ପୁଣି ଆଇନଷ୍ଟାଇନ୍‌ଙ୍କ ନାମ ନେଲେ ଗୋୟଲ

ନୂଆଦିଲ୍ଲୀ: କେନ୍ଦ୍ର ରେଳ, ବାଣିଜ୍ୟ ଓ ଶିଳ୍ପମନ୍ତ୍ରୀ ପୀୟୂଷ ଗୋୟଲ ପୁଣି ବିଶିଷ୍ଟ ବୈଜ୍ଞାନିକ ଆଲବର୍ଟ ଆଇନଷ୍ଟାଇନଙ୍କ ନାମ ନେଇ ଚର୍ଚ୍ଚାକୁ ଆସିଛନ୍ତି। ତେବେ ଏଥର ସେ କୌଣସି ତ୍ରୁଟି କରିନାହାନ୍ତି। ବରଂ ତ୍ରୁଟିକୁ ସୁଧାରିବା ପାଇଁ ଆଇନଷ୍ଟାଇନଙ୍କ ନାଁ ନେଇଛନ୍ତି। ଗତ ୧୨ ତାରିଖରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଗୋୟଲ ଭୁଲରେ ମାଧ୍ୟାକର୍ଷଣର ଆବିଷ୍କାର ଆଇନଷ୍ଟାଇନ୍ କରିଥିଲେ ବୋଲି କହିଥିଲେ। ନିଉଟନଙ୍କ ପରିବର୍ତ୍ତେ ଆଇନଷ୍ଟାଇନଙ୍କ ନାମ ନେବାରୁ ସୋସିଆଲ ମିଡିଆରେ ଗୋୟଲଙ୍କୁ ପ୍ରବଳ ସମାଲୋଚନାର ଶିକାର ହେବାକୁ ପଡ଼ିଥିଲା। ଫଳରେ ମନ୍ତ୍ରୀ ବାଧ୍ୟ ହୋଇ ତାଙ୍କ ଭୁଲ ସ୍ବୀକାର କରିଛନ୍ତି। ମୁମ୍ବାଇଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଗୋୟଲ କହିଛନ୍ତି, ତ୍ରୁଟି କରିବା ସୁଯୋଗ ସମସ୍ତଙ୍କ ନିକଟରେ ରହିଥାଏ। ମୁଁ ନିଉଟନଙ୍କ ପରିବର୍ତ୍ତେ ଆଇନଷ୍ଟାଇନ୍ କହିଥିଲି। କିନ୍ତୁ ଆଇନଷ୍ଟାଇନ୍ କହିଥିଲେ, ଯେଉଁ ବ୍ୟକ୍ତି କେବେ ବି ଭୁଲ କରିନାହିଁ ସେହି ବ୍ୟକ୍ତି ‌କଦାପି କିଛି ନୂଆ ପ୍ରଚେଷ୍ଟା କରିନାହିଁ। ଗୋୟଲ ଏହାପରେ ଏହା ମଧ୍ୟ କହିଛନ୍ତି, ମୁଁ ଭୁଲକୁ ଭୟ କରେ ନାହିଁ। କିନ୍ତୁ ଯେଉଁ ସମୟରେ ଭୁଲକୁ ଅନୁଭବ କରେ ସେହି ସମୟରେ ତାହାର ସ୍ପଷ୍ଟୀକରଣ ଦେଇଥାଏ। ଉଲ୍ଲେଖଯୋଗ୍ୟ, ଅର୍ଥନୀତିରେ ଅଭିବୃଦ୍ଧି ହ୍ରାସ ପାଇଥିବାରୁ ସରକାରଙ୍କ ୫ ଟ୍ରିଲିଅନ ଡଲାର ଅର୍ଥନୀତି ଲକ୍ଷ୍ୟ କିଭଳି ସାକାର ହେବ ବୋଲି ପ୍ରଶ୍ନ ହେବାରୁ ସେ ଭୁଲରେ କହିଥିଲେ, ମାଧ୍ୟାକର୍ଷଣ ଆବିଷ୍କାର କରିବାରେ ଆଇନଷ୍ଟାଇନଙ୍କୁ ଗଣିତ କେବେ ସହାୟକ ହୋଇ ନଥିଲା।

ସମ୍ବନ୍ଧିତ ଖବର