ଗତବର୍ଷର ‘୯୯୬’ ଫର୍ମୁଲା ପରେ ଚଳିତ ବର୍ଷ ‘୬୬୯’ ଫର୍ମୁଲା ଦେଇ ଚର୍ଚ୍ଚାରେ ଆଲିବାବାର ପ୍ରତିଷ୍ଠାତା ଜ୍ୟାକ୍ ମା; ଜାଣନ୍ତୁ କ’ଣ ଏଇ ଫର୍ମୁଲା…
ବେଜିଂ: ଚୀନ୍ର ଖ୍ୟାତନାମା କମ୍ପାନି ଆଲିବାବାର ପ୍ରତିଷ୍ଠାତା ଜ୍ୟାକ୍ ମା’ ତାଙ୍କ କମ୍ପାନିର କର୍ମଚାରୀମାନଙ୍କୁ ଜୀବନରେ ଉନ୍ନତ ଜୀବନଶୈଳୀ ଓ କର୍ମକ୍ଷେତ୍ରରେ କର୍ମ ଦକ୍ଷତା ପାଇଁ ‘୬୬୯’ ଫର୍ମୁଲା ଆପଣାଇବାକୁ ପରାମର୍ଶ ଦେଇଛନ୍ତି। ଜ୍ୟାକ୍ ମା’ ତାଙ୍କ କର୍ମଚାରୀମାନଙ୍କୁ ଦେଇଥିବା ‘୬୬୯’ ଫର୍ମୁଲାଟି ହେଉଛି; ‘ସପ୍ତାହରେ ୬ ଦିନ ୬ଥର ଯୌନ ସଂପର୍କ ସ୍ଥାପନ’। କର୍ମଚାରୀମାନେ ତାଙ୍କର ଏହି ଫର୍ମୁଲାକୁ ପାଳନ କଲେ କର୍ମ କ୍ଷେତ୍ରରେ ସେମାନଙ୍କର କର୍ମ ଦକ୍ଷତା ବଢ଼ିବ ବୋଲି କହିଛନ୍ତି ଜ୍ୟାକ୍ ମା’।
Sambad is now on WhatsApp
Join and get latest news updates delivered to you via WhatsApp
ଚୀନ୍ର ସର୍ବାଧିକ ପ୍ରସାରିତ ସମ୍ବାଦପତ୍ର ‘ଡେଲି ମେଲ୍’ରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ଚୀନର ସବୁଠାରୁ ଧନୀ ତଥା ଚୀନର ପ୍ରତିଷ୍ଠିତ କମ୍ପାନି ଆଲିବାବାର ପ୍ରତିଷ୍ଠାତା ୫୪ ବର୍ଷ ବୟସ୍କ ଜ୍ୟାକ୍ ମା ପ୍ରତ୍ୟେକ ବର୍ଷ ମେ’ ୧୦ ତାରିଖ କମ୍ପାନି ପକ୍ଷରୁ ମୁଖ୍ୟାଳୟ ହାଙ୍ଗଝାଉରେ ’ଅଲି ଡେ’ ପାଳନ କରନ୍ତି। ଏହି ଦିବସ ପାଳନ ଅବସରରେ ତାଙ୍କ କମ୍ପାନିର କର୍ମଚାରୀଙ୍କ ମଧ୍ୟରେ ଏକ ଗଣ ବିବାହର ଆୟୋଜନ କରିଥାନ୍ତି ଜ୍ୟାକ୍ ମା। ଚଳିତ ବର୍ଷ ଗତ ମେ’ ୧୦ ତାରିଖରେ କମ୍ପାନି ପକ୍ଷରୁ ମୁଖ୍ୟାଳୟ ହାଙ୍ଗଝାଉରେ ‘ଅଲି ଡେ’ ପାଳନ ଅବସରରେ ଆୟୋଜିତ ହୋଇଥିବା ଗଣବିବାହରେ ଯୋଗଦେଇ ଜ୍ୟାକ୍ ତାଙ୍କ କର୍ମଚାରୀମାନଙ୍କୁ ଏହି ‘୬୬୯’ ଫର୍ମୁଲା ଦେବା ସହ ନିଜ ନିଜର କର୍ମ ଦକ୍ଷତାକୁ ବଢ଼ାଇବା ପାଇଁ ଏହି ଫର୍ମୁଲାକୁ ପାଳନ କରିବା ପାଇଁ ପରାମର୍ଶ ଦେଇଥିଲେ।
ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ଗତବର୍ଷ ମେ’ ୧୦ ତାରିଖରେ ଆୟୋଜିତ ହୋଇଥିବା କମ୍ପାନିର ଅଲି ଡେ ଅବସରରେ ଆୟୋଜିତ ଗଣବିବାହରେ କର୍ମଚାରୀମାନଙ୍କୁ ‘୯୯୬’ ଫର୍ମୁଲା ଦେଇ ଉନ୍ନତ ଜୀବନଶୈଳୀ ପାଇଁ ଏହାକୁ ପାଳନ କରିବାକୁ ପରାମର୍ଶ ଦେଇଥିଲେ। ଜ୍ୟାକ୍ଙ୍କ ଦ୍ୱାରା ପ୍ରଦତ୍ତ ‘୯୯୬’ ଫର୍ମୁଲାଟି ଥିଲା; ‘ସପ୍ତାହରେ ୬ ଦିନ ସକାଳ ୯ଟାରୁ ରାତି ୯ଟା ପର୍ଯ୍ୟନ୍ତ କର୍ମକ୍ଷେତ୍ରରେ କାର୍ଯ୍ୟ କରିବା’।
ଆଲିବାବାର ପ୍ରତିଷ୍ଠାତା ଜ୍ୟାକ୍ ମା ଗତବର୍ଷ ‘୯୯୬’ ଫର୍ମୁଲା ଦେଇଥିବା ବେଳେ ଚଳିତ ବର୍ଷ ‘୬୬୯’ ଫର୍ମୁଲା ଦେଇ ଏବେ କେବଳ ଚୀନ୍ କାହିଁକି ସମଗ୍ର ବିଶ୍ୱରେ ଚର୍ଚ୍ଚିତ ହୋଇ ପଡ଼ିଛନ୍ତି। ଜ୍ୟାକ୍ଙ୍କ ଫର୍ମୁଲାକୁ ନେଇ ଆଲିବାବାର କର୍ମଚାରୀମାନେ ନିରବ ରହିଥିବା ବେଳେ ସୋସିଆଲ ମିଡିଆରେ କିନ୍ତୁ ଜ୍ୟାକ୍ ମାଙ୍କ ଏହି ଫର୍ମୁଲାକୁ ନେଇ ଜୋରଦାର ଆଲୋଚନା ଚାଲିଛି। କେତେକ ସୋସିଆଲ ମିଡିଆ ବ୍ୟବହାରକାରୀ ଜ୍ୟାକ୍ଙ୍କୁ ଖୋଲାଖୋଲି ପ୍ରଶ୍ନ ପଚାରିଛନ୍ତି, ଜଣେ ବ୍ୟକ୍ତି ‘୯୯୬’ ଫର୍ମୁଲା ପାଳନ କରି ସାରିବା ପରେ ‘୬୬୯’ ଫର୍ମୁଲା ପାଳନ ପାଇଁ ଶକ୍ତି ଆଣିବ କୁଆଡ଼ୁ?