ସୁରଟରେ ୭୦ ଇଭିଏମ୍‌ ବଦଳାଗଲା

ଅହମଦାବାଦ: ଗୁଜରାଟ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ଆଜି ୮୯ ଆସନରେ ଭୋଟ୍‌ ଗ୍ରହଣ ପ୍ରକ୍ରିୟା ଶାନ୍ତିପୂର୍ଣ୍ଣ ରହିଥିବା ବେଳେ ଶତାଧିକ ସ୍ଥାନରେ ଇଭିଏମ୍‌୍‌ ତ୍ରୁଟି ଯୋଗୁଁ ବିଶୃଙ୍ଖଳା ଉପୁଜିଥିଲା। ତେବେ ତୁରନ୍ତ ନୂଆ ଇଭିଏମ ଲଗାଇ ଭୋଟ୍‌ ଗ୍ରହଣ ପ୍ରକ୍ରିୟାକୁ ସ୍ୱାଭାବିକ କରାଯାଇଥିଲା। ସୁରଟରେ ସର୍ବାଧିକ ୭୦ଟି ଇଭିଏମ୍‌ ତ୍ରୁଟିପୂର୍ଣ୍ଣ ଥିବା ଜଣାପଡ଼ିବା ପରେ ଏହାକୁ ବଦଳା ଯାଇଥିଲା। ଆଜି ସମସ୍ତ ମତଦାନ କେନ୍ଦ୍ରରେ ଇଭିଏମ୍‌ ସହ ଭିଭିପିଏଟି (ଭୋଟର୍‌ ଭେରିଫାଏଡ ପେପର ଅଡିଟ୍‌ ଟ୍ରାଏଲ) ମେସିନ ରାଜ୍ୟରେ ପ୍ରଥମ ଥର ପାଇଁ ବ୍ୟବହାର କରାଯାଇଥିଲା। ଗୋଆ ପରେ ଗୁଜରାଟ ହେଉଛି ଦ୍ୱିତୀୟ ରାଜ୍ୟ ଯେଉଁଠି ସମସ୍ତ ୫୦,୧୨୮ ବୁଥ୍‌ରେ ଭିଭିପିଏଟି ମେସିନ୍‌ ବ୍ୟବହାର କରାଯାଉଛି। ଆଜି ମତଦାନ ପରେ ବିଜେପି ପଞ୍ଚମ ଥର ଲାଗି ରାଜ୍ୟରେ କ୍ଷମତାକୁ ଆସିବ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛି। ଅନ୍ୟପକ୍ଷରେ ୨୨ ବର୍ଷର ବିଜେପି ଶାସନକୁ ଲୋକେ ଆଉ ଗ୍ରହଣ ନକରି କଂଗ୍ରେସକୁ ଭୋଟ୍‌ ଦେଇଛନ୍ତି ବୋଲି ଦଳର ବରିଷ୍ଠ ନେତାମାନେ କହିଛନ୍ତି।

ଚଳିତ ଗୁଜରାଟ ନିର୍ବାଚନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ପ୍ରତିଷ୍ଠାର ପ୍ରଶ୍ନ ହୋଇଥିବା ବେଳେ ଖୁବ୍‌ଶୀଘ୍ର କଂଗ୍ରେସର ଅଧ୍ୟକ୍ଷ ପଦ ଗ୍ରହଣ କରିବାକୁ ଯାଉଥିବା ରାହୁଲ ଗାନ୍ଧୀଙ୍କ ନେତୃତ୍ୱ ପାଇଁ ମଧ୍ୟ ଏକ ବଡ଼ ପରୀକ୍ଷା । ମୋଦି ପ୍ରଧାନମନ୍ତ୍ରୀ ହେବା ପରେ ବିଜେପିକୁ ୧୨ଟି ରାଜ୍ୟରେ ବିଜୟ ମିଳିଥିବା ବେଳେ ଏବେ ସବୁଠାରୁ ବଡ଼ ପରୀକ୍ଷା ଏହି ନିର୍ବାଚନରେ ହେଉଛି । ଏହି ନିର୍ବାଚନ ଜିଏସ୍‌୍‌ଟି ଏବଂ ଗୁଜରାଟ ମଡେଲର ଭାଗ୍ୟ ନିର୍ଦ୍ଧାରଣ କରିବ ବୋଲି ମଧ୍ୟ କୁହାଯାଉଛି ।

ଇଭିଏମ୍‌ରେ ଜାଲିଆତି ଅଭିଯୋଗ, ନିର୍ବାଚନ କମିସନଙ୍କ ତଦନ୍ତ ନିର୍ଦ୍ଦେଶ

ଗୁଜରାଟରେ ଆଜି ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ଇଭିଏମ୍‌ରେ ହେରଫେର ହୋଇଛି ବୋଲି କଂଗ୍ରେସ ଅଭିଯୋଗ ଆଣିଛି। ପୋରବନ୍ଦରର ୩ଟି ମତଦାନ କେନ୍ଦ୍ରରେ ବ୍ୟବହାର ହୋଇଥିବା ଇଭିଏମ୍‌କୁ ବ୍ଲୁଟୁଥ୍‌ ସହ ସଂଯୋଗ କରାଯାଇଛି ବୋଲି ବରିଷ୍ଠ କଂଗ୍ରେସ ନେତା ଅର୍ଜୁନ ମୋଧଓ୍ଵାଡିଆ ଅଭିଯୋଗ କରିଥିଲେ। ଇଭିଏମ୍‌କୁ ବ୍ଲୁଟୁଥ୍‌ ସହ ସଂଯୋଗ କରି ଅତି ସହଜରେ ଏଥିରେ ଜାଲିଆତି ହୋଇପାରିବ ବୋଲି ସେ କହିଥିଲେ। ଅର୍ଜୁନଙ୍କ ଅଭିଯୋଗକ୍ରମେ ନିର୍ବାଚନ କମିସନ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ତଦନ୍ତରୁ ଜଣାଯାଇଛି ଯେ ବ୍ଲୁଟୁଥ୍‌ େଓ୍ଵଭ୍‌ ଇଭିଏମ୍‌ରୁ ଆସିନାହିିଁ ବରଂ ମତଦାନ କେନ୍ଦ୍ରରେ ବସିଥିବା ନିର୍ବାଚନ କର୍ମୀଙ୍କ ମୋବାଇଲ ଫୋନ୍‌ରୁ ଆସିଛି। ଅନ୍ୟପକ୍ଷରେ ଇଭିଏମ୍‌ରେ ତ୍ରୁଟି ଦେଖାଇବା କଂଗ୍ରେସର ପୁରୁଣା ଅଭ୍ୟାସ ବୋଲି ବିଜେପି କହିଛି। କଂଗ୍ରେସ ନିର୍ବାଚନର ଫଳାଫଳ କ’ଣ ହେବ ଭଲଭାବେ ଜାଣିଥିବାରୁ ସେଥିଲାଗି ଇଭିଏମ୍‌କୁ ଦୋଷଦେବା ଆରମ୍ଭ କରିସାରିଛି ବୋଲି ରାଜ୍ୟ ବିଜେପି ପ୍ରବକ୍ତା କହିଛନ୍ତି।

ସମ୍ବନ୍ଧିତ ଖବର