ଆରମ୍ଭ ହେଲା ‘୨୦୧୯ ନିର୍ବାଚନ’ ଶେଷ ଅଙ୍କର ପ୍ରଦର୍ଶନ; ପ୍ରମାଣିତ ହୋଇଯିବ କିଏ ଠିକ୍‌ କିଏ ଭୁଲ୍‌; ଏକ୍‌ଜିଟ୍‌ ପୋଲ ନା ବିରୋଧୀ ନେତା…

ମଝିରେ ମାତ୍ର କିଛି ସମୟର ବ୍ୟବଧାନ...

ଭୁବନେଶ୍ୱର (ପୁଷ୍ପମିତ୍ର ମହାନ୍ତି): ବହୁ ଆଲୋଚିତ ଓ ବହୁ ପର୍ଯ୍ୟାଲୋଚିତ ୨୦୧୯ ଲୋକସଭା ନିର୍ବାଚନର ଶେଷ ଅଙ୍କ ଆଜି (ଗୁରୁବାର) ଅଭିନୀତ ହେବାକୁ ଯାଉଛି। ଆଉ ମାତ୍ର କିଛି ମୁହୂର୍ତ୍ତର ଅପେକ୍ଷା ପରେ ଦୀର୍ଘ ପ୍ରତୀକ୍ଷାର ଅନ୍ତ ହେବା ସହ ଆରମ୍ଭ ହୋଇଯିବ ଶେଷ ଅଙ୍କର ପ୍ରଦର୍ଶନ। ତେବେ, ଶେଷ ଅଙ୍କର ଯବନିକା ପତନ ବେଳକୁ କ’ଣ ରହିଥିବ ଦୃଶ୍ୟ, କ’ଣ ରହଥିବ ଦେଶର ରାଜନୈତିକ ଦୃଶ୍ୟପଟ୍ଟ; ତାହା ଏବେବି ସମସ୍ତଙ୍କୁ ଅଜଣା! ଏହାକୁ କେନ୍ଦ୍ର କରି ଅନେକଙ୍କ ମଧ୍ୟରେ ଏବେବି ଅନେକ ପ୍ରଶ୍ନବାଚୀ ଓ ଉତ୍କଣ୍ଠା! ବୋଧହୁଏ, ଏଇ ଗୋଟିଏ କାରଣରୁ ୨୦୧୯ ଲୋକସଭା ନିର୍ବାଚନର ପ୍ରଥମ ଅଙ୍କ ଆରମ୍ଭ ପୂର୍ବରୁ ଫଳାଫଳକୁ ନେଇ ଯେଉଁ କଳ୍ପନା ଜଳ୍ପନାର ଆରମ୍ଭ ହୋଇଥିଲା, ତାହା ଅଦ୍ୟାବଧି ଶେଷ ହୋଇ ପାରିନାହିଁ। ଏବେ ବି ରହିଛି ଉତ୍କଣ୍ଠାପୂର୍ଣ୍ଣ। ସେଥିପାଇଁ ସମସ୍ତଙ୍କ ଅପେକ୍ଷା ଶେଷ ଅଙ୍କର ଶେଷ ଫଳାଫଳ ଜାଣିବାକୁ! ଯାହାର ପ୍ରକ୍ରିୟା ଆରମ୍ଭ ହୋଇଯିବ ଆଉ ମାତ୍ର କିଛି ମୁହୂର୍ତ୍ତ ପରେ।

ଉଲ୍ଲେଖଯୋଗ୍ୟ, ୨୦୧୯ ନିର୍ବାଚନର ବହୁ ପୂର୍ବରୁ କେବଳ ଜାତୀୟ ନୁହେଁ ବରଂ ଅନ୍ତର୍ଜାତୀୟ ଗଣମାଧ୍ୟମମାନଙ୍କରେ ମଧ୍ୟ ଏହାକୁ ନେଇ କିଛି କମ୍‌ ଚର୍ଚ୍ଚା ଓ ଆଲୋଚନା ହୋଇନାହିଁ। ସମସ୍ତେ ଅବଶ୍ୟ ଏକମତ ହୋଇଥିଲେ ଯେ ସ୍ୱାଧୀନତା ପରବର୍ତ୍ତୀ ସମୟ ଠାରୁ ଅଦ୍ୟାବଧି ସ୍ୱାଧୀନ ଭାରତରେ ଅନୁଷ୍ଠିତ ହୋଇ ଆସିଥିବା ସମସ୍ତ ନିର୍ବାଚନମାନଙ୍କ ମଧ୍ୟରୁ ୨୦୧୯ ସାଧାରଣ ନିର୍ବାଚନ ହେବ ଅସାଧାରଣ ଓ ସ୍ୱତନ୍ତ୍ର! ଏହା ବିଶ୍ୱର ସବୁଠାରୁ ବ୍ୟୟବହୁଳ ନିର୍ବାଚନ ହେବ, ଏଥିରେ କଳାଧନର ବ୍ୟାପକ ପ୍ରୟୋଗ ବା ଅପପ୍ରୟୋଗ ହେବ, ନିର୍ବାଚନୀ ପ୍ରଚାର ଓ ନିର୍ବାଚନୀ ହିଂସା ସମସ୍ତ ପ୍ରକାରର ସୀମା ସରହଦକୁ ଲଂଘନ କରିବ, ଆଦର୍ଶ ନିର୍ବାଚନୀ ଆଚରଣ ବିଧିର ଖୋଲା ଉଲ୍ଲଂଘନ ହେବ, ଶାଳୀନତାର ସମସ୍ତ ପ୍ରକାରର ସୀମା ସରହଦ୍‌ ଲଂଘନ କରିବେ ରାଜନେତା, ବାହୁବଳ ଓ ଅର୍ଥବଳର ବ୍ୟାପକ ପ୍ରୟୋଗ ବା ଅପପ୍ରୟୋଗ ହେବ ଏହି ନିର୍ବାଚନରେ… ଇତ୍ୟାଦି… ଇତ୍ୟାଦି! ଏସବୁର କେବଳ ଝଲକ୍‌ କାହିଁକି ପୂରା ଚିତ୍ର ଦେଖିବାକୁ ପାଇଛନ୍ତି ଦେଶବାସୀ ୨୦୧୯ ସାଧାରଣ ନିର୍ବାଚନରେ।

ଏହି ପରିପ୍ରେକ୍ଷୀରେ ୨୦୧୯ ନିର୍ବାଚନର ଶେଷ ଅଙ୍କର ଅଭିନୟ ଆରମ୍ଭ ହେବା ପୂର୍ବରୁ ଗତ ୧୯ ତାରଖ ରବିବାର ସନ୍ଧ୍ୟାରେ ସପ୍ତମ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ ମତଦାନ ଶେଷ ହେବାପରେ ଦେଶର ବିଭିନ୍ନ ଗଣମାଧ୍ୟମ ସଂସ୍ଥା, ଏକାଧିକ ସର୍ଭେ ସଂସ୍ଥା ସହ ମିଶି ଯେଉଁ ଏକ୍‌ଜିଟ୍‌ ପୋଲ ସର୍ଭେ କଲେ ଓ ସର୍ଭେ ଆଧାରରେ ଯେଉଁ ସମ୍ଭାବ୍ୟ ନିର୍ବାଚନୀ ଫଳାଫଳ ପ୍ରକାଶ କଲେ ତାହା ମଧ୍ୟ ସର୍ବଗ୍ରାହୀ ହେଲାନାହିଁ। ବରଂ ଅଧିକ ମାତ୍ରାରେ ବିବାଦୀୟ ହୋଇପଡ଼ିଲା! ପ୍ରାୟ, ସମସ୍ତ ଏକ୍‌ଜିଟ୍‌ ପୋଲ ସର୍ଭେ କେନ୍ଦ୍ରରେ ବିଜେପି ନେତୃତ୍ୱାଧୀନ ଏନ୍‌ଡିଏ ସରକାର କ୍ଷମତାସୀନ ହେବା ସହ ନରେନ୍ଦ୍ର ମୋଦି ଆଉଥରେ ପ୍ରଧାନମନ୍ତ୍ରୀ ଗାଦି ଅକ୍ତିଆର କରିବେ ବୋଲି ଭବିଷ୍ୟବାଣୀ କରିଥିଲେ ସୁଦ୍ଧା ଏବାବଦରେ ନା ବିଜେପି ନା ଏନ୍‌ଡିଏ ନା ନରେନ୍ଦ୍ର ମୋଦି କୌଣସି ଟିପ୍ପଣି ଦେଲେ ନା କୌଣସି ପ୍ରତିକ୍ରିୟା ରଖିଲେ; ହେଲେ ଅପର ପକ୍ଷରେ ଏହି ଏକ୍‌ଜିଟ୍‌ ପୋଲ ରିପୋର୍ଟକୁ ମିଥ୍ୟା ଓ ଗାଲୁ ବୋଲି କହିଲେ ରାହୁଲ ଗାନ୍ଧୀ, ମମତା ବାନାର୍ଜୀ, ଅରବିନ୍ଦ କେଜ୍ରିଓ୍ଵାଲ, ଶରଦ ପାଓ୍ଵାର, ଅଖିଲେଶ ଯାଦବ, ମାୟାବତୀ, ପ୍ରିୟଙ୍କା ଭଦ୍ରା ଗାନ୍ଧୀଙ୍କ ଠାରୁ ଆରମ୍ଭ କରି ଚନ୍ଦ୍ରବାବୁ ନାଇଡ଼ୁଙ୍କ ପରି ଦିଗ୍ଗଜ ନେତୃବୃନ୍ଦ।

ତେବେ, ଏ ପରିପ୍ରେକ୍ଷୀରେ କିଏ ଠିକ୍‌??? ଏକ୍‌ଜିଟ୍‌ ପୋଲ ସର୍ଭେ ନା ବିରୋଧୀ ଦଳର ନେତା; ତାହା ଆଉ ମାତ୍ର କିଛି ମୁହୂର୍ତ୍ତର ବ୍ୟବଧାନ ପରେ, ୨୦୧୯ ସାଧାରଣ ନିର୍ବାଚନର ଶେଷଅଙ୍କର ଅଭିନୟ ଆରମ୍ଭ ସହ ଇଭିଏମ୍‌ ଓ ଭିଭିପାଟ୍‌ ମେସିନ୍‌ ମଧ୍ୟରେ ବନ୍ଦ ଥିବା ଭୋଟ ଗଣତିର ଆରମ୍ଭ ସହ ସ୍ପଷ୍ଟ ହେବାକୁ ଆରମ୍ଭ କରିବ। ସେଥିପାଇଁ, ଆପଣମାନଙ୍କୁ ଅନୁରୋଧ ଆମ ସହ ରହନ୍ତୁ ଓ ଶେଷ ଫଳାଫଳକୁ ଦେଖନ୍ତୁ… କାରଣ ‘ଭାଗବତ’ରେ ବି ଉଲ୍ଲେଖ ରହିଛି ଯାହା ନ ଦେଖିବ ନିଜ ନିୟନେ…

ସମ୍ବନ୍ଧିତ ଖବର