‘ଦେଶକୁ ରକ୍ଷା’ କରିବା ପାଇଁ ଅନୁରୋଧ ନେଇ ରାହୁଲଙ୍କୁ ଭେଟିଲେ ଚନ୍ଦ୍ରବାବୁ ନାଇଡ଼ୁ; ସମସ୍ତ ସମଭାବାପନ୍ନ ରାଜନୈତିକ ଦଳ ଏକାଠି ହୋଇ ଲଢ଼ିବେ ୨୦୧୯ ନିର୍ବାଚନ!

ନୂଆଦିଲ୍ଲୀ: ଏକ ଗୁରୁତ୍ୱପୂର୍ଣ୍ଣ ରାଜନୈତିକ ଘଟଣାକ୍ରମରେ ଆଜି (ଗୁରୁବାର) ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ତଥା ତେଲଗୁ ଦେଶମ୍‌ ପାର୍ଟି (ଟିଡିପି) ମୁଖ୍ୟ ଚନ୍ଦ୍ରବାବୁ ନାଇଡ଼ୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ଭେଟିଛନ୍ତି। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ଭେଟିବା ଅବସରରେ ‘ଦେଶକୁ ରକ୍ଷା’ କରିବା ପାଇଁ ଅନୁରୋଧ କରିବା ସହ ଆସନ୍ତା ୨୦୧୯ ନିର୍ବାଚନରେ ଭାରତୀୟ ଜନତା ପାର୍ଟି (ବିଜେପି)କୁ ଶାସନ କ୍ଷମତାରୁ ଦୂରେଇ ରଖିବା ପାଇଁ ଦେଶର ସବୁ ବିରୋଧୀ ଦଳ ଗୋଟିଏ ମଞ୍ଚରେ ଏକତ୍ରିତ ହେବାର ଆବଶ୍ୟକତା ରହିଥିବା କହିଛନ୍ତି ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡ଼ୁ।

 

ପୂର୍ବରୁ ଚନ୍ଦ୍ରବାବୁ ନାଇଡ଼ୁ ଅନ୍ୟ ବିରୋଧୀ ଦଳ ନେତା ଏନ୍‌ସିପି ମୁଖ୍ୟ ଶରଦ ପାଓ୍ଵାର ଓ ନ୍ୟାସନାଲ କନ୍‌ଫରେନ୍ସ ମୁଖ୍ୟ ଫାରୁକ୍‌ ଅବଦୁଲ୍ଲାଙ୍କ ସହ ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରି କହିଥିଲେ ଯେ ଭାରତୀୟ ଗଣତନ୍ତ୍ର ଏବେ ବିପଦପୂର୍ଣ୍ଣ ପରିସ୍ଥିତି ମଧ୍ୟ ଦେଇ ଗତିକରୁଛି। ଏପରିସ୍ଥିତିରେ ଦେଶର ରାଜନୈତିକ ଦଳଗୁଡ଼ିକ ଏକାଠି ହେବାର ଆବଶ୍ୟକତା ରହିଛି। ଏହାକୁ ଦୃଷ୍ଟିରେ ରଖି, ‘ଆମେ ଆଗାମୀ ଦିନରେ ଦିଲ୍ଲୀରେ ଏକତ୍ରିତ ହେବା ସହ ଆମର ଭବିଷ୍ୟତ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରିବା ସହ ଦେଶର ଭବିଷ୍ୟତକୁ ସୁରକ୍ଷିତ ରଖିବା ଦିଗରେ ମିଳିତ ନିଷ୍ପତ୍ତି ନେବୁ।’

ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ଏଇ ସପ୍ତାହକ ମଧ୍ୟରେ ନାଇଡ଼ୁଙ୍କର ଏହା ହେଉଛି ଦିଲ୍ଲୀକୁ ଦ୍ୱିତୀୟ ଗସ୍ତ। ଦିଲ୍ଲୀ ଗସ୍ତକାଳରେ ନାଇଡ଼ୁ ସବୁ ବିରୋଧୀ ଦଳର ନେତୃବୃନ୍ଦଙ୍କୁ ସାକ୍ଷାତ କରିବା ସହ ସବୁ ବିରୋଧୀ ଦଳକୁ ନିର୍ବାଚନ ପୂର୍ବରୁ ଗୋଟିଏ ମଞ୍ଚରେ ଏକତ୍ରିତ କରିବା ପାଇଁ ସମସ୍ତ ପ୍ରକାରର ପ୍ରୟାସ ଆରମ୍ଭ କରି ଦେଇଛନ୍ତି।

ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ଏନ୍‌ଡିଏର ଜଣେ ସହଯୋଗୀ ରହିଥିବା ଟିଡିପି ମୁଖ୍ୟ ଏନ୍‌ଡିଏରୁ ଏବେ ଓହରି ଆସିଥିବା ନାଇଡ଼ୁ କହିଛନ୍ତି ଯେ ଦେଶର ଗଣତନ୍ତ୍ର ପ୍ରତି ଏବେ ଘୋର ବିପଦ ସୃଷ୍ଟି ହୋଇଛି। ଏପରିସ୍ଥିତିରେ ଆଗାମୀ ୨୦୧୯ ନିର୍ବାଚନରେ ସମସ୍ତ ବିରୋଧୀ ଦଳଙ୍କୁ ଏକାଠି ହୋଇ ବିଜେପିକୁ ଶାସନ କ୍ଷମତାରୁ ଦୂରେଇ ରଖିବାକୁ ପଡ଼ିବ। ଏକଥା ସମସ୍ତ ବିରୋଧୀ ରାଜନୈତିକ ଦଳ ମଧ୍ୟ ହୃଦୟଙ୍ଗମ କଲେଣି। ତେଣୁ, ଆଗାମୀ ନିର୍ବାଚନରେ ସମସ୍ତ ସମଭାବାପନ୍ନ ରାଜନୈତିକ ଦଳଗୁଡ଼ିକ ଏକାଠି ହୋଇ ନିର୍ବାଚନ ଲଢ଼ିବେ ବୋଲି ଟିଡିପି ମୁଖ୍ୟ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର