ନୂଆ ଟ୍ୟାଗ ଲଗାଇ ପୁଣି ଥରେ ବଜାରରେ ବିକ୍ରି ହେଉଛି ଏକ୍ସପାୟରୀ ଔଷଧ!

ନୂଅାଦିଲ୍ଲୀ : ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ଔଷଧର କଳାବଜାରୀ। ଏବେ ବଜାରରେ ବିକ୍ରି ହେଉଛି ଏକ୍ସପାୟରୀ ଔଷଧ। ଏକ୍ସପାୟରୀ ହୋଇସାରିଥିବା ଔଷଧର ଲେବଲ ବଦଳାଇ ନୂଆ ଟ୍ୟାଗ ଲଗାଇ ବିକ୍ରି କରାଯାଉଛି। ଏଭଳି ଏକ ତଥ୍ୟ ନଜରକୁ ଆସିଛି, ଯାହାକୁ ନେଇ କୋର୍ଟ ଗଭୀର ଉଦ୍‌ବେଗ ପ୍ରକାଶ କରିଛନ୍ତି।

ଔଷଧ ଏକ୍ସପାୟର ହୋଇଗଲା ପରେ ତାହାର ଉତ୍ପାଦନ ଓ ଏକ୍ସପାୟରୀ ତାରିଖ ଲିଭାଇ ନୂଆ ଭାବେ ବିକ୍ରି କରାଯାଉଛି । ଏହାକୁ ଗମ୍ଭୀର ବିବେଚନା କରି ଦିଲ୍ଲୀ ଉଚ୍ଚ ନ୍ୟାୟାଳୟ ଶୁକ୍ରବାର ଦିନ କେନ୍ଦ୍ର ସରକାରଙ୍କୁ ଏହି ମାମଲା ଉପରେ ଦୃଷ୍ଟିଗୋଚର କରିବାକୁ କହିଛନ୍ତି । ମୁଖ୍ୟ ବିଚାରପତି ରାଜେନ୍ଦ୍ର ମେନନ୍ ଓ ନ୍ୟାୟମୂର୍ତ୍ତି ବି କେ ରାଓଙ୍କ ଖଣ୍ଡପୀଠ କହିଛନ୍ତି କି ମୁଖ୍ୟ ଭାବେ ଏହି ପ୍ରକାରର ଗତିବିଧି କୋଲକାତା ଓ ଅହମଦାବାଦରେ ଚାଲୁଛି । ଯେଉଁଠି ଏକ୍ସପାୟରୀ ହୋଇସାରିଥିବା ଔଷଧ ଉପରେ ନୂଆ ଟ୍ୟାଗ ଲଗାଇ ପୁଣି ଥରେ ଦିଲ୍ଲୀ ଦେଇ ଅନ୍ୟ ସ୍ଥାନକୁ ପଠାଯାଏ ।

କୋର୍ଟ କହିଛନ୍ତି କି, କେନ୍ଦ୍ର ସରକାରଙ୍କ କର୍ମଚାରୀଙ୍କୁ ଏହା ଉପରେ ଆଖି ରଖିବାକୁ ହେବ। ଏଥିସହିତ କୋର୍ଟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ଓ ଭାରତର ଔଷଧ ମହାନିୟନ୍ତ୍ରକଙ୍କୁ ନୋଟିସ ଜାରି କରିଛନ୍ତି । କୋର୍ଟ କହିଲେ କି, ଏହା ଏକ ଗମ୍ଭୀର ମାମଲା ଓ ଏହାର ଶୁଣାଣି ଆସନ୍ତା ମାର୍ଚ୍ଚ ୧୧ରେ ହେବ ।

ସମ୍ବନ୍ଧିତ ଖବର