ଶପଥ ନେଲେ ପ୍ରଶାନ୍ତ, ସୌମ୍ୟରଞ୍ଜନ, ଅଚ୍ୟୁତ

ନୂଆଦିଲ୍ଲୀ : ଓଡ଼ିଶାରୁ ରାଜ୍ୟସଭାକୁ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଥିବା ବିଜୁ ଜନତା ଦଳର ୩ ଜଣ ସାଂସଦ ପ୍ରଶାନ୍ତ ନନ୍ଦ, ସୌମ୍ୟରଞ୍ଜନ ପଟ୍ଟନାୟକ ଓ ଅଚ୍ୟୁତ ସାମନ୍ତ ଆଜି ପୂର୍ବାହ୍ନ ୧୧ଟାରେ ରାଜ୍ୟସଭା ସଦସ୍ୟ ଭାପେ ଶପଥ ଗ୍ରହଣ କରିଛନ୍ତି। ତିନି ଜଣ ସାଂସଦ ଓଡ଼ିଆରେ ଶପଥ ନେଇଥିଲେ। ଆଜି ରାଜ୍ୟସଭା କାର୍ଯ୍ୟକାଳ ଆରମ୍ଭ ହେବାପରେ ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ଏମ୍‌ ଭେଙ୍କୟା ନାଇଡ଼ୁ ନୂତନ ସଭ୍ୟମାନଙ୍କୁ ଶପଥ ପାଠ କରାଇଥିଲେ। ପ୍ରଥମେ କର୍ଣ୍ଣାଟକର ଦୁଇଜଣ ସଦସ୍ୟ କନ୍ନଡ଼ ଭାଷାରେ ଶପଥ ନେବାପରେ ଓଡ଼ିଶାର ତିନିିଜଣ ସାଂସଦ ଓଡ଼ିଆରେ ଶପଥ ଗ୍ରହଣ କରିଥିଲେ। ଓଡ଼ିଆରେ ଓଡ଼ିଶାର ରାଜ୍ୟସଭା ସଦସ୍ୟମାନେ ଶପଥ ନେବାବେଳେ ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ଶ୍ରୀ ନାଇଡ଼ୁ ‘ଓଡ଼ିଆ ବଢ଼ିଆ’ କହିବା ସହ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ଅଭିନନ୍ଦନ ଜଣାଇଥିଲେ। ଆଜି ସମୁଦାୟ ୧୨ ଜଣ ନବନିର୍ବାଚିତ ରାଜ୍ୟସଭା ସଦସ୍ୟଭାବେ ଶପଥ ନେଇଥିଲେ। ଅନ୍ୟ ବିଶିଷ୍ଟ ବ୍ୟକ୍ତିମାନଙ୍କ ମଧ୍ୟରେ ସମାଜବାଦୀ ପାର୍ଟିର ଜୟା ବଚ୍ଚନ ଓ ବିଜେପିର ଭୂପେନ୍ଦ୍ର ଯାଦବ ରାଜ୍ୟସଭା ସଦସ୍ୟଭାବେ ଶପଥ ଗ୍ରହଣ କରିଥିଲେ। ଉତ୍ତରପ୍ରଦେଶରୁ ରାଜ୍ୟସଭା ପାଇଁ ନିର୍ବାଚିତ ହୋଇଥିବା କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲି ଆଜି ମଧ୍ୟ ଶପଥ ନେଇ ପାରିନଥିଲେ।

ଆଜି ଶପଥ ଗ୍ରହଣ କରିଥିବା ସମସ୍ତ ରାଜ୍ୟସଭା ସଦସ୍ୟ ଅଧ୍ୟକ୍ଷ ଏମ୍‌ ଭେଙ୍କୟା ନାଇଡ଼ୁଙ୍କ ଆସନ ପାଖକୁ ଯାଇ କରମର୍ଦ୍ଦନ କରିଥିଲେ ଏବଂ ତା’ପରେ ମେମ୍ବର୍ସ ରେଜିଷ୍ଟ୍ରାରରେ ଦସ୍ତଖତ କରିବା ସହ ଗୃହରେ ଉପସ୍ଥିତ ଥିବା ବରିଷ୍ଠ ସଦସ୍ୟମାନଙ୍କୁ ନମସ୍କାର ଜଣାଇଥିଲେ। ସେହିପରି ଆଜି ଶପଥ ଗ୍ରହଣ କରିଥିବା ୧୨ ଜଣ ସଦସ୍ୟଙ୍କ ପରିବାର ସଦସ୍ୟମାନେ ଶପଥ ଗ୍ରହଣ ସମାରୋହକୁ ଦର୍ଶକ ଗ୍ୟାଲେରିରୁ ଦେଖିଥିଲେ। ଉଲ୍ଲେଖଯୋଗ୍ୟ ଗତ ମାସରେ ରାଜ୍ୟସଭା ସଦସ୍ୟ ରୂପେ ନିର୍ବାଚିତ ଓ ପୁନଃ ନିର୍ବାଚିତ ହୋଇଥିବା ୫୮ ଜଣ ସଦସ୍ୟମାନଙ୍କ ମଧ୍ୟରୁ ଗତକାଲି ୪୧ ଜଣ ଶପଥ ଗ୍ରହଣ କରିଥିବାବେଳେ ଆଜି ୧୨ ଜଣ ଶପଥ ନେଇଥିଲେ।

ସମ୍ବନ୍ଧିତ ଖବର