ସ୍ଥାନୀୟ ଲୋକଙ୍କ ମନ ଜିଣିବା ପାଇଁ ମୋଦୀ ଉଠାଇଲେ ଖୋର୍ଦ୍ଧା ବିଜେପି ନେତାଙ୍କ ହତ୍ୟା ପ୍ରସଙ୍ଗ : କହିଲେ, ମୃତକଙ୍କ ପରିବାରକୁ ନ୍ୟାୟ ମିଳିବ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଏଠାରେ ବିକାଶ ସଂକଳ୍ପ ସମାବେଶରେ ସ୍ଥାନୀୟ ପ୍ରସଙ୍ଗ ଉତ୍‌ଥାପନ କରି ଓଡ଼ିଶା ଲୋକମାନଙ୍କ ସହ ଭାବଗତ ସଂପର୍କ ଯୋଡ଼ିବାକୁ ପ୍ରୟାସ କରିଛନ୍ତି।

ଆଜି ସଂଧ୍ୟାରେ ଭୁବନେଶ୍ୱର ବରମୁଣ୍ଡା ପଡ଼ିଆରେ ଭାରତୀୟ ଜନତା ପାର୍ଟି ଦ୍ୱାରା ଆୟୋଜିତ ଏକ ବିଶାଳ ଜନ ସମାବେଶରେ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ ମୋଦୀ ଦୁଇ ଦିନ ତଳେ ଖୋର୍ଦ୍ଧାଠାରେ ଦଳୀୟ ନେତା ମଙ୍ଗୁଳି ଜେନାଙ୍କ ହତ୍ୟା ବିଷୟ ଉତ୍‌ଥାପନ କରି କ୍ଷମତା ପାଇଁ ଶାସକ ଦଳ ଗୁଣ୍ଡାରାଜ କରୁଛି ବୋଲି ଅଭିଯୋଗ କରିଥିଲେ। ଏହି ଗୁଣ୍ଡାରାଜରୁ ମୁୁକ୍ତି ପାଇବା ଲାଗି ଓଡ଼ିଶାବାସୀ ଭାରତୀୟ ଜନତା ପାର୍ଟିକୁ ଭୋଟ ଦେବାକୁ ନିବେଦନ କରିଥିଲେ। ଏଥିସହ ମୃତ ମଙ୍ଗୁଳିଙ୍କ ପରିବାରକୁ ସମବେଦନା ଜଣାଇବା ସହ ଦୋଷୀଙ୍କୁ କଠୋର ଦଣ୍ଡ  ମିଳିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

ପ୍ରଧାନମନ୍ତ୍ରୀ ବିମାନ ବନ୍ଦରରୁ ଓହ୍ଲାଇବା ପରେ ଏକ ରୋଡ଼ ସୋ’ରେ ଯାଇ ବରମୁଣ୍ଡା ପଡ଼ିଆରେ ପହଞ୍ଚଥିଲେ ଏବଂ ସେଠାରେ ଉଦ୍‌ବୋଧନ ଦେଇଥିଲେ। କେନ୍ଦ୍ରରେ ଏବଂ ରାଜ୍ୟରେ ‘ଡବଲ୍‌ ଇଂଜିନ୍‌ ସରକାର’ଗଠନ ପାଇଁ ଭୋଟ ଦେବାକୁ ତାଙ୍କର ଆହ୍ଵାନ ଦୋହରାଇ ମୋଦୀ କହିଲେ ଯେ, ବିଜେପି ସରକାର ଆସିଲେ ଭାରତ ଶକ୍ତିଶାଳୀ ହେବା ସାଂଗକୁ ଓଡ଼ିଶା ସଶକ୍ତ ହେବ।

ଗତ ୨୦ ବର୍ଷ ମଧ୍ୟରେ ଓଡ଼ିଶାରେ ବିକାଶ ଯେତିକି ହେବା କଥା ତାହା ହୋଇ ନାହିଁ ବୋଲି ପ୍ରକାଶ କରି ଏଥିପାଇଁ ଦାୟୀ କିଏ ବୋଲି ପ୍ରଧାନମନ୍ତ୍ରୀ ପ୍ରଶ୍ନ କରିଥିଲେ ଏବଂ ତାଙ୍କ ସରକାର ଗତ ୫ ବର୍ଷ ମଧ୍ୟରେ ୩ ଲକ୍ଷ କୋଟି ଟଙ୍କା ଓଡ଼ିଶାର ବିକାଶ ପାଇଁ ଦେଇଛନ୍ତି ବୋଲି କହିଥିଲେ। ପୂର୍ବ ସରକାର ତୁଳନାରେ ୫ ଗୁଣ ଅର୍ଥ ଓଡ଼ିଶାରେ ସଡ଼କ,ବିଜୁଳି ଏବଂ ରେଳ ଲାଇନ୍‌ ପ୍ରଭୃତିର ବିକାଶ ପାଇଁ ଦିଆଯାଇଛି ବୋଲି ସେ ପ୍ରକାଶ କରିଥିଲେ।

ଅନ୍ୟପକ୍ଷରେ କଂଗ୍ରେସକୁ ତୀବ୍ର ସମାଲୋଚନା କରି ମୋଦୀ କହିଥିଲେ ଯେ, କଂଗ୍ରେସ ସରକାର ୨୦୦୪ ରୁ ୨୦୧୪ ମସିହା ପର୍ଯ୍ୟନ୍ତ ଦୀର୍ଘ ୧୦ ବର୍ଷ ଧରି କେନ୍ଦ୍ରରେ ଶାସନ କରିଥିଲା। ଏହା ପାକିସ୍ତାନକୁ ଉଚିତ ଜବାବ ଦେବା ପାଇଁ ପ୍ରସ୍ତୁତ ନ ଥିଲା। କିନ୍ତୁ ତାଙ୍କ ସରକାର ପୁଲଓ୍ଵାମା ଆତଙ୍କବାଦୀ ଆକ୍ରମଣର ବଦ୍‌ଲା ‘ରକ୍ତଶୁଖିବା ପୂର୍ବରୁ’ନେଇଛି ବୋଲି ସେ କହିଥିଲେ। କଂଗ୍ରେସ ଓ ଅନ୍ୟ ଦଳମାନଙ୍କର ମହାମେଣ୍ଟକୁ ସମାଲୋଚନା କରି ପ୍ରଧାନମନ୍ତ୍ରୀ କହିଥିଲେ,‘‘ସେ ଦଳମାନଙ୍କର ନା କିଛି ମିସନ୍‌ ଅଛି ନା ଅଛି ଭିଜନ୍‌’’।

ସମ୍ବନ୍ଧିତ ଖବର