ଫୁଲ୍‌ ମାର୍କ ୩୫, ପରୀକ୍ଷାର୍ଥୀ ରଖିଲେ ୩୮; ଦ୍ୱାଦଶ ପରୀକ୍ଷାରେ ପୂରା ନମ୍ବରରୁ ବେଶୀ ମାର୍କ ରଖିଛନ୍ତି ପରୀକ୍ଷାର୍ଥୀ

ପାଟ୍‌ନା: ବିହାର ଦ୍ୱାଦଶ ପରୀକ୍ଷା ଦେଇଥିବା କିଛି ପରୀକ୍ଷାର୍ଥୀଙ୍କ ମାର୍କ ବିଷୟରେ ଜାଣିବା ପରେ ଆପଣ ଚକିତ ହୋଇଯିବେ ନିଶ୍ଚୟ। ଆଶ୍ଚର୍ଯ୍ୟ ଏଥିପାଇଁ ହେବେନି ଯେ ପରୀକ୍ଷାର୍ଥୀ ଅତି ଖରାପ ନମ୍ବର ରଖିଛନ୍ତି ବରଂ ଏଥିପାଇଁ ହେବେ ଯେ ପୂରା ନମ୍ବରରୁ ବି ବେଶି ନମ୍ବର ରଖିଥିବାର ଉଦାହରଣ ଦେଖିବାକୁ ମିଳିଛି। କେତେକ ପରୀକ୍ଷାର୍ଥୀ ଗ୍ରାଣ୍ଡ୍‌ ଟୋଟାଲ୍‌ରୁ ଅତିରିକ୍ତ ନମ୍ବର ରଖିଥିବା ଘଟଣା ଏବେ ଚର୍ଚ୍ଚା ପାଲଟିଛି।

ବିହାରର ଅରଓ୍ଵାଲ୍‌ ଜିଲ୍ଳାର ଭୀମ କୁମାର ନାମକ ଛାତ୍ର ପୂରା ମାର୍କ ୩୫ରୁ ଗଣିତରେ ସେ ୩୮ ମାର୍କ ରଖିଛନ୍ତି। ଖାଲି ସେତିକି ନୁହେଁ ଅବ୍‌ଜେକ୍ଟିଭ୍‌ କୋସ୍‌ଚିନ୍‌ରେ ବି ପୂରା ମାର୍କ ୩୫ରୁ ସେ ୩୭ ମାର୍କ ରଖିଥିବା ଚର୍ଚ୍ଚା ହୋଇଛି। ଏହା କିଛି ନୂଆ କଥା ନୁହେଁ। ରାଜ୍ୟରେ ପୂର୍ବରୁ ମଧ୍ୟ ବୋର୍ଡ ପରୀକ୍ଷାରେ ଏପରି ଘଟଣା ଘଟିଥିବାର ଦେଖିବାକୁ ମିଳିଛି ଅନେକ ଥର ବୋଲି ଛାତ୍ର ଜଣକ ମତ ରଖିଛନ୍ତି।

ସେହିପରି ସନ୍ଦୀପ ରାଜ ନାମକ ଅନ୍ୟ ଜଣେ ଛାତ୍ର ପଦାର୍ଥ ବିଜ୍ଞାନରେ ୩୫ରୁ ୩୮ ମାର୍କ ରଖିଛନ୍ତି ଓ ଏକ ଅବ୍‌ଜେକ୍ଟିଭ୍‌ ପେପର୍‌ରେ ୦ ନମ୍ବର ରଖିଛନ୍ତି। ଛାତ୍ର ଜଣକ ଏପରି ନମ୍ବରିଂକୁ ଅସମ୍ଭବ ବୋଲି କହିଛନ୍ତି।

ଏପରି କିଛି ଛାତ୍ରଛାତ୍ରୀ ଅଛନ୍ତି ଯେଉଁମାନେ କି ପରୀକ୍ଷା ଦେଇନଥିବା ବିଷୟରେ ବି ନମ୍ବର ପାଇଥିବା କଥା ଚହଳ ପକାଇଛି। ବୈଶାଳୀର ଜାହ୍ନବୀ ସିଂହ ନାମକ ଜଣେ ଛାତ୍ରୀ ଜୈବ ବିଜ୍ଞାନ ପରୀକ୍ଷା ନ ଦେଇ ମଧ୍ୟ ସେଥିରେ ସେ ୧୮ ନମ୍ବର ରଖିଛନ୍ତି। ସେହିପରି ପାଟ୍‌ନାର ସତ୍ୟ କୁମାର ନାମକ ଜଣେ ଛାତ୍ରଙ୍କ ସହ ମଧ୍ୟ ସମାନ ଘଟଣା ଘଟିଛି।

ଏଭଳି ଯତ୍ନହୀନତା ନୂଆ ନୁହେଁ, ୨ ବର୍ଷ ତଳେ ବିହାରରେ ହୋଇଥିବା ଟପ୍ପର ସ୍କାମ୍‌ କଥା ଆପଣଙ୍କର ମନେ ଥିବ ନିଶ୍ଚୟ। ପରୀକ୍ଷା ଖାତାରେ ‘ତୁଳସୀ ଦାସ ପ୍ରଣାମ’ ଲେଖିଥିବା ରୁବି ରାୟ ଟପ୍ପର ହୋଇଥିଲେ। ଯିଏକି ନିଜ ବିଷୟବସ୍ତୁକୁ ଠିକ୍‌ ଭାବେ ଉଚ୍ଚାରଣ ବି କରି ପାରୁନଥିଲେ।

ସମ୍ବନ୍ଧିତ ଖବର