କର୍ଣ୍ଣାଟକ ମାମଲା : ବିଧାନସଭାରେ ଶକ୍ତି ପରୀକ୍ଷା ସହ ଆଉ କ’ଣ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ ଜାଣନ୍ତୁ

ନୂଆଦିଲ୍ଲୀ: ଶନିବାର ଅପରାହ୍‌ଣ ୪ଟାରେ ବିଧାନସଭାରେ ସଂଖ୍ୟା ଗରିଷ୍ଠତା ପ୍ରମାଣ କରିବା ପାଇଁ ସର୍ବୋଚ୍ଚ ନ୍ୟାୟାଳୟ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି ଏସ ୟେଦୁରପ୍ପାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସୁପ୍ରିମ କୋର୍ଟର ବିଚାରପତି ଜଷ୍ଟିସ ଏ କେ ସିକ୍ରିଙ୍କ ଅଧ୍ୟକ୍ଷତାରେ ଗଠିତ ୩ ଜଣିଆ ବେଞ୍ଚ ଆଜି କର୍ଣ୍ଣାଟକ ମାମଲାରେ ଶୁଣାଣି କରି ଏହି ନିର୍ଦ୍ଦେଶ ଦେଇଛନ୍ତି।

ଶୁକ୍ରବାର ପୂର୍ବାହ୍‌ଣ ୧୦ଟା ୩୦ ମିନିଟ ସମୟରେ କର୍ଣ୍ଣାଟକ ମାମଲାର ବିଚାର କରୁଥିବା ସୁପ୍ରିମ କୋର୍ଟର ବିଚାରପତି ଜଷ୍ଟିସ ଏ କେ ସିକ୍ରିଙ୍କ ଅଧ୍ୟକ୍ଷତାରେ ଗଠିତ ସୁପ୍ରିମ କୋର୍ଟର ୩ ଜଣିଆ ବେଞ୍ଚ ମାମଲାର ଶୁଣାଣିି କରିବା ପୂର୍ବରୁ କୋର୍ଟ ପରିସର ବରିଷ୍ଠ ଆଇନଜୀବୀଙ୍କ ଭିଡରେ ଭର୍ତ୍ତି ହୋଇଯାଇଥିଲା। ଆଇନଜୀବୀ ପ୍ରଶାନ୍ତ ଭୂଷଣ, ଆଇନଜୀବୀ ଅଭିଷେକ ମନୁ ସିଙ୍ଗଭି, ଆଇନଜୀବୀ ରାମ ଜେଠାମାଳିନୀ ଓ ଆଇନଜୀବୀ ମୁକୁଲ ରୋହତଗୀ ପ୍ରମୁଖ ମାମଲାର ଶୁଣାଣିରେ ଅଂଶ ନେବା କୋର୍ଟ ପରିସରରେ ଉପସ୍ଥିତ ରହିଥିଲେ। ଉଭୟ ପକ୍ଷରୁ ଯୁକ୍ତି ଶୁଣିବା ପରେ ଜଷ୍ଟିସ ଏ କେ ସିକ୍ରି ନିର୍ଦ୍ଦେଶ ଦେଇଥିଲେ ଯେ ଆସନ୍ତା ଶନିବାର ଅପରାହ୍ଣ ୪ଟା ସୁଦ୍ଧା ମୁଖ୍ୟମନ୍ତ୍ରୀ ୟେଦୁରପ୍ପା ବିଧାନସଭାରେ ଶକ୍ତି ପ୍ରଦର୍ଶନ କରିବେ।

ଏହା ସହିତ ଜଷ୍ଟିସ ସିକ୍ରି ଆହୁରି ମଧ୍ୟ କହିଥିଲେ ଯେ  ପ୍ରଥମତଃ ପ୍ରୋଟେମ ସ୍ପିକରଙ୍କ ଅଧ୍ୟକ୍ଷତାରେ ବିଧାନସଭାରେ ଶକ୍ତି ପରୀକ୍ଷା କରାଯିବ।
ଦ୍ୱିତୀୟରେ ସମସ୍ତ ବିଧାୟକଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ସୁପ୍ରିମ କୋର୍ଟ କର୍ଣ୍ଣାଟକ ପୁଲିସ ମହାନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ଗତକାଲି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ୟେଦୁରପ୍ପା ଯେପରି ଗୋଟିଏ ପରେ ଗୋଟିଏ ନିଷ୍ପତ୍ତି ନେଉଥିଲେ ତାହା ଉପରେ ରୋକ ଲଗାଇ ସୁପ୍ରିମ କୋର୍ଟ କହିଛନ୍ତି ଯେ ବିଧାନସଭାରେ ବହୁମତ ସାବ୍ୟସ୍ତ ହେବ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ୟାଦୁରପ୍ପା କୌଣସି ବଡ ନୀତିଗତ ନିଷ୍ପତ୍ତି ନେଇ ପାରିବେ ନାହିଁ।

ସେହିପରି ବିଧାନସଭାରେ ଜଣେ ଆଙ୍ଗ୍ଲୋ ଇଣ୍ଡିଆନ ସଦସ୍ୟଙ୍କୁ ସାମିଲ କରିବା ପାଇଁ ୟେଦୁରପ୍ପା ଯେଇଁ ପ୍ରସ୍ତାବ ରାଜଭବନକୁ ପଠାଇଛନ୍ତି ତାକୁ କାର୍ଯ୍ୟକାରୀ ନ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଅର୍ଥାତ ବହୁମତ ସାବ୍ୟସ୍ତ ନ ହେଲା ପର୍ଯ୍ୟନ୍ତ କୌଣସି ମନୋନୀତ ସଦସ୍ୟଙ୍କୁ ବିଧାନସଭାରେ ସାମିଲ କରିବା ଉପରେ କୋର୍ଟ ରୋକ ଲଗାଇଛନ୍ତି।

ସମ୍ବନ୍ଧିତ ଖବର