‘ତୁମେ ମୋତେ ଖୁସି କର, ମୁଁ ବି ତୁମକୁ ଖୁସି କରିବି; ଏହା ଏକ ପ୍ରଚଳିତ ଓ ପରୀକ୍ଷିତ ପ୍ରଥା’: ଶତ୍ରୁଘ୍ନ ସିହ୍ନା

ମୁମ୍ବାଇ: ବଲିଉଡ୍‌ର ନୃତ୍ୟ ନିର୍ଦ୍ଦେଶିକା ସରୋଜ ଖାନ୍‌ ଓ କଂଗ୍ରେସର ବରିଷ୍ଠ ନେତ୍ରୀ ରେଣୁକା ଚୌଧୁରୀଙ୍କ ସହ ଆଜି ସ୍ୱର ମିଳାଇଛନ୍ତି ବରିଷ୍ଠ ଅଭିନେତାରୁ ରାଜନେତା ପାଲଟିଥିବା, ଭାରତୀୟ ଜନତା ପାର୍ଟି (ବିଜେପି)ର ସାସଂଦ ଶତ୍ରୁଘ୍ନ ସିହ୍ନା। ଶ୍ରୀ ସିହ୍ନା କହିଛନ୍ତି, ମନୋରଞ୍ଜନ ଓ ରାଜନୀତି ଦୁନିଆରେ ଯୌନ ଅନୁଗ୍ରହ ଦାବି କରିଯାଏ ଓ ଏହାକୁ ଗ୍ରହଣ ମଧ୍ୟ କରାଯାଏ। ଏହା କିଛି ନୂଆ କଥା ନୁହେଁ; କିମ୍ବା ଏଥିରେ ଆଶ୍ଚର୍ଯ୍ୟ ଚକିତ ହେବା ଭଳି କିଛି ନାହିଁ।

‘ନା ସରୋଜ ଖାନ୍‌ କିଛି ଭୁଲ୍‌ କଥା କହିଥିଲେ; ନା ରେଣୁକା ଚୌଧୁରୀ କିଛି ହେଲେ ଭୁଲ୍‌ କଥା କହିଛନ୍ତି। ମନୋରଞ୍ଜନ ଓ ରାଜନୀତି ଦୁନିଆରେ ଯୌନ ଅନୁଗ୍ରହ ଦାବି କରିଯାଏ ଓ ଏହାକୁ ଗ୍ରହଣ ମଧ୍ୟ କରାଯାଏ। ତୁମେ ମୋତେ ଖୁସି କର, ମୁଁ ବି ତୁମକୁ ଖୁସି କରାଇବି। କିଛି ପାଇବାକୁ ହେଲେ କିଛି ଦବାକୁ ହୁଏ। ଏହା ବହୁ ପୁରାତନ କାଳରୁ ପ୍ରଚଳିତ ଓ ପରୀକ୍ଷିତ ପ୍ରଥା। ଏହା କାହିଁ କେଉଁ ଅନାଦି କାଳରୁ ଚାଲି ଆସିଛି! ଏଥିରେ ଏତେ ବ୍ୟସ୍ତ ବିବ୍ରତ ହେବାର କ’ଣ ଅଛି?’ ବୋଲି ପାଲଟା ପ୍ରଶ୍ନ କରିଛନ୍ତି ଶ୍ରୀ ସିହ୍ନା।

ଏପ୍ରସଙ୍ଗରେ ସରୋଜ ଖାନ୍‌ଙ୍କୁ ସମର୍ଥନ କରି ସେ କହିଛନ୍ତି ବଲିଉଡ୍‌ ଏବଂ ବିଶେଷ କରି ନୃତ୍ୟଜଗତକୁ ସରୋଜ ଖାନ୍‌ଙ୍କ ଅବଦାନ ବହୁତ। ରେଖା, ମାଧୁରୀ ଦୀକ୍ଷିତ୍‌, ଶ୍ରୀଦେବୀଙ୍କ କ୍ୟାରିୟର ପଛରେ ତାଙ୍କ ଅବଦାନକୁ କେହି ହେଲେ ଅସ୍ୱୀକାର କରିପାରିବେ ନାହିଁ। ସେ ଆମ ସମୟର ଜଣେ ଜୀବନ୍ତ କିମ୍ବଦନ୍ତୀ। ସେ ଯେତେବେଳେ ଯାହା ବି କହନ୍ତି, ସବୁବେଳେ ହୃଦୟ ଭିତରୁ ହିଁ କହନ୍ତି ଓ ସତ ହିଁ କହିଥାନ୍ତି। ଯଦି ସେ କହିଛନ୍ତି ଯେ ବଲିଉଡରେ ଯୌନ ସାଲିସ୍‌ କରିବା ପାଇଁ ପଡ଼ୁଛି, ତେବେ ସେ ବାବଦରେ ନିଶ୍ଚିତ ରୂପେ କିଛିଟା ଜାଣିଥିବେ ବା ଧାରଣା ରଖିଥିବେ। ମୁଁ ନିଜେ ସୁଦ୍ଧା ଏହାକୁ ଅସ୍ୱୀକାର କରୁନାହିଁ। ମୁଁ ଉଭୟ ସରୋଜ ଓ ରେଣୁକାଙ୍କ ସହ ସଂପୂର୍ଣ୍ଣ ଏକମତ। ମୁଁ ନିଜେ ମଧ୍ୟ ଜାଣିଛି ଫିଲ୍ମରେ ସୁଯୋଗ ପାଇବା ନିମନ୍ତେ ଯୁବତୀମାନେ ସବୁ କି ଧରଣର ଓ କି ପ୍ରକାରର ସାଲିସ୍‌ ସବୁ କରିଥାନ୍ତି।’

‘ତେବେ, ରାଜନୀତିରେ କାଷ୍ଟିଂ- କାଉଚ୍‌ କାହାକୁ କୁହାଯାଏ, ତାହା ମୁଁ ଜାଣିନାହିଁ। ତେବେ, ନିଶ୍ଚିତ ରୂପେ ରାଜନୀତିରେ ପାଦ ଥାପିବାକୁ ଚାହୁଁଥିବା ଯୁବା ଓ ଆଶାୟୀ ବ୍ରିଗେଡ୍‌ ଯୌନ ସାଲିସ୍‌ କରିବାକୁ ଚାହୁଁଥିବେ ଓ ବରିଷ୍ଠ ବ୍ରିଗେଡ୍‌ମାନେ ତାହା ଗ୍ରହଣ କରିବାକୁ ଆଗ୍ରହୀ ଥିବେ। ତା’ ବୋଲି ମୁଁ କହୁନାହିଁ ଏହା ଠିକ୍‌। ମୁଁ କେବେ ବି କୌଣସି ପ୍ରକାରର ସାଲିସ୍‌ କରିନାହିଁ କିମ୍ବା କୌଣସି ପ୍ରକାର ସାଲିସ୍‌ର ଅଂଶବିଶେଷ ହୋଇନାହିଁ। କିନ୍ତୁ, ଆମେ ସବୁ ଘଟଣା ପ୍ରତି ଆଖିବୁଜି ଦେଇ ପାରିବା ନାହିଁ କିମ୍ବା ବାସ୍ତବତାକୁ ଅସ୍ୱୀକାର କରିପାରିବା ନାହିଁ। ଏପ୍ରସଙ୍ଗରେ ସରୋଜଜୀଙ୍କୁ ଦୋଷ ଦିଅନାହିଁ କିମ୍ବା ଦାୟୀ କର ନାହିଁ। ଏପ୍ରସଙ୍ଗରେ ଦୋଷ ଦିଅ ସେଇମାନଙ୍କୁ; ଦାୟୀ କର ସେମାନଙ୍କୁ ଯେଉଁମାନେ ଆମର ଯୁବତୀ ଓ ଯୁବକମାନଙ୍କୁ ଆଗକୁ ଯିବା କ୍ଷେତ୍ରରେ ସାଲିସ୍‌ କରିବା ପାଇଁ ବାଧ୍ୟ କରି ଦେଉଛନ୍ତି, ବୋଲି କହିଛନ୍ତି ଅଭିନେତାରୁ ରାଜନେତା ପାଲଟିଥିବା ଶତ୍ରୁଘ୍ନ ସିହ୍ନା।

ସମ୍ବନ୍ଧିତ ଖବର