ମାତ୍ର ୫ ମିନିଟରେ ଫୁଲ ଚାର୍ଜ ହେବ ଇଲେକ୍ଟ୍ରିକ୍ ବସର ବ୍ୟାଟେରୀ
ଜେନିଭା : ଆଜିକାଲି ଇଲେକଟ୍ରିକ ଗାଡି ଉପରେ ଅନେକ କମ୍ପାନି ଯୁଦ୍ଧସ୍ତରରେ ଗବେଷଣା କରୁଛନ୍ତିି । କାରଣ ଭବିଷ୍ୟତରେ କେବଳ ଇଲେକଟ୍ରିକ୍ ଗାଡି ହିଁ ଚାଲିବ । ପରିବେଶ ପ୍ରଦୂଷଣ ଓ ପାରମ୍ପରିକ ଇନ୍ଧନର ସୀମିତତା ଯୋଗୁଁ ଭବିଷ୍ୟତରେ ଇଲେକଟ୍ରିକ୍ ଅଥବା ସୋଲାର ଗାଡି ଚଳାଇବା ଛଡା ଅନ୍ୟ ଉପାୟ ନାହିଁ । କିନ୍ତୁ ଇଲେକଟ୍ରିକ ଗାଡିର ଏକ ବଡ଼ ସମସ୍ୟା ହେଲା ସେଗୁଡିକର ଲମ୍ବା ଚାର୍ଜି ସମୟ । ଅଳ୍ପ କିଛି କିଲୋମିଟର ଯିବା ପାଇଁ ଘଣ୍ଟା ଘଣ୍ଟା ଚାର୍ଜିଂ କରିବାକୁ ପଡେ ।
ଏବେ ଏହି ସମସ୍ୟାର ସମାଧାନ ନେଇ ଆସିଛି ସ୍ୱିଜରଲାଣ୍ଡର ଏକ କମ୍ପାନି ଏବିବି ଲିମିଟେଡ୍ । ଏହି କମ୍ପାନି ପକ୍ଷରୁ ଏପରି ଏକ ଚାର୍ଜିଂ ଟେକନଲୋଜୀର ବିକାଶ କରାଯାଇଛି, ଯାହାକି ମାତ୍ର ୨୦ ସେକେଣ୍ଡରେ ବସକୁ ଚାର୍ଜ କରିଦିଏ । ପୁଣି ମାତ୍ର ୫ ମିନିଟ୍ ଚାର୍ଜ କଲେ ଗୋଟିଏ ବସ୍ ଫୁଲ ଚାର୍ଜ ହୋଇଯିବ । କମ୍ପାନି ତରଫରୁ ଜେନିଭା ରୁଟ୍ରେ ଏହି ଟେକନଲୋଜୀ ଲାଗିଥିବା ବସ୍ଗୁଡିକର ପରୀକ୍ଷା କରାଯାଉଛି ।
Sambad is now on WhatsApp
Join and get latest news updates delivered to you via WhatsApp
ବିଶ୍ୱରେ ଏବେ ପରିବେଶ ପ୍ରଦୂଷଣ ଏକ ବଡ଼ ସମସ୍ୟାଭାବେ ଦେଖାଦେଲାଣି । ଜଳବାୟୁ ପରିବର୍ତ୍ତନ ଯୋଗୁଁ ମନୁଷ୍ୟ ସମେତ ସାରା ଜୀବଜଗତର ସ୍ଥିତି ପ୍ରତି ବିପଦ ଦେଖାଦେଇଛି । ଏଣୁ ପରିବେଶର ସୁରକ୍ଷା ପାଇଁ ଏବେ ଠାରୁ ପଦକ୍ଷେପ ନିଆଯାଉଛି । ଏସବୁ ପଦକ୍ଷେପ ମଧ୍ୟରେ ଏକ ବଡ଼ ପଦକ୍ଷେପ ହେଉଛି ଜୀବାଶ୍ମ ଇନ୍ଧନ (ପେଟ୍ରୋଲିୟମ, କୋଇଲା ଆଦି)ର କମ ବ୍ୟବହାର । ବିଶେଷକରି ପେଟ୍ରୋଲ ଡିଜେଲ ଗାଡି ବଦଳରେ ଇଲେକଟ୍ରିକ୍ ଗାଡ଼ି ବ୍ୟବହାର ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି । ଅନେକ ଦେଶ ଏବେ ଇଲେକଟ୍ରିକ ଗାଡି ବ୍ୟବହାର ପାଇଁ ନୀତି ନିୟମ ପ୍ରସ୍ତୁତ କରୁଛନ୍ତି । ଭାରତ ସରକାର ମଧ୍ୟ ଆସନ୍ତା ୨୦୩୦ ସୁଦ୍ଧା କେବଳ ଇଲେକ୍ଟ୍ରିକ ଗାଡ଼ି ଚଳାଇବାକୁ ଲକ୍ଷ୍ୟ ରଖିଛନ୍ତି ।
ତେବେ ଆଜି କାଲି ଚାଲିଥିବା ଇଲେକଟ୍ରିକ୍ ଗାଡ଼ିଗୁଡିକର ଏକ ବଡ଼ ସମସ୍ୟା ହେଲା ସେଗୁଡିକର ଦୂର୍ବଳ ବ୍ୟାଟେରୀ ଓ ଲମ୍ବା ଚାର୍ଜି ସମୟ । ଯଦି ଚାର୍ଜି ସମୟ କମିଯାଏ ତେବେ ବଜାରରେ ଇଲେକଟ୍ରିକ୍ ଗାଡିର ପ୍ରସାର ଅଧିକ ସୁଗମ ହେବ ।