ରାଜନୀତିକୁ ଅପରାଧୀକରଣରୁ ମୁକ୍ତ ରଖିବାକୁ ସଂସଦ ଆଇନ ପ୍ରଣୟନ କରୁ: ସୁପ୍ରିମ କୋର୍ଟ

ସୁପ୍ରିମ୍‌ କୋର୍ଟ ଲକ୍ଷ୍ମଣ ରେଖା ଡେଇଁ ବ୍ୟବସ୍ଥାପିକା କାର୍ଯ୍ୟରେ ହସ୍ତକ୍ଷେପ କରିବେ ନାହିଁ

ନୂଆଦିଲ୍ଳୀ: ସଙ୍ଗୀନ ଅପରାଧିକ ମାମଲାରେ ସମ୍ପୃକ୍ତ ବ୍ୟକ୍ତିମାନଙ୍କୁ ସଂସଦ ଓ ବିଧାନସଭାକୁ ନିର୍ବାଚିତ ହେବାରେ ରୋକ୍‌ ଲଗାଇବାକୁ ସଂସଦରେ ଆଇନ ପ୍ରଣୟନ କରାଯାଉ।। ସୁପ୍ରିମକୋର୍ଟ ନିଜର ଲକ୍ଷ୍ମଣରେଖା ନେଇ ସମ୍ପୂର୍ଣ ସଚେତନ ଓ ଏହାକୁ ଡେଇଁ ସୁପ୍ରିମ୍‌ କୋର୍ଟ ବ୍ୟବସ୍ଥାପିକା କାର୍ଯ୍ୟରେ ହସ୍ତକ୍ଷେପ କରିବେ ନାର୍ହିଁ କିମ୍ବା ଜଣେ ପ୍ରାର୍ଥୀଙ୍କୁ ଅଯୋଗ୍ୟ ଘୋଷଣା କରି ପାରିବେ ନାହିଁ ବୋଲି ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ଦୀପକ ମିଶ୍ରଙ୍କୁ ନେଇ ଗଠିତ  ୫ ଜଣିଆ ବେଞ୍ଚ ରାୟ ଦେଇଛନ୍ତି। ତେବେ ନିର୍ବାଚନ ସମୟରେ ଜଣେ ପ୍ରାର୍ଥୀ ସତ୍ୟପାଠ ଦାଖଲ କଲା ବେଳେ ଏହି ସତ୍ୟପାଠରେ ତାଙ୍କ ନାମରେ ଥିବା ଅପରାଧିକ ମାମଲାଗୁଡ଼ିକ ସମ୍ପର୍କରେ ବଡ଼ ଅକ୍ଷରରେ ଦର୍ଶାଇବା ପାଇଁ ସୁପ୍ରିମ୍‌ କୋର୍ଟ ରାୟ ଦେଇଛନ୍ତି। ସେହିପରି ଦୁର୍ନୀତି ଓ ରାଜନୀତିରେ ଅପରାଧୀକରଣ ଗଣତାନ୍ତ୍ରିକ ବ୍ୟବସ୍ଥାର ମୂଳକୁ ଆଘାତ ଦେଉଥିବାରୁ ସଂସଦ ଏହି ସମସ୍ୟାର ସମାଧାନ ପାଇଁ ତୁରନ୍ତ ପଦକ୍ଷେପ ନେବା ଜରୁରି ବୋଲି ସୁପ୍ରିମ କୋର୍ଟ କହିଛନ୍ତି।

ସେହିପରି ସୁପ୍ରିମ୍‌ କୋର୍ଟ ପ୍ରାର୍ଥୀ ଓ ରାଜନୈତିକ ଦଳଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି ଯେ ଜଣେ ପ୍ରାର୍ଥୀ ନିଜର ପ୍ରାର୍ଥୀପତ୍ର ଦାଖଲ କରିବା ପରେ ତାଙ୍କ ନାମରେ ଥିବା ବିଭିନ୍ନ ଅପରାଧିକ ମାମଲା ସମ୍ପର୍କରେ ମୁଦ୍ରିତ ଗଣମାଧ୍ୟମ ଓ ଟେଲିଭିଜନ ଚାନେଲରେ ଏହାର ଭଲ ଭାବେ ପ୍ରଚାର ପ୍ରସାର କରାଯିବ। ଯଦ୍ୱାରା ଲୋକେ ପ୍ରାର୍ଥୀଙ୍କ ଅପରାଧିକ ପୃଷ୍ଠଭୂମି ସମ୍ପର୍କରେ ଜାଣିପାରିବେ।

ସୂଚନାଯୋଗ୍ୟ ସୁପ୍ରିମ କୋର୍ଟ ଅପରାଧିକ ମାମଲା ବିଚାରାଧୀନ ଥିଲେ ଜଣେ ବ୍ୟବସ୍ଥାପକଙ୍କୁ ଅଯୋଗ୍ୟ ଘୋଷଣା କରାଯାଇ ପାରିବ କି ଏକ ମାମଲା ସୁପ୍ରିମ୍‌ କୋର୍ଟ ଶୁଣାଣି କରିବା ଅବସରରେ କହିଛନ୍ତି ଯେ ରାଜନୈତିକ ଦଳଗୁଡ଼ିକ ତାଙ୍କ େଓ୍ଵବ୍‌ସାଇଟ୍‌ରେ ତାଙ୍କ ଦଳର ପ୍ରାର୍ଥୀମାନଙ୍କ ଅପରାଧିକ ପୃଷ୍ଠମୂମି ସମ୍ପର୍କରେ ମଧ୍ୟ ଉଲ୍ଲେଖ କରିବେ, ଯାହା ଫଳରେ ଜନପ୍ରତିନିଧି ବାଛିବା ବେଳେ ଭୋଟରମାନଙ୍କୁ ସହଜ ହେବ।

ସୂଚନାଯୋଗ୍ୟ ଯେ ନିକଟରେ କେନ୍ଦ୍ର ସରକାର ସୁପ୍ରିମ୍‌ କୋର୍ଟରେ ଏକ ସତ୍ୟପାଠ ଜରିଆରେ ଜଣାଇଥିଲେ ଯେ ମୋଟ୍‌ ୧ହଜାର ୭ଶହ ୬୫ ଜଣ ବିଧାୟକ, ସାଂସଦଙ୍କ ନାମରେ ୩୦୪୫ ଟି ଅପରାଧିକ ମାମଲା ବିଚାରାଧୀନ ରହିଛି। ଅର୍ଥାତ ଦେଶର ୩୬ ପ୍ରତିଶତ ସାଂସଦ ଓ ବିଧାୟକଙ୍କ ନାମରେ ବିଭିନ୍ନ ଥାନାରେ ଅପରାଧିକ ମାମଲା ରହିଛି।

ସମ୍ବନ୍ଧିତ ଖବର