶିବିରରେ ରୋଷେୟା ଏବଂ ପାକିସ୍ତାନୀ ସୁରକ୍ଷା କର୍ମୀଙ୍କ ସମେତ ଆହୁରି ୧୨ରୁ ଊର୍ଦ୍ଧ୍ବ ଅନ୍ୟାନ୍ୟ ପଦାଧିକାରୀ ମଧ୍ୟ ରହିଥିବା ବିଶେଷ ସୂତ୍ରରୁ ଜାଣିବାକୁ ମିଳିଛି। ଭାରତୀୟ ବାୟୁସେନା ଉକ୍ତ ଶିବିର ଉପରେ ବୋମା ମାଡ଼ କରିବା ସମୟରେ ପ୍ରାୟ ସମସ୍ତ ଶିବିରାର୍ଥୀ ମୋବାଇଲ୍‌ ଫୋନ୍‌ ପାଖରେ ରଖିଥିବା ଏନ୍‌ଟିଆରଓ (ନ୍ୟାସନାଲ ଟେକ୍ନିକାଲ୍‌ ରିସର୍ଚ୍ଚ ଅର୍ଗାନାଇଜେସନ୍‌) ଦ୍ବାରା ସିଗନାଲ୍‌ ଟ୍ରାକ୍ରିଂରୁ ଜଣାପଡ଼ିଛି। ଗତ ମାର୍ଚ୍ଚ ୧ ତାରିଖରୁ ସେଠାରେ ତାଲିମ ପ୍ରକ୍ରିୟା ଆରମ୍ଭ ହେବାକୁ ଥିବା ବେଳେ ଭାରତୀୟ ବିମାନ ଆକ୍ରମଣରେ ସମସ୍ତେ ନିପାତ ‌ହୋଇଯାଇଥିବା ଅନୁମାନ କରାଯାଉଛି।

ସମ୍ବନ୍ଧିତ ଖବର