ସଂସଦକୁ ସୁପ୍ରିମ୍‌ କୋର୍ଟଙ୍କ ପରାମର୍ଶ: ଦାଗୀ ନେତାଙ୍କୁ ରୋକିବାକୁ ଆଇନ ହେଉ

ନୂଆଦିଲ୍ଲୀ: ରାଜନୀତିର ଅପରାଧୀକରଣ ଏବଂ ଦାଗୀ ନେତାମାନେ ନିର୍ବାଚିତ ହେବା ପ୍ରସଙ୍ଗରେ ସୁପ୍ରିମ୍‌୍‌ କୋର୍ଟ ଗତକାଲି କହିଛନ୍ତି ଯେ ଆଇନ ତିଆରି କରିବା କାମ ସଂସଦର ଏବଂ କୋର୍ଟ ଏହି ମାମଲାରେ ଲକ୍ଷ୍ମଣ ରେଖା ଅତିକ୍ରମ କରିବା ଉଚିତ ନୁହେଁ। ଗମ୍ଭୀର ଅପରାଧ ମାମଲାରେ ଅଭିଯୁକ୍ତ ନେତାମାନଙ୍କୁ ନିର୍ବାଚନ ଲଢ଼ିବାରୁ ରୋକିବା ନିମନ୍ତେ ଦାଖଲ ହୋଇଥିବା ଆବେଦନ ଉପରେ ଶୁଣାଣି କରି କୋର୍ଟ ଏଭଳି ମନ୍ତବ୍ୟ ଦେଇଛନ୍ତି। ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ତତ୍ତ୍ୱାବଧାନରେ ଗଠିତ ସମ୍ବିଧାନ ପୀଠ କହିଛନ୍ତି ଏ ବାବଦ ଆଇନ ତିଆରି କରିବା କାମ ସଂସଦର। ଅପରାଧ ପୃଷ୍ଠଭୂମି ଥିବା ନେତାଙ୍କୁ ନିର୍ବାଚନ ଲଢ଼ିବାରୁ ଦୂରେଇ ରଖିବା ନିମନ୍ତେ ଆଇନ ଆସିବା ଆବଶ୍ୟକ` ସଂସଦର କାମ ଆଇନ ତିଆରି କରିବା ଏବଂ ଆମର କାମ ଆଇନକୁ ବ୍ୟାଖ୍ୟା କରିବା। କୋର୍ଟ ଆଇନ ତିଆରି କରିପାରିବ ନାହିଁ ଏବଂ ଏହା ସଂସଦର ଅଧିକାର ପରିସରଭୁକ୍ତ ବୋଲି ଖଣ୍ଡପୀଠ କହିଛନ୍ତି। ତେବେ ଦାଗୀ ନେତାଙ୍କୁ ଉପରେ ଅଙ୍କୁଶ ଲଗାଇବା ସଂକ୍ରାନ୍ତ ଆବେଦନ ଉପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ମତ ରଖି ଏଟର୍ଣ୍ଣି ଜେନେରାଲ କେକେ ବେଣୁଗୋପାଳ କହିଥିଲେ ଯେ ଏହି ପ୍ରସଙ୍ଗ ସଂପୂର୍ଣ୍ଣ ଭାବେ ସଂସଦର ଅଧିକାର ପରିସରଭୁକ୍ତ ଥିଲେ ମଧ୍ୟ କୌଣସି ବ୍ୟକ୍ତି କୋର୍ଟ ଦ୍ୱାରା ଦଣ୍ଡିତ ନହେବା ପର୍ଯ୍ୟନ୍ତ, ତାଙ୍କୁ ଦୋଷୀ ଭାବେ ଗ୍ରହଣ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିହେବ ନାହିଁ ବୋଲି ବେଣୁଗୋପାଳ କହିଥିଲେ।

ଆଶ୍ରୟସ୍ଥଳରେ କେବେ ବନ୍ଦ ହେବ ଦୁଷ୍କର୍ମ: ସୁପ୍ରିମ୍‌ କୋର୍ଟ
ନୂଆଦିଲ୍ଲୀ: ଦେଶରେ ଏବେ ବିଭିନ୍ନ ଆଶ୍ରୟସ୍ଥଳଗୁଡ଼ିକରେ ନାବାଳିକା ଏବଂ ମହିଳାମାନେ ଦୁଷ୍କର୍ମର ଶିକାର ହେବା ଘଟଣା ନେଇ ସୁପ୍ରିମକୋର୍ଟ ଘୋର୍‌ ଉଦ୍‌ବେଗ ପ୍ରକାଶ କରିଛନ୍ତି। ଉତ୍ତରପ୍ରଦେଶ ଏବଂ ବିହାରରେ ଥିବା ଆଶ୍ରୟସ୍ଥଳ ଦୁଷ୍କର୍ମ ଘଟଣାରେ ତୀବ୍ର ଅସନ୍ତୋଷ ପ୍ରକାଶ କରି କୋର୍ଟ କହିଛନ୍ତି ମହିଳାଙ୍କ ପ୍ରତି ଦୁଷ୍କର୍ମ ଏବଂ ଶାରୀରିକ ନିର୍ଯାତନା କେବେ ବନ୍ଦ ହେବ ତାହା ସରକାର କୁହନ୍ତୁ। ସୁପ୍ରିମକୋର୍ଟରେ ବିଚାରପତି ମଦନ ବି ଲୋକୁର, ଅବଦୁଲ ନଜିର ଏବଂ ଦୀପକ ଗୁପ୍ତାଙ୍କୁ ନେଇ ଗଠିତ ଖଣ୍ଡପୀଠ ପ୍ରତାପଗଡ଼ ଆଶ୍ରୟସ୍ଥଳରୁ ୨୬ ମହିଳା ନିଖୋଜ ହୋଇଯିବା ପ୍ରସଙ୍ଗରେ ଏଭଳି ପ୍ରଶ୍ନ କରିଛନ୍ତି। ତେବେ ଆଜିର ଏହି ଶୁଣାଣି ସମୟରେ କେନ୍ଦ୍ର ସରକାରଙ୍କ ଆଇନଜୀବୀ ଉପସ୍ଥିତ ନଥିବାରୁ କୋର୍ଟ ଅସନ୍ତୋଷ ପ୍ରକାଶ କରିଥିଲେ।

ସମ୍ବନ୍ଧିତ ଖବର