ନୂଆଦିଲ୍ଲୀ: ୨୦୦୫ରେ ଘଟିଥିବା ସୋହରାବୁଦ୍ଦିନ ସେଖ୍ ‘ନକଲି ଏନ୍କାଉଣ୍ଟର’ ମାମଲାର ପୂର୍ବତନ ତଦନ୍ତକାରୀ ଅଧିକାରୀ ଅମିତାଭ ଠାକୁର ସିବିଆଇ ବିଶେଷ ଅଦାଲତରେ କେତେକ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି। ବିଜେପି ଅଧ୍ୟକ୍ଷ ଅମିତ ଶାହ ଏବଂ ଅନ୍ୟ ୪ ଜଣଙ୍କୁ ଏହି ନକଲି ଏନ୍କାଉଣ୍ଟର ଯୋଗୁଁ ରାଜନୈତିକ ଏବଂ ଆର୍ଥିକ ଫାଇଦା ମିଳିଥିଲା ବୋଲି ଠାକୁର କହିଛନ୍ତି। ‘ଦି ହିନ୍ଦୁ’ରେ ପ୍ରକାଶିତ ରିପୋର୍ଟ ମୁତାବକ ଠାକୁର ସିବିଆଇ ଅଦାଲତରେ ହାଜର ହୋଇ କହିଥିଲେ ଯେ ଅମିତ ଶାହଙ୍କ ବ୍ୟତୀତ ଗୁଜରାଟର ପୂର୍ବତନ ଆଇପିଏସ୍ ଅଧିକାରୀ ଡି ଜି ବଂଜାରା, ପୂର୍ବତନ ଏସ୍ପି ଦିନେଶ ଏମ୍ଏନ୍, ପୂର୍ବତନ ଏସ୍ପି ରାଜକୁମାର ପାଣ୍ଡିୟାନ ଓ ପୂର୍ବ ଡିସିପି ଅଭୟ ଚୂଡ଼ାସ୍ମାଙ୍କୁ ଫାଇଦା ମିଳିଥିଲା। ଅମିତ ଶାହଙ୍କୁ ପଟେଲ ଭ୍ରାତାଙ୍କ ଦ୍ବାରା ୩ଟି ପର୍ଯ୍ୟାୟରେ ୭୦ ଲକ୍ଷ ଟଙ୍କା ଦିଆଯାଇଥିଲା। ପଟେଲ ଭ୍ରାତା ହେଉଛନ୍ତି ଅହମ୍ମଦାବାଦର ପପୁଲାର ବିଲ୍ଡର୍ସର ମାଲିକ। ସେମାନଙ୍କଠାରୁ ସୋହରାବୁଦ୍ଦିନ୍ ଏବଂ ତୁଳସୀରାମ ପ୍ରଜାପତି ବଳପୂର୍ବକ ଅର୍ଥ ଦାବି କରିବା ସହ ହତ୍ୟା କରିବାକୁ ଧମକ ଦେଉଥିଲେ ବୋଲି ଠାକୁର କହିଛନ୍ତି।
ଗୁଜରାଟର ପୂର୍ବତନ ଆଇପିଏସ୍ ଅଧିକାରୀ ଡିଜି ବଂଜାରାଙ୍କୁ ମଧ୍ୟ ଏଥିରେ ଫାଇଦା ମିଳିଥିଲା କାରଣ ଏନ୍କାଉଣ୍ଟର ପାଇଁ ତାଙ୍କୁ ୬୦ ଲକ୍ଷ ଟଙ୍କା ଦିଆଯାଇଥିଲା ବୋଲି ଠାକୁର କହିଥିଲେ। ତେବେ ଯାଞ୍ଚର ସମ୍ମୁଖୀନ ହେଉଥିବା ଅନ୍ୟ କୌଣସି ପୁଲିସ ଅଧିକାରୀଙ୍କୁ ଏନ୍କାଉଣ୍ଟର ଯୋଗୁଁ ରାଜନୈତିକ କିମ୍ବା ଆର୍ଥିକ ଫାଇଦା ମିଳିନଥିଲା ବୋଲି ସେ କହିଛନ୍ତି। ଏହା ସହିତ ସୋହରାବୁଦ୍ଦିନଙ୍କ ହତ୍ୟା ପଛରେ କୌଣସି ରାଜନୈତିକ ଉଦ୍ଦେଶ୍ୟ ନଥିଲା ବୋଲି ମଧ୍ୟ ସେ କହିଛନ୍ତି। ଏହି ମାମଲାରେ ଅନ୍ୟ ପୁଲିସ ଅଧିକାରୀଙ୍କୁ ଫସାଇବାରେ ସେ କୌଣସି ଷଡ଼ଯନ୍ତ୍ରରେ ସାମିଲ ନାହାନ୍ତି ବୋଲି ମଧ୍ୟ ଠାକୁର କହିଛନ୍ତି।
ପୂର୍ବବର୍ତ୍ତୀ ଖବର
ସମ୍ବନ୍ଧିତ ଖବର