ପାକିସ୍ତାନୀ କୂଟନୈତିଜ୍ଞଙ୍କ ଉପରେ ଆମେରିକୀୟ କଟକଣା; ନିଯୁକ୍ତି ସ୍ଥାନର ୪୦ କିମି ପରିଧି ବାହାରକୁ ବିନା ଅନୁମତିରେ ଯାଇ ପାରିବେ ନାହିଁ

ପାକିସ୍ତାନ ବି ଲଗାଇଲା ଆମେରିକୀୟ କୂଟନୈତିଜ୍ଞଙ୍କ ଉପରେ ସମାନ କଟକଣା

ଓ୍ଵାଶିଂଟନ୍‌: ପାକିସ୍ତାନ ବିଶ୍ୱ ସମୁଦାୟ ପାଇଁ ଏକ ବିଶ୍ୱାସଯୋଗ୍ୟ ରାଷ୍ଟ୍ର ନୁହେଁ; କି ଏହାର ଅଧିକାରୀମାନେ ମଧ୍ୟ ଭରାସାଯୋଗ୍ୟ ନୁହନ୍ତି। ଏହାର ବହୁ ପ୍ରମାଣ ରହିଛି। ଭାରତ ତ ଭୁକ୍ତ ଭୋଗୀ। ହେଲେ, ଏବେ ଖୋଦ୍‌ ଯୁକ୍ତରାଷ୍ଟ୍ର ଆମେରିକା ପାକିସ୍ତାନୀ ବିଶ୍ୱାସଘାତର କିଛି ନିର୍ଦ୍ଦିଷ୍ଟ ପ୍ରମାଣ ପାଇଲା ପରେ ପାକିସ୍ତାନ ବିରୋଧରେ ଗ୍ରହଣ କରିଛି କଠୋର କାର୍ଯ୍ୟାନୁଷ୍ଠାନ।

ଯୁକ୍ତରାଷ୍ଟ୍ର ଆମେରିକାର ଓ୍ଵାଶିଂଟନ ଠାରେ ଥିବା ପାକିସ୍ତାନୀ ଦୂତାବାସ ଏବଂ ନ୍ୟୁୟର୍କ, ଲସ୍‌ଆଞ୍ଜେଲସ୍‌, ଟେକ୍ସାସ୍‌ ଓ ଚିକାଗୋ ଠାରେ ରହିଥିବା ଅନ୍ୟ ଚାରିଟି ପାକିସ୍ତାନୀ କନ୍‌ସୁଲେଟରେ ପାକିସ୍ତାନ ସରକାରଙ୍କ ପକ୍ଷରୁ ମୁତୟନ ହୋଇଥିବା ଅଧିକାରୀ ଓ କୂଟନୈତିକମାନେ କେବଳ ମାତ୍ର ନିଯୁକ୍ତି ପାଇଥିବା ସ୍ଥାନର ୪୦ କିଲୋମିଟର (୨୫ମାଇଲ୍‌) ପରିଧି ମଧ୍ୟରେ ହିଁ ନିଜର ଆତଯାତକୁ ସୀମିତ ରଖିବେ। କୌଣସି ପରିସ୍ଥିତରେ ବି ତା’ ବାହାରକୁ ଯାଇ ପାରିବେ ନାହିଁ। ଯଦି କୌଣସି ବି ପରିସ୍ଥିତରେ ପାକିସ୍ତାନୀ ଅଧିକାରୀ ଓ କୂଟନୈତିକମାନଙ୍କୁ ନିର୍ଦ୍ଧାରିତ ପରିସୀମା ବାହରକୁ ଯିବାକୁ ପଡ଼ିଲା, ତେବେ ସେଥିପାଇଁ ସେମାନଙ୍କୁ ଅନ୍ତତଃ ପକ୍ଷେ ୫ଦିନ ପୂର୍ବରୁ ଆମେରିକୀୟ ପ୍ରଶାସନ ପକ୍ଷରୁ ଅନୁମତି ନେବାକୁ ପଡ଼ିବ ବୋଲି, ଯୁକ୍ତରାଷ୍ଟ୍ର ଆମେରିକା ପକ୍ଷରୁ ଜାରି କରାଯାଇଥିବା ଘୋଷଣାରେ ସ୍ପଷ୍ଟ କରି ଦିଆଯାଇଛି। ଏବଂ ଆଜି ଠାରୁ ଆମେରିକାରେ ଅବସ୍ଥାପିତ ସମସ୍ତ ପାକିସ୍ତାନୀ କୂଟନୈତିକ ଓ ଅଧିକାରୀମାନଙ୍କ ଉପରେ ଏହି କଟକଣା ଲାଗୁ ହୋଇଯାଇଛି।

ଅପରପକ୍ଷରେ ଆମେରିକାରେ ଅବସ୍ଥାପିତ ସମସ୍ତ ପାକିସ୍ତାନୀ କୂଟନୈତିକ ଓ ଅଧିକାରୀମାନଙ୍କ ଉପରେ ଏହି କଟକଣା ଆମେରିକା କେଉଁ କାରଣ ପାଇଁ ଲଗାଇଲା ତାହାର କାରଣ ନଖୋଜି, କିମ୍ବା ଅନୁସନ୍ଧାନ ନକରି; ଅଥବା ଲଜ୍ଜିତ ସୁଦ୍ଧା ନହୋଇ ପାକିସ୍ତାନର ବୈଦେଶିକ ମନ୍ତ୍ରାଳୟ ପ୍ରବକ୍ତା ମହମ୍ମଦ ଫୈଜାଲ ଆଜି ଇସ୍‌ଲାମାବାଦ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ଆମେରିକା ଆମ କୂଟନୈତିକମାନଙ୍କ ସହ ଯେଉଁ ପ୍ରକାରର ଆଚରଣ ପ୍ରଦର୍ଶନ କରିବ ବୋଲି ଘୋଷଣା କରିଛି, ଆମେ ମଧ୍ୟ ‘ଯେସାକୁ ତେସା’ ନ୍ୟାୟରେ ପାକିସ୍ତାନରେ ଅବସ୍ଥାପିତ ଆମେରିକୀୟ କୂଟନୈତିକ ଓ ଅଧିକାରୀମାନଙ୍କ ସହ ସେହି ପ୍ରକାରର ଆଚରଣ ପ୍ରଦର୍ଶନ କରିବୁ।

ସମ୍ବନ୍ଧିତ ଖବର