ଉତ୍ତରପ୍ରଦେଶ ହିଂସାର ଫାଇଦା ନେଇ ଆତଙ୍କବାଦୀ ଆକ୍ରମଣ କରିବାକୁ ପାକିସ୍ତାନର ଷଡ଼ଯନ୍ତ୍ର, ସତର୍କ କରାଇଲା ଆଇବି

ନୂଆଦିଲ୍ଲୀ : ନାଗରିକତା (ସଂଶୋଧନ) ଆଇନକୁ ନେଇ ଉତ୍ତରପ୍ରଦେଶରେ ଏବେବି ଉତ୍ତେଜନା ଜାରି ରହିଛି । ଏହି ପରିସ୍ଥିତିର ଫାଇଦା ଉଠାଇବାକୁ ପାକିସ୍ତାନ ଷଡ଼ଯନ୍ତ୍ର କରୁଛି ବୋଲି ଜଣାପଡ଼ିଛି । ଅଯୋଧ୍ୟାରେ ଏକ ବଡ଼ ଧରଣର ଫିଦାୟିନ ଆକ୍ରମଣ କରିବାକୁ ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସଆଇ ଯୋଜନା କରୁଛି । ଆତଙ୍କବାଦୀ ସଂଗଠନ ଜୈସ-ଇ-ମହମ୍ମଦକୁ ଏହି ଦାୟିତ୍ୱ ଦିଆଯାଇଛି । ଗୁଇନ୍ଦା ବ୍ୟୁରୋ (ଆଇବି) ପକ୍ଷରୁ ଏ ନେଇ ଏକ ସତର୍କତା ଜାରି କରାଯାଇଛି ।

ଏହି ସତର୍କତାର ସ୍ତର ‘ଏ’ରଖାଯାଇଛି । ଏ ସଂପର୍କରେ ୟୁପି ପୁଲିସକୁ ମଧ୍ୟ ସତର୍କ କରିଦିଆଯାଇଛି । ଆତଙ୍କବାଦୀମାନେ ବର୍ତ୍ତମାନ ଚାଲିଥିବା ଉତ୍ତେଜନାର ଫାଇଦା ନେଇ ଆକ୍ରମଣ କରିପାରନ୍ତି ବୋଲି ଆଇବି କହିଛି । ୨୦୦୫ରେ ଲସ୍କର-ଇ-ତୋଇବା ଆତଙ୍କବାଦୀମାନେ ଅଯୋଧ୍ୟାରେ ଥିବା ଅସ୍ଥାୟୀ ରାମଲାଲା ମନ୍ଦିରକୁ ପଶି ଆକ୍ରମଣ କରିବାକୁ ଉଦ୍ୟମ କରିଥିଲେ । କିନ୍ତୁ ସତର୍କ ଥିବା ସୁରକ୍ଷା ବଳ ସେମାନଙ୍କୁ ଗୁଳି କରି ମାରିଦେଇଥିଲା ।

ସୂଚନାଯୋଗ୍ୟ ଯେ ଦେଶରେ ଚାଲିଥିବା ନାଗରିକତା (ସଂଶୋଧନ) ଆଇନ ବିରୋଧୀ ହିଂସାରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ଉତ୍ତରପ୍ରଦେଶ । ରାଜ୍ୟରେ ଏହି ହିଂସାରେ ମୋଟ ୧୯ ଜଣ ପ୍ରାଣ ହରାଇଥିବାବେଳେ ୧୧୧୩ ଲୋକଙ୍କୁ ପୁଲିସ ଗିରଫ କରିଛି ଓ ପ୍ରାୟ ୫୫୫୮ ଜଣଙ୍କୁ ଅଟକ ରଖାଯାଇଛି । ଏହି ହିଂସା ଯୋଗୁଁ ୨୮୮ ଜଣ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୬୧ ଜଣଙ୍କ ଶରୀରରେ ଗୁଳି ବାଜିଛି ।

ସମ୍ବନ୍ଧିତ ଖବର