ବିଶ୍ୱବିଦ୍ୟାଳୟରେ ଦିନିକିଆ କୁଳପତି ହେଲେ ପ୍ରଫେସର ପି.କେ.ସାହୁ

ଆହ୍ଲାବାଦ: ଆପଣ ବଲିଉଡ ଅଭିନେତା ଅନିଲ କାପୁରଙ୍କ ଅଭିନୀତ ଫିଲ୍ମ ‘ନାୟକ’ ଦେଖିଥିବେ | ଏଥିରେ କିଭଳି ଜଣେ ସାମ୍ବାଦିକ ଦିନକ ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିବେ ସେ ଦୃଶ୍ୟ ଆପଣଙ୍କର ମନେଥିବ | ଠିକ ସେହିପରି ଆହ୍ଲାବାଦ ବିଶ୍ୱବିଦ୍ୟାଳୟରେ ବି ସେମିତି ଏକ ଘଟଣା ମଙ୍ଗଳବାର ଦିନ ଦେଖିବାକୁ ମିଳିଛି | ଯେଉଁଠି ଜଣେ ବରିଷ୍ଠ ପ୍ରାଧ୍ୟାପକଙ୍କୁ ଦିନକ ପାଇଁ କୁଳପତି କରାଯାଇଛି | ଆହ୍ଲାବାଦ ବିଶ୍ୱବିଦ୍ୟାଳୟର ଶିକ୍ଷା ବିଭାଗର ଡିନ୍ ଥିବା ପ୍ରଫେସର ପି.କେ.ସାହୁଙ୍କୁ ୨୪ ଘଣ୍ଟା ପାଇଁ ବିଶ୍ୱବିଦ୍ୟାଳୟର କୁଳପତି କରାଯାଇଥିଲା | ମଙ୍ଗଳବାର ରାତିରେ ତାଙ୍କୁ କୁଳପତି ଭାବେ ନିଯୁକ୍ତି ଦିଆଯାଇଥିବା ବେଳେ ଆଜି ଅର୍ଥାତ ବୁଧବାର ଦିନ ଅପରାହ୍ନରେ ସେ ଅବସର ନେବେ |

Photo-AMARUJALA

ମିଳିଥିବା ସୂଚନା ମୁତାବକ କୁଳପତି ଥିବା ପ୍ରଫେସର କେ ଏସ ମିଶ୍ର ସୋମବାର ଅବସର ନେଇଥିଲେ | ତାଙ୍କ ସ୍ଥାନରେ ବରିଷ୍ଠତା ଭିତ୍ତିରେ କିଏ ଦାୟିତ୍ୱ ନେବେ ସେ ନେଇ ସମ୍ଭାବିତ ନାମକୁ ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ପାଖକୁ ପଠାଯାଇଥିଲା | ମଙ୍ଗଳବାର ଅପରାହ୍ନରେ ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ପକ୍ଷରୁ ପ୍ରଫେସର ପିକେ ସାହୁଙ୍କୁ ନୂଆ କୁଳପତି ଭାବେ ଦାୟିତ୍ୱ ଦିଆଯାଇଥିଲା |

Photo-Hindustantimes

ଏହା ପରେ ସନ୍ଧ୍ୟାରେ କୁଳପତି ଭାବେ ପିକେ ସାହୁ ଦାୟିତ୍ୱ ନେଇଥିଲେ | ବଡ କଥା ଯେ ପିକେ ସାହୁ ବୁଧବାର ଦିନ ଅପରାହ୍ନରେ ଅବସର ନେବେ | ତଥାପି ନିଜର ଦିନକର ଏହି ଦାୟିତ୍ୱ ଦ୍ୱାରା ବିଶ୍ୱବିଦ୍ୟାଳୟ ପାଇଁ କିଛି କରିବାକୁ ଅଭିଳାଷ ରଖିଛନ୍ତି ନବ ନିଯୁକ୍ତ କୁଳପତି | ଆଜି ମକର ସଂକ୍ରାନ୍ତି ଅବସରରେ ଛୁଟି ଥିବା ସତ୍ୱେ ବିଶ୍ୱବିଦ୍ୟାଳୟର କାର୍ଯ୍ୟାଳୟ ଖୋଲା ରହିଛି | ପ୍ରଫେସର ପି କେ ସାହୁ ଆଜି ସମସ୍ତ ଅଧ୍ୟାପକ, ରେଜିଷ୍ଟ୍ରାରଙ୍କ ସହ ବୈଠକ କରିଛନ୍ତି | ଆଜି ସନ୍ଧ୍ୟାରେ କୁଳପତି ଅବସର ନେବା ପୂର୍ବରୁ ନିଜର ଦାୟିତ୍ୱ କୌଣସି ବରିଷ୍ଠ ପ୍ରଫେସର ବା ରେଜିଷ୍ଟ୍ରାରଙ୍କୁ ହସ୍ତାନ୍ତର କରିବେ |

ସମ୍ବନ୍ଧିତ ଖବର