ଏଟିଏମ୍ କାଉଣ୍ଟର ୩ ଘଣ୍ଟାରୁ ଅଧିକ ସମୟ ପାଇଁ ଟଙ୍କା ଶୂନ୍ୟ ରହିଲେ ଏଣିକି ସଂପୃକ୍ତ ବ୍ୟାଙ୍କ୍ ଗଣିବେ ଜରିମାନା: ଆରବିଆଇ ଜାରିକଲେ ନିର୍ଦ୍ଦେଶନାମା
ନୂଆଦିଲ୍ଲୀ: ଦେଶର ବ୍ୟାଙ୍କ୍ଗୁଡ଼ିକ ଏଣିକି ସେମାନଙ୍କର ଏଟିଏମ୍ଗୁଡ଼ିକୁ ଆଉ ଟଙ୍କା ଶୂନ୍ୟ କରି ରଖିପାରିବେ ନାହିଁ। ଯଦି କୌଣସି ବ୍ୟାଙ୍କ୍ର ଏଟିଏମ୍ କାଉଣ୍ଟରଗୁଡ଼ିକ ୩ ଘଣ୍ଟା ଧରି ଟଙ୍କା ଶୂନ୍ୟ ହୋଇ ରହିଲା; ତେବେ ଏଥିପାଇଁ ସଂପୃକ୍ତ ବ୍ୟାଙ୍କ୍କୁ ବିପୁଳ ପରିମାଣର ଜରିମାନା ଗଣିବା ପାଇଁ ପଡ଼ିବ ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କ୍ (ଆର୍ବିଆଇ) ପକ୍ଷରୁ ଜାରି ଏକ ନିର୍ଦ୍ଦେଶନାମାରେ କୁହାଯାଇଛି। କେତେକ ଅଞ୍ଚଳରେ ବିଭିନ୍ନ ବ୍ୟାଙ୍କ୍ର ଏଟିଏମ୍ କାଉଣ୍ଟରଗୁଡ଼ିକ ଦିନ ଦିନ ଧରି ଟଙ୍କା ଶୂନ୍ୟ ହୋଇ ରହିବା ଫଳରେ ଗ୍ରାହକମାନେ ଟଙ୍କା ଅଭାବ କାରଣରୁ ଅକଥନୀୟ ଦୁର୍ଦ୍ଦଶାର ସମ୍ମୁଖୀନ ହେଉଥିବା ଭାରତୀୟ ରିଜର୍ଭ ବ୍ୟାଙ୍କ୍ଙ୍କ ଦୃଷ୍ଟିକୁ ଆସିବା ପରେ ଆଜି ଏପରି ନିର୍ଦ୍ଦେଶନାମା ଜାରି କରିଛନ୍ତି ଆରବିଆଇ।
Sambad is now on WhatsApp
Join and get latest news updates delivered to you via WhatsApp
ଭାରତୀୟ ରିଜର୍ଭ ବ୍ୟାଙ୍କ୍ଙ୍କ ପକ୍ଷରୁ ଜାରି କରା ଯାଇଥିବା ନିର୍ଦ୍ଦେଶନାମାରେ କୁହାଯାଇଛି ଯେ କେଉଁ ଅଞ୍ଚଳରେ କେଉଁ ବ୍ୟାଙ୍କ୍ର ଏଟିଏମ୍ କାଉଣ୍ଟର କେତେ ଘଣ୍ଟାରୁ କେତେଦିନ ପର୍ଯ୍ୟନ୍ତ ଟଙ୍କା ଶୂନ୍ୟ ରହିଲା ତାହାକୁ ବିଚାରକୁ ନେଇ ସଂପୃକ୍ତ ବ୍ୟାଙ୍କ୍ ଉପରେ କେତେ ପରିମାଣର ଜରିମାନା ଲଗାଯିବ ତାହା ଆର୍ବିଆଇ ସ୍ଥିର କରିବ। ଏବଂ ଏଥିପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ୍ ପକ୍ଷରୁ ଏକ ସ୍ୱତନ୍ତ୍ର କମିଟି ମଧ୍ୟ ଗଠନ କରାଯାଇଛି। ବ୍ୟାଙ୍କ୍ଗୁଡ଼ିକ ନିଜର ଖାମ୍ଖିଆଲି ନୀତି ପାଇଁ ଅର୍ଦ୍ଧ ସହରାଞ୍ଚଳ ଓ ଗ୍ରାମାଞ୍ଚଳ ଏଟିଏମ୍ କାଉଣ୍ଟରଗୁଡ଼ିକୁ ଦିନ ଦିନ ଧରି ଟଙ୍କା ଶୂନ୍ୟ କରି ପକାଉ ଥିବାରୁ ଭାରତୀୟ ରିଜର୍ଭ ବ୍ୟାଙ୍କ୍ ଏଥିନେଇ ନିଜର ଗଭୀର ଉଦ୍ବେଗ ପ୍ରକାଶ କରିଛନ୍ତି।