ରାଫେଲ୍‌ ରାୟ ଆଜି: ଶାସକ, ବିରୋଧୀଙ୍କ ନଜର

ନୂଆଦିଲ୍ଲୀ: ଫ୍ରାନ୍ସ ସହ ରାଫେଲ୍‌ ଯୁଦ୍ଧ ବିମାନ ଚୁକ୍ତିକୁ ବିରୋଧ କରି ସୁପ୍ରିମ୍‌ କୋର୍ଟରେ ଏକାଧିକ ଆବେଦନ ହୋଇଥିବା ବେଳେ ଆସନ୍ତାକାଲି ସୁପ୍ରିମ୍‌ କୋର୍ଟ ଏ ସଂକ୍ରାନ୍ତ ରାୟ ଶୁଣାଇବେ। ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଞ୍ଜନ ଗୋଗୋଇଙ୍କ ନେତୃତ୍ବ‌ରେ ଗଠିତ ଖଣ୍ଡପୀଠ ଗତ ୧୪ ନଭେମ୍ବରରେ ମାମଲାର ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ। ଆସନ୍ତାକାଲି ଚୂଡ଼ାନ୍ତ ରାୟ ପ୍ରକାଶ ପାଇବାକୁ ଥିବାରୁ ଏହା ଉପରେ ଉଭୟ ଶାସକ ଓ ବିରୋଧୀ ଦଳଙ୍କ ନଜର ରହିଛି। ମାମଲାର ଶୁଣାଣି ବେଳେ ବାୟୁସେନା ଅଧିକାରୀମାନେ ର‌ାଫେଲ୍‌ ଚୁକ୍ତି ନେଇ କୋର୍ଟରେ ପକ୍ଷ ରଖିଥିଲେ। କେନ୍ଦ୍ର ସରକାର ସୁପ୍ରିମ୍‌ କୋର୍ଟଙ୍କୁ କହିଥିଲେ ଯେ ଫାନ୍ସ ସରକାର ୩୬ଟି ଯୁଦ୍ଧ ବିମାନ ନେଇ ଭାରତ ସରକାରଙ୍କୁ କୌଣସି ଗ୍ୟାରେଣ୍ଟି ଦେଇନଥିଲେ ମଧ୍ୟ ଫ୍ରାନ୍ସ ପ୍ରଧାନମନ୍ତ୍ରୀଙ୍କ ‘ଲେଟର୍‌ ଅଫ୍‌ କମ୍ଫର୍ଟ’ ମିଳିଛି। କେନ୍ଦ୍ର ସରକାର ଜଉମୁଦ ଲଫାପାରେ ରାଫେଲ୍‌ ଚୁକ୍ତି ସଂକ୍ରାନ୍ତ ଗୁରୁତ୍ବପୂର୍ଣ୍ଣ ତଥ୍ୟ, କ୍ରୟ ମୂଲ୍ୟ ଆଦି ପ୍ରଦାନ କରିଥିଲେ। ସରକାର ୧୪ ପୃଷ୍ଠାର ସତ୍ୟପାଠରେ ଦର୍ଶାଇଥିଲେ ଯେ ୨୦୧୩ରେ ହୋଇଥିବା ରାଫେଲ୍‌ ଚୁକ୍ତି ପ୍ରକ୍ରିୟାର ନିର୍ଦ୍ଧାରିତ ସର୍ତ୍ତଗୁଡ଼ିକୁ ପାଳନ କରିଛନ୍ତି।

ସୂଚନାଯୋଗ୍ୟ, ରାଫେଲ୍‌ ଯୁଦ୍ଧ ବିମାନ ଚୁକ୍ତି ନେଇ ବିରୋଧୀ ଦଳଗୁଡ଼ିକ ଏନ୍‌ଡିଏ ସରକାରକୁ ଲଗାତର ଟାର୍ଗେଟ୍‌ କରୁଛନ୍ତି ଏବଂ ଏବେ ସଂସଦରେ ଏହି ପ୍ରସଙ୍ଗ ନେଇ ବିବାଦ ଲାଗିରହିଛି। ଗୋଟିଏ ଯୁଦ୍ଧ ବିମାନ ପିଛା ପ୍ରାୟ ୧,୬୭୦ କୋଟି ଟଙ୍କା ମୂଲ୍ୟରେ ଭାରତ ସରକାର ବିମାନ କ୍ରୟ କରିଥିବା ବେଳେ ୟୁପିଏ ସରକାର ଅମଳରେ ଏହାର ଦାମ ୫୨୬ କୋଟି ଟଙ୍କା ଥିଲା ବୋଲି କଂଗ୍ରେସ ଦାବି କରିଛି। ତେବେ ନୂଆ ପିଢ଼ିର ଏହି ଅତ୍ୟାଧୁନିକ ଯୁଦ୍ଧ ବିମାନରେ ଅତ୍ୟାବଶ୍ୟକ ଯୁଦ୍ଧାସ୍ତ୍ର ଖଞ୍ଜାଯାଇଥିବାରୁ ଏହାର ଦାମ ଅଧିକ ରହିଥିବା କୁହାଯାଇଛି। ଫ୍ରାନ୍‌ସ ସରକାରଙ୍କ ସହ ହୋଇଥିବା ରାଫେଲ ଯୁଦ୍ଧ ବିମାନ କ୍ରୟ ଚୁକ୍ତି ନିଷ୍ପତ୍ତି ସଂକ୍ରାନ୍ତ ସବିଶେଷ ତଥ୍ୟ ପ୍ରଦାନ କରିବା ପାଇଁ କେନ୍ଦ୍ର ସରକାରଙ୍କୁ ସୁପ୍ରିମ୍‌ କୋର୍ଟ ନିର୍ଦ୍ଦେଶ ଦେବାପରେ ଏହି ମାମଲା ନେଇ ରାଜନୀତି ସରଗରମ ହୋଇଥିଲା। ରାଫେଲର ମୂଲ୍ୟ ଏବଂ ବୈଷୟିକ ବୈଶିଷ୍ଟ୍ୟ ନେଇ କୌଣସି ସୂଚନା ସରକାରଙ୍କୁ ଦେବାକୁ ପଡ଼ିବ ନାହିଁ ବୋଲି କୋର୍ଟ ପ୍ରଥମେ ସ୍ପଷ୍ଟ କରିଥିଲେ ମଧ୍ୟ ପରେ ଏ ବାବଦରେ ମତ ବଦଳାଇଥିଲେ। ପ୍ରଧାନ ବିଚାରପତିଙ୍କ ତତ୍ତ୍ବାବଧାନରେ ଗଠିତ ଖଣ୍ଡପୀଠ କହିଥିଲେ ଯେ ଏ ବାବଦରେ ଦୁର୍ନୀତି ଅଭିଯୋଗ ଆଣି କୋର୍ଟରେ ୨ ଜଣ ଆଇନଜୀବୀଙ୍କ ପକ୍ଷରୁ ଦାଖଲ ହୋଇଥିବା ଆବେଦନ ଉପରେ ଆମେ ସରକାରଙ୍କୁ ନୋଟିସ୍‌ କରିନାହୁଁ। କେବଳ ରାଫେଲ ଚୁକ୍ତି କେଉଁ ସ୍ଥିତିରେ ଏବଂ କିଭଳି ହୋଇଥିଲା ସେ ସଂକ୍ରାନ୍ତ ତଥ୍ୟ ସରକାରଙ୍କୁ ମଗାଯାଇଛି ବୋଲି ଖଣ୍ଡପୀଠ କହିଥିଲେ।

ଏହି ମାମଲାରେ କେନ୍ଦ୍ର ସରକାରଙ୍କ ପକ୍ଷରୁ କୋର୍ଟରେ ପକ୍ଷ ରଖି ଆଟର୍ଣ୍ଣି ଜେନେରାଲ କହିଥିଲେ, ରାଫେଲ ଚୁକ୍ତି ସଂକ୍ରାନ୍ତ ସବିଶେଷ ତଥ୍ୟ କାହାକୁ ପ୍ରଦାନ କରାଯାଇପାରିବ ନାହିଁ। ଜାତୀୟ ସ୍ବାର୍ଥ ସହିତ ଏହି ଯୁଦ୍ଧ ବିମାନ ଚୁକ୍ତି ସଂପୃକ୍ତ ଥିବାରୁ ସରକାର ଏ ଦିଗରେ ସର୍ବାଧିକ ସତର୍କତାର ସହ କାର୍ଯ୍ୟ କରୁଛନ୍ତି ବୋଲି ସେ କହିଥିଲେ। କେନ୍ଦ୍ର ସରକାର ରାଫେଲ ଚୁକ୍ତି ନେଇ ହୋଇଥିବା ସମସ୍ତ ଜନସ୍ବାର୍ଥ ମାମଲାକୁ ଖାରଜ କରିବାକୁ କୋର୍ଟରେ ନିବେଦନ କରିଥିଲେ। ତେବେ କୋର୍ଟ ସରକାରଙ୍କ ଯୁକ୍ତିକୁ ଗ୍ରହଣ ନକରି ଏନ୍‌ଡିଏ ଏବଂ ୟୁପିଏ ସରକାର ଅମଳରେ ହୋଇଥିବା ରାଫେଲ ଯୁଦ୍ଧ ବିମାନ ଚୁକ୍ତି ପ୍ରକ୍ରିୟା ବାବଦ ତଥ୍ୟ ବନ୍ଦ ଲଫାପାରେ ଦେବାକୁ ନିର୍ଦ୍ଦେଶ ଦେଇଥିଲେ।

ସୂଚନାଯୋଗ୍ୟ, ଭାରତୀୟ ବାୟୁସେନା ୧୨୬ଟି ଯୁଦ୍ଧ ବିମାନ ଆବଶ୍ୟକ କରୁଥିବା ବେଳେ ଅତ୍ୟାଧୁନିକ ଲଢ଼ୁଆ ବିମାନର ଜରୁରୀ ଆବଶ୍ୟକତା ଦୃଷ୍ଟିରୁ ସରକାର ଫ୍ରାନ୍ସରୁ ୩୬ଟି ରାଫେଲ କିଣିବାକୁ ନିଷ୍ପତ୍ତି ନେଇଥିଲେ। ଏହି ବିମାନକୁ ଫ୍ରାନ୍ସର ଡାସଲ୍‌ଟ ଏଭିଏସନ୍‌ କମ୍ପାନି ନିର୍ମାଣ କରୁଛି।

ସମ୍ବନ୍ଧିତ ଖବର