ବରାରି ଗଣ ମୃତ୍ୟୁ ମାମଲା; ପୁଲିସ୍‌ର ପ୍ରାଥମିକ ଅନୁସନ୍ଧାନ ସମାପ୍ତ, ମିଳିଲା ଅନେକ ଚାଞ୍ଚଲ୍ୟକର ତଥ୍ୟ

ଏବେ ତଦନ୍ତ ଭାର ନେଲା କ୍ରାଇମ୍‌ବ୍ରାଞ୍ଚ୍‌

ନୂଆଦିଲ୍ଲୀ: ନୂଆଦିଲ୍ଲୀସ୍ଥିତ ବୁରାରି ଅଞ୍ଚଳରେ ରବିବାର ପ୍ରତ୍ୟୁଷରେ ଗୋଟାଏ ଘରୁ ୧୧ ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବା ଘଟଣାର ଇତିମଧ୍ୟରେ ପ୍ରାଥମିକ ତଦନ୍ତ ସମାପ୍ତ ହୋଇଛି। ପ୍ରାଥମିକ ତଦନ୍ତରୁ ଦିଲ୍ଳୀ ପୁଲିସ୍‌କୁ ପ୍ରାପ୍ତ ହୋଇଥିବା ସୂଚନା ମୁତାବକ ଏହା ଏକ ସୁପରିକଳ୍ପିତ ଆତ୍ମହତ୍ୟା, ଯାହାକି ଅନେକ ଦିନରୁ ଯୋଜନା ଅନ୍ତର୍ଭୁକ୍ତ। ଯଦିଓ ଶରୀର ବ୍ୟବଚ୍ଛେଦ ରିପୋର୍ଟ ଏଯାବତ୍‌ ହସ୍ତଗତ ହୋଇନାହିଁ, ତଥାପି ପୁଲିସ୍‌ର ପ୍ରାଥମିକ ଅନୁସନ୍ଧାନରୁ ଜାଣିବାକୁ ମିଳିଛି ଯେ ଏହା କୌଣସି ମତେ ହତ୍ୟା ମାମଲା ନୁହେଁ।

ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ପରିବାର ଲୋକଙ୍କ ରାତ୍ରଭୋଜନରେ ବହୁଳ ପରିମାଣର ନିଦ ବଟିକା ମିଶା ଯାଇଥିଲା। ଫଳରେ ସେମାନେ ଖାଦ୍ୟ ଗ୍ରହଣ କରିବା ପରେ ଅଚେତ ହୋଇପଡ଼ିଥିଲେ। ସନ୍ଦେହ କରାଯାଉଛି ଯେ ପ୍ରତିଭା ନାମ୍ନୀ ୬୦ ବର୍ଷୀୟା ମହିଳା କେଜେ ଜଣଙ୍କ ହାତଗୋଡ଼ ବାନ୍ଧି ତଳେ ପକାଇ ଦେବା ପରେ ନିଜେ ବେକରେ ଦଉଡ଼ି ଦେଇ ଟାଙ୍ଗି ହୋଇ ଯାଇଥିଲେ।

ପ୍ରାଥମିକ ତଦନ୍ତ ସମୟରେ ପୁଲିସ୍‌ ସେମାନଙ୍କ ଘର ସମ୍ମୁଖରେ ଲାଗିଥିବା ସିସିଟିଭି ଫୁଟେଜ୍‌ର ଯାଞ୍ଚ୍‌ କରିଥିଲା। ଫୁଟେଜ୍‌ରୁ ଜାଣିବାକୁ ମିଳିଛି ଯେ କେହି ହେଲେ ବ୍ୟକ୍ତି ବଳପୂର୍ବକ ତାଙ୍କ ଘର ଭିତରକୁ ପ୍ରବେଶ କରିନାହାନ୍ତି। ପୁଲିସ୍‌ ଆହୁରି ବି ସୂଚନା ରହିଛି ଯେ ଏକଥା କାହାକୁ ନକହିବା ପାଇଁ ତାଙ୍କ ଗୃହସହାୟକଙ୍କୁ ସେମାନେ ଧମକ ଦେଇଥିଲେ, ଫଳରେ ସେ ବାଧ୍ୟ ହୋଇଥିଲେ ଚିତ୍କାର ନ କରି ଚୁପ୍‌ ରହିବା ପାଇଁ।

ଫରେନ୍ସକ୍‌ ବିଶେଷଜ୍ଞଙ୍କର ଏକ ଦଳ ଜଣାଇଛନ୍ତି ଯେ ୧୧ ଜଣ ମୃତକଙ୍କ ପାଟିକୁ ବାନ୍ଧି ଦିଆଯାଇଥିଲା, ତେଣୁ ମୃତ୍ୟୁ ପୂର୍ବରୁ କାହାରି ବି ସ୍ୱର ବାହାରକୁ ଶୁଭି ନଥିଲା। ଏପରିକି କାଳେ କୁକୁର ଶବ୍ଦ କରିଦେବ ବୋଲି ଚିନ୍ତା କରି ଆତ୍ମହତ୍ୟା ପୂର୍ବରେ ସେମାନେ ନିଜ ପୋଷ୍ୟ କୁକୁରକୁ ନେଇ ପଡ଼ୋଶୀ ଘରେ ଛାଡ଼ି ଆସିଥିଲେ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ସେମାନେ ଆତ୍ମହତ୍ୟା ପୂର୍ବରୁ ସୁଇସାଇଡ୍‌ ନୋଟ୍‌ ଲେଖିବାକୁ ମନସ୍ଥ କରିଥିଲେ। ମାତ୍ର ପରବର୍ତ୍ତୀ ମୂହୁର୍ତ୍ତରେ ମନ ବଦଳାଇ ନୋଟ୍‌ ପାଇଁ ସଜାଡ଼ି ଥିବା ଧଳା କାଗଜ ଓ କଲମକୁ ସେଠାରେ ଖାଲି ଛାଡ଼ି ଜୀବନ ହାରି ଦେଇଛନ୍ତି।

ପ୍ରାଥମିକ ଅନୁସନ୍ଧାନ ରିପୋର୍ଟରୁ ଆହୁରି ବି ଜାଣିବାକୁ ମିଳିଛି ଯେ ପ୍ରଥମେ ଘରର ୩ ଜଣ ଆତ୍ମହତ୍ୟା ପାଇଁ ନିଷ୍ପତ୍ତି ନେଇଥିଲେ। ପରେ ସେମାନେ ପୂରା ପରିବାର ପୋଛ କରିଦେବା ପାଇଁ ମନସ୍ଥ କଲେ। ଏହି ବିରାଟ ମାମଲାର ପୁଙ୍ଖାନୁପୁଙ୍ଖ ତଦନ୍ତ ପାଇଁ ଏହାର ତଦନ୍ତ ଭାର ଏବେ ଭାରତୀୟ କ୍ରାଇମ୍‌ ବ୍ରାଞ୍ଚ୍‌କୁ ଦିଆଯାଇଛି। ମୃତକମାନଙ୍କ ମୋବାଇଲ୍‌ ଫୋନ୍‌ଗୁଡ଼ିକୁ ଜବତ କରାଯାଇଛି। ଘଟଣା ସ୍ପଷ୍ଟତା ପାଇଁ କଲ୍‌ ରେକର୍ଡ ଯାଞ୍ଚ୍‌ କରାଯିବ ବୋଲି ସୂଚନା ରହିିଛି।

ଉଲ୍ଲେଖଯୋଗ୍ୟ, ରବିବାର ସକାଳ ସମୟରେ ହଠାତ ଉତ୍ତର ଦିଲ୍ଲୀର ବୁରାରି ଅଞ୍ଚଳର ଏକ ଘର ମଧ୍ୟରୁ ୧୧ ଜଣଙ୍କ ମୃତ ଦେହ ଦେଖିବାକୁ ମିଳିଥିଲା। ମୃତକ ୧୧ ଜଣଙ୍କ ମଧ୍ୟରୁ ୭ ଜଣ ମହିଳା ଥିବା ବେଳେ ୪ ଜଣ ପୁରୁଷ। ସେଥିରେ କେତେ ଜଣ ପିଲାଙ୍କ ମୃତଶରୀର ବି ଦେଖିବାକୁ ମିଳିଥିଲା। ପଡ଼ୋଶୀମାନେ ଘଟଣା ସଂପର୍କରେ ପୁଲିସ୍‌କୁ ଖବର ଦେବା ପରେ ପୁଲିସ୍‌ ତଦନ୍ତ ଆରମ୍ଭ କରିଥିଲା।

ସମ୍ବନ୍ଧିତ ଖବର