ମହିଳା ପୁଲିସଙ୍କୁ ଚୋରି କରିବାକୁ ବାରଣ କରି ମାଡ଼ ଖାଇଲେ ସୁପରମାର୍କେଟ୍‌ କର୍ମଚାରୀ

ଚେନ୍ନାଇ: ଜଣେ ମହିଳା ପୁଲିସଙ୍କୁ ଷ୍ଟୋର୍‌ରୁ ଚୋରି କରିବାକୁ ବାରଣ କରି ଚେନ୍ନାଇ ସୁପରମାର୍କେଟ୍‌ରେ କାମ କରୁଥିବା ଜଣେ ବ୍ୟକ୍ତି ଅତି ନିର୍ମମ ଭାବେ ମାଡ଼ ଖାଇଛନ୍ତି। ବୁଧବାର ଦିନ ଚେନ୍ନାଇର ଚେଟ୍‌ପେଟ୍‌ ଅଞ୍ଚଳରେ ଘଟଣାଟି ଘଟିଛି।

ସୁପର୍‌ମାର୍କେଟ୍‌ କର୍ମଚାରୀ ପ୍ରଣବ ଦେଖିଲେ ଷ୍ଟୋର୍‌ ଭିତରେ ଫୋନ୍‌ କରୁ କରୁ ଜଣେ ମହିଳା କନେଷ୍ଟବଳ ଥାକରୁ କିଛି ଜିନିଷ ଉଠାଇ ପକେଟ୍‌ରେ ପୂରାଉଛନ୍ତି। କର୍ମଚାରୀ ଜଣକ ତାଙ୍କୁ ଚୋରି ଜିନିଷ ଫେରାଇବାକୁ କହିବା ସହ କ୍ଷମାପତ୍ରଟିଏ ଲେଖି ଦେବାକୁ କହିଲେ।

କିନ୍ତୁ, କଥା ଏଇଠି ସରିଲା ନାହିଁ। ପରିଣାମ ଭୟବହ ହେଲା।

ପରେ ପରେ ଅନ୍ୟ କିଛି ଲୋକଙ୍କ ସହ ମହିଳା ପୁଲିସଙ୍କ ସ୍ୱାମୀ ଝଡ଼ ବେଗରେ ଷ୍ଟୋର୍‌ ମଧ୍ୟକୁ ପ୍ରବେଶ କଲେ। ଷ୍ଟୋର୍‌ରୁ ଚୋରି କରିବାରୁ ମହିଳା ପୁଲିସଙ୍କୁ ବାରଣ କରିଥିବା କର୍ମଚାରୀଙ୍କୁ ଆକ୍ରମଣ କଲେ ସେମାନେ।

ଅନ୍ୟମାନେ ଧରାଧରି କରିବାରୁ ପ୍ରଣବ ବଞ୍ଚିଗଲେ। ଆହତ ପ୍ରଣବଙ୍କୁ ଚିକିତ୍ସା କରାଇବାକୁ ତୁରନ୍ତ ଡାକ୍ତରଖାନା ନିଆ ଗଲା।
ଏ ଘଟଣା ଚେନ୍ନାଇ ପୁଲିସ ପାଇଁ ଖୁବ୍‌ ଲଜ୍ଜାର କାରଣ ହୋଇଛି।

ଘଟଣାର ତଦନ୍ତ ଚାଲିଛି ବୋଲି ପୁଲିସ କହିଛି।

ସମ୍ବନ୍ଧିତ ଖବର