ପ୍ରଧାନମନ୍ତ୍ରୀଙ୍କୁ ରାହୁଲଙ୍କ ଚାଲେଞ୍ଜ୍‌: ରାଫେଲ୍‌ ଚୁକ୍ତି ଉପରେ ବିତର୍କ ହେଉ

ବେଙ୍ଗାଲୁରୁ: ରାଫେଲ୍‌ ଚୁକ୍ତି ପ୍ରସଙ୍ଗରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଖୋଲା ଚାଲେଞ୍ଜ୍‌ ଦେଇଛନ୍ତି। ଚୁକ୍ତି ଉପରେ ଏକ ସ୍ୱତନ୍ତ୍ର ବିତର୍କ ଲାଗି ସେ କହିଛନ୍ତି। ଉତ୍ତର କର୍ଣ୍ଣାଟକରେ ରାଜ୍ୟ କଂଗ୍ରେସ ପକ୍ଷରୁ ଆୟୋଜିତ ‘ଜନ ଧ୍ୱନି’ ସମାବେଶରେ ଉଦ୍‌ବୋଧନ ଦେଇ ରାହୁଲ କହିଛନ୍ତି, ରାଫେଲ ଚୁକ୍ତି ପ୍ରସଙ୍ଗରେ ଖୋଲା ବିତର୍କ ପାଇଁ ମୁଁ ମୋଦୀଙ୍କୁ ଆହ୍ଵାନ ଦେଉଛି। ଏ ବାବଦରେ ମୁଁ ଘଣ୍ଟା ଘଣ୍ଟା ଧରି କହିବାକୁ ପ୍ରସ୍ତୁତ। ମୋଦୀ ସରକାରଙ୍କୁ ସମାଲୋଚନା କରି ରାହୁଲ କହିଛନ୍ତି, ଚୌକିଦାର ହିଁ ଭାଗୀଦାର ସାଜିଛନ୍ତି। ପ୍ରଧାନମନ୍ତ୍ରୀ ଟିକସଦାତାଙ୍କ ଟଙ୍କାକୁ ନେଇ ତାଙ୍କ ବନ୍ଧୁଙ୍କୁ ଦେଉଛନ୍ତି, ଯାହାଙ୍କର କମ୍ପାନି ରାଫେଲ୍‌ ଚୁକ୍ତି ହାସଲ ସୁଯୋଗ ପାଇଛି। ତେଣୁ ମୋଦୀ ପ୍ରକୃତରେ ଦେଶର ପ୍ରଧାନମନ୍ତ୍ରୀ ନୁହନ୍ତି, ବରଂ ୧୫ ଜଣ ସୁପର ଧନୀଙ୍କ ପ୍ରଧାନମନ୍ତ୍ରୀ। ଗତବର୍ଷ ଫ୍ରାନ୍ସ ଓ ଭାରତ ମଧ୍ୟରେ ରାଫେଲ୍‌ ଯୁଦ୍ଧ ବିମାନ ଚୁକ୍ତି ହୋଇଥିଲା। ୫୮,୦୦୦ କୋଟି ଟଙ୍କାର କାରବାର ନେଇ ଚୁକ୍ତିରେ ଦର୍ଶାଯାଇଥିଲା।
ଲୋକସଭାରେ ଅନାସ୍ଥା ଭୋଟିଂ ବିତର୍କ ବେଳେ ରାଫେଲ୍‌ ଚୁକ୍ତିକୁ ନେଇ ନେଇ ମୋଦୀ ସରକାର ଓ କଂଗ୍ରେସର ଜୋରଦାର ମୁହାଁମୁହିଁ ହୋଇଥିଲା। ସରକାର ଜାଣିଶୁଣି ଚୁକ୍ତିର ମୂଲ୍ୟ ସାର୍ବଜନୀନ କରୁନାହାନ୍ତି ବୋଲି ରାହୁଲ ଗାନ୍ଧୀ କହିଥିଲେ। ଏଥିପାଇଁ ପ୍ରଧାନମନ୍ତ୍ରୀ ଓ ପ୍ରତିରକ୍ଷା ମନ୍ତ୍ରୀଙ୍କ ଉପରେ ସେ ଅଙ୍ଗୁଳି ଉଠାଇଥିଲେ। ଏହାପରେ ସରକାରଙ୍କ ପକ୍ଷରୁ ରାହୁଲଙ୍କ ବିରୋଧରେ ସ୍ୱାଧିକାର ଭଙ୍ଗ ପ୍ରସ୍ତାବ ଦାଖଲ କରାଯାଇଥିଲା। କଂଗ୍ରେସ ମଧ୍ୟ ସ୍ୱାଧିକାର ଭଙ୍ଗ ନୋଟିସ୍‌ ଆଣିଥିଲା।

ସମ୍ବନ୍ଧିତ ଖବର