ସଲମାନଙ୍କ ଜାମିନ୍‌ ପାଇଁ କୋର୍ଟରେ ଓକିଲ ରଖିଥିଲେ ଏହି ୫ଟି ଦାବି

ଯୋଧପୁର : ଯୋଧପୁର ସେଣ୍ଟ୍ରାଲ୍‌ ଜେଲରେ ଦୁଇଦିନ କାଟିବା ପରେ ଅଭିନେତା ସଲମାନ ଖାନ୍‌ଙ୍କୁ ଶନିବାର ଦିନ ୩ଟା ବେଳେ ଜାମିନ୍‌ ମିଳିଛି। ତେବେ ସଲମାନ ୧୯୯୮ ମସିହାରେ ଦୁଇଟି କୃଷ୍ଣସାର ମୃଗ ଶିକାର କରିଥିବା ଅଭିଯୋଗରେ ଗତ ଗୁରୁବାର ତାଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇ ୫ ବର୍ଷ ପାଇଁ କାରାଦଣ୍ଡାଦେଶର ଶୁଣାଣି କରାଯାଇଥିଲା। ଯାହାକୁ ନେଇ ତାଙ୍କ ପ୍ରଶଂସକଙ୍କୁ ଶକ୍ତ ଧକ୍କା ଲାଗିଥିଲା। ଆଜି ପ୍ରିୟ ଅଭିନେତାଙ୍କୁ ଜାମିନ୍‌ ମିଳିବା କଥା ଶୁଣିବା ପରେ ସଲମାନଙ୍କ ପ୍ରଶଂସକ ଖୁବ୍‌ ଖୁସି ହୋଇ ଯାଇଥିଲେ। ଜେଲରୁ ବାହାରିବା ପରେ ପୁଷ୍ପଗୁଚ୍ଛରେ ତାଙ୍କୁ ସ୍ୱାଗତ କରାଯାଇଥିଲା। ଜାମିନ୍‌ ମିଳିବା ପରେ କୋର୍ଟ ଏହା ବି କହିଛନ୍ତି କି, କୋର୍ଟର ବିନା ଅନୁମତିରେ ସଲମାନ ଦେଶ ବାହାରକୁ ଯାଇ ପାରିବେ ନାହିଁ।

ତେବେ ସରକାରୀ ଓକିଲ ଭାବନି ସିଂହ ଭାଟି ସଲମାନଙ୍କ ଜାମିନ୍‌କୁ ନେଇ ବିରୋଧ କରି କହିଥିଲେ ସିନେ ଅଭିନେତା ସଲମାନଙ୍କୁ ଜାମିନ୍‌ ଦିଆ ନଯାଉ। କିନ୍ତୁ ବିଚାର ପତି ଜୋସି ସଲମାନଙ୍କ ଓକିଲଙ୍କ ଦାବି ଓ ପ୍ରମାଣକୁ ସ୍ୱୀକାର କରି ଜାମିନ୍‌ ଦେଇଥିଲେ। ଆସନ୍ତୁ ଜାଣିବା ସଲମାନଙ୍କୁ ଜାମିନ୍‌ ଦେବା ପାଇଁ ତାଙ୍କ ଓକିଲ କେଉଁ କେଉଁ ଦାବି ରଖିଥିଲେ।

୧. ସଲମାନଙ୍କ ଓକିଲ କୋର୍ଟକୁ କହିଥିଲେ, ଏହି ୨୦ବର୍ଷ ଭିତରେ ସଲମାନ ପ୍ରତିଥର କୋର୍ଟର ସାମ୍ନା କରିଛନ୍ତି। କେବେ ବି ବେଲ ଜମ୍ପ କରାଯାଇ ନାହିଁ। ଯେତେଥର ବି ଶୁଣାଣି ହୋଇଛି ସବୁ ସମୟରେ ସଲମାନ କୋର୍ଟରେ ଉପସ୍ଥିତ ରହିଛନ୍ତି। ସେ ଯାଞ୍ଚରେ ବି ସମ୍ପୂର୍ଣ୍ଣ ଭାବେ ସହଯୋଗ କରିଛନ୍ତି।

୨. ଓକିଲ ମହେଶ ବୋରା କୋର୍ଟଙ୍କୁ କହିଥିଲେ, ସଲମାନ ନିର୍ଦ୍ଦୋଷ, ତାଙ୍କୁ ମିଥ୍ୟା ମାମଲାରେ ଫସା ଯାଉଛି। ଜାମିନ୍‌ ପରେ ବୋରା କହିଛନ୍ତି ଆମକୁ ନ୍ୟାୟ ମିଳିଛି।

୩. ବୋରା କୋର୍ଟରେ ହରିଣ ଶିକାର ସହିତ ଜଡ଼ିତ ଆମର୍ସ ଆକ୍ଟ ମାମଲାର ଉଦାହରଣ ଦେଇ କହିଛନ୍ତି, ଏହା ଏଯାବତ୍‌ ସ୍ପଷ୍ଟ ହୋଇନାହିଁ କି ସଲମାନଙ୍କ ବନ୍ଧୁକ ଘଟଣା ସ୍ଥଳରେ ଥିଲା କି ନାହିଁ। ତାଙ୍କୁ ଏହି ମାମଲାରେ ହାଇକୋର୍ଟ ଦ୍ୱାରା ଖଲାସ ମଧ୍ୟ କରାଯାଇଛି।

୪. ତେଣୁ ସଲମାନଙ୍କୁ ଜାମିନ୍‌ ମିଳିବା କଥା। ଜାମିନ୍‌ ନମିଳିଲେ ତାଙ୍କର ମୂଳ ଅଧିକାରକୁ ଆଞ୍ଚ ଆସିବ।

୫. ସେହିପରି ସଲମାନଙ୍କୁ ଜାମିନ୍‌ ନମିଳିଲେ ବିନା କାରଣରେ ଜେଲରେ ବିତାଇବାକୁ ପଡ଼ିବ। ଯଦି ସେ ବିନା କାରଣରେ ଜେଲରେ ସମୟ କାଟନ୍ତି ତେବେ ଏହାର ଦୋଷୀ କିଏ ହେବ?

ସମ୍ବନ୍ଧିତ ଖବର