ଶୀଘ୍ର ନିର୍ବାଚନ ସପକ୍ଷରେ କଂଗ୍ରେସ:ସୋନିଆଙ୍କୁ ଭେଟିବେ ମେହବୁବା

ନୂଆଦିଲ୍ଲୀ: ଜମ୍ମୁ କଶ୍ମୀରରେ ବିଜେପି-ପିଡିପି ମେଣ୍ଟ ସରକାରର ପତନ ପରେ ଏବେ ରାଜ୍ୟରେ ରାଜ୍ୟପାଳ ଶାସନ ଜାରି ହୋଇଛି । ତେବେ ରାଜ୍ୟରେ ପୁଣି ଥରେ ସରକାର ଗଠନ ପାଇଁ ଏବେ ତତ୍ପରତା ଆରମ୍ଭ ହୋଇଥିବାରୁ ଆଗକୁ ରାଜ୍ୟ ରାଜନୀତି ନୂଆ ମୋଡ଼ ନେବ ବୋଲି କୁହାଯାଉଛି । ଆଜି ଦିଲ୍ଲୀରେ ପୂର୍ବ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ନେତୃତ୍ୱରେ ଜମ୍ମୁ କଶ୍ମୀର କଂଗ୍ରେସର ଶତାଧିକ ନେତା ଏକ ବୈଠକରେ ମିଳିତ ହୋଇ ଏ ବାବଦ ଆଲୋଚନା କରିଥିଲେ। ବୈଠକ ପରେ ବରିଷ୍ଠ ନେତ୍ରୀ ଅମ୍ବିକା ସୋନି କହିଛନ୍ତି ଯେ ରାଜ୍ୟରେ ଯଥାଶୀଘ୍ର ନିର୍ବାଚନ କରାଇବାକୁ କଂଗ୍ରେସ ଦାବି କରୁଛି। ବୈଠକରେ ଜମ୍ମୁ କଶ୍ମୀରରୁ ବହୁ ସଂଖ୍ୟାରେ ବିଧାୟକ, ସାଂସଦ, ପୂର୍ବ ସାଂସଦ ଓ ବିଧାୟକ ସମେତ ସଂଗଠନ ଦାୟିତ୍ୱରେ ଥିବା ନେତାମାନେ ସାମିଲ ହୋଇଥିଲେ। ପୂର୍ବ ମୁଖ୍ୟମନ୍ତ୍ରୀ ତଥା ପିଡିପି ସୁପ୍ରିମୋ ମେହବୁବା ମୁଫ୍‌୍‌ତି ମଧ୍ୟ ଏବେ ଦିଲ୍ଲୀରେ ଅଛନ୍ତି ଏବଂ ସେ ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଭେଟିବେ ବୋଲି ଜଣାପଡ଼ିଛି । ରାଜ୍ୟପାଳ ଏନ୍‌ଏନ୍‌ ଭୋରାଙ୍କ କାର୍ଯ୍ୟକାଳ ସମାପ୍ତ ହେଉଥିବାରୁ କେନ୍ଦ୍ର ସରକାର ଅନ୍ୟ କାହାକୁ ରାଜ୍ୟପାଳ ନିଯୁକ୍ତି ଦେଇପାରନ୍ତି। ତେଣୁ ପରିବର୍ତ୍ତିତ ପରିସ୍ଥିତିରେ ରାଜ୍ୟରେ ଶୀଘ୍ର ନିର୍ବାଚନ କରିବା ପାଇଁ କଂଗ୍ରେସ ଓ ପିଡିପି ମିଳିତ ଭାବେ ଦାବି କରିବାକୁ ସଜବାଜ ହେଉଥିବା ଜଣାପଡ଼ିଛି। ରାଜ୍ୟପାଳ ଶାସନ ଲାଗୁ ହେବାପରେ କଶ୍ମୀର ଘାଟିରେ ଆତଙ୍କବାଦ ନିପାତ ଅଭିଯାନ ତ୍ୱରାନ୍ଵିତ ହୋଇଛି । ଏଭଳି ସ୍ଥିତିରେ ତୁରନ୍ତ ନିର୍ବାଚନ କରାଇବା ବଦଳରେ ରାଜ୍ୟପାଳ ଶାସନକୁ ହିଁ କେନ୍ଦ୍ର ସରକାର ଅଗ୍ରାଧିକାର ଦେବେ ବୋଲି ଆଲୋଚନା ହେଉଛି।

ସମ୍ବନ୍ଧିତ ଖବର