ହାର୍ଦ୍ଦିକଙ୍କୁ ଝଟ୍‌କା: ଦୁଇ ଘନିଷ୍ଠ ସହଯୋଗୀ ବିଜେପିରେ ସାମିଲ

ଅହମଦାବାଦ: ଗୁଜରାଟରେ ପଟିଦାର ଆନ୍ଦୋଳନର ଟାଣୁଆ ନେତା ହାର୍ଦ୍ଦିକ ପଟେଲଙ୍କୁ ଆଜି ଜୋର୍‌ଦାର ଝଟ୍‌୍‌କା ଲାଗିଛି। ପଟେଲ ଆନ୍ଦୋଳନର ଅନ୍ୟତମ ଦୁଇ ପୁରୋଧା ତଥା ହାର୍ଦ୍ଦିକଙ୍କ ଘନିଷ୍ଠ ସହଯୋଗୀ ବରୁଣ ପଟେଲ ଏବଂ ରେଶମା ପଟେଲ ଆଜି ବିଜେପିରେ ଯୋଗ ଦେଇଛନ୍ତି। ନିର୍ବାଚନ ପୂର୍ବରୁ ଦୁଇ ପଟିଦାର ନେତାଙ୍କ ହଠାତ ପଟ୍ଟ ପରିବର୍ତ୍ତନ ବିଜେପିର ସ୍ଥିତିକୁ ଆହୁରି ମଜବୁତ କରିବ ବୋଲି କୁହାଯାଉଛି । ବରୁଣ ଓ ରେଶମା କହିଛନ୍ତି ଯେ କଂଗ୍ରେସ ପଟିଦାର ଆନ୍ଦୋଳନରୁ ଫାଇଦା ଉଠାଇ ନିର୍ବାଚନ ବୈତରଣୀ ପାର ହେବାକୁ ଯୋଜନା କରିଛି। ପଟିଦାର ସମାଜର ଆନ୍ଦୋଳନ କଂଗ୍ରେସକୁ ବିଜୟୀ କରିବା ପାଇଁ ହୋଇନଥିଲା ବୋଲି ସେମାନେ କହିଛନ୍ତି। ବିଜେପି ସରକାର ପଟିଦାରଙ୍କ ଦାବି ପୂରଣ ପାଇଁ ପ୍ରତିଶ୍ରୁତି ଦେଇଥିବାରୁ ଏହାକୁ ସମ୍ମାନ ଦେଇ ସେମାନେ ବିଜେପିରେ ସାମିଲ ହୋଇଥିବା କହିଛନ୍ତି। ହାର୍ଦ୍ଦିକ ପଟେଲ କଂଗ୍ରେସ ଏଜେଣ୍ଟ ଭଳି କାମ କରୁଥିବାରୁ ଏହା ବିରୋଧରେ ପ୍ରବଳ ଅସନ୍ତୋଷ ଲାଗି ରହିଛି ବୋଲି ବରୁଣ କହିଛନ୍ତି। ପଟିଦାର ଅନାମତ ଆନ୍ଦୋଳନ ସମିତି (ପିଏଏଏସ୍‌)ର ଏହି ଦୁଇ ଟାଣୁଆ ନେତା ବିଜେପିରେ ସାମିଲ ହୋଇଥିବାରୁ ନିର୍ବାଚନରେ ବଡ଼ ଧରଣର ଭୋଟ୍‌ ବିଭାଜନ ହେବା ସ୍ପଷ୍ଟ ହୋଇଯାଇଛି ।

ସମ୍ବନ୍ଧିତ ଖବର