ଶନିବାରଠାରୁ କଶ୍ମୀରରେ ପୋଷ୍ଟପେଡ୍ ମୋବାଇଲ ସେବା ଆରମ୍ଭ ହେବ

ଶ୍ରୀନଗର : ୬୮ ଦିନ ଧରି ବନ୍ଦ ରହିବା ପରେ ଆସନ୍ତା ଶନିବାରଠାରୁ କଶ୍ମୀରରେ ପୋଷ୍ଟପେଡ୍ ମୋବାଇଲ ସେବା କାର୍ଯ୍ୟକ୍ଷମ ହେବ । ଆଗାମୀ କିଛି ଦିନ ମଧ୍ୟରେ ପ୍ରିପେଡ ସେବା ମଧ୍ୟ ଆରମ୍ଭ ହେବ ବୋଲି ଜାମ୍ମୁ ଓ କଶ୍ମୀର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଇଣ୍ଟରନେଟ ସେବା ଆରମ୍ଭ ହେବାକୁ ଆହୁରି କିଛିଦିନ ଅପେକ୍ଷା କରିବାକୁ ପଡିବ । କଶ୍ମୀର ଘାଟିରେ ପ୍ରାୟ ୬୬ ଲକ୍ଷ ମୋବାଇଲ ଉପଭୋକ୍ତା ଅଛନ୍ତି । ସେମାନଙ୍କ ମଧ୍ୟରୁ ପ୍ରାୟ ୪୦ ଲକ୍ଷ ହେଉଛନ୍ତି ପୋଷ୍ଟପେଡ୍ ଉପଭୋକ୍ତା । ସରକାର ଗତ କାଲିଠାରୁ ଘାଟିକୁ ପର୍ଯ୍ୟଟକମାନଙ୍କ ପାଇଁ ଖୋଲିଦେଇଥିଲେ ମଧ୍ୟ ମୋବାଇଲ ସେବା ଆରମ୍ଭ ନ ହେଲେ କୌଣସି ପର୍ଯ୍ୟଟକ ଆସିବେନି ବୋଲି ସ୍ଥାନୀୟ ପର୍ଯ୍ୟଟନ ସଂଘ ଗୁଡ଼ିକ ସରକାରଙ୍କ ଜଣାଇବା ପରେ ପୋଷ୍ଟପେଡ ସେବା ଆରମ୍ଭ ପାଇଁ ପଦକ୍ଷେପ ନିଆଯାଇଛି ।

ଭାରତ ସରକାର ଗତ ଅଗଷ୍ଟ ୫ରେ ଜମ୍ମୁ ଓ କଶ୍ମୀରରୁ ସମ୍ବିଧାନର ଧାରା ୩୭୦ ଉଠାଇଦେବା ସହ ଜମ୍ମୁ-କଶ୍ମୀର ଓ ଲଦାଖକୁ ଅଲଗା ଅଲଗା କେନ୍ଦ୍ର ଶାସିତ ଅଞ୍ଚଳରେ ପରିଣତ କରିଥିଲେ । ସୁରକ୍ଷା ଓ ଆଇନଶୃଙ୍ଖଳା ରକ୍ଷା ଲାଗି ସରକାର ଜାମ୍ମୁ ଓ କଶ୍ମୀର ପ୍ରମୁଖ ନେତାମାନଙ୍କୁ ଗୃହବନ୍ଦୀ କରିଦେଇଥିଲେ । ଏହା ସହିତ ଇଣ୍ଟରନେଟ ଓ ଟେଲିଫୋନ ସେବାକୁ ବନ୍ଦ କରିଦେଇଥିଲେ । ପ୍ରଶାସନ ଗତକାଲି କଶ୍ମୀରର ୩ ଜଣ ରାଜନୈତିକ ନେତାଙ୍କୁ ଗୃହବନ୍ଦୀରୁ ମୁକ୍ତ କରିଥିଲା ।

ସମ୍ବନ୍ଧିତ ଖବର