ଭାରତ ଅଭିମୁଖେ ଯାତ୍ରା ଆରମ୍ଭ କଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭଲ ବନ୍ଧୁ ବୋଲି କହିଲେ

ଓ୍ୱାଶିଂଟନ୍: ଭାରତ ଅଭିମୁଖେ ଯାତ୍ରା ଆରମ୍ଭ କଲେ  ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଏ ନେଇ ଏକ ଭିଡିଓ ଟୁଇଟ୍ କରିଛନ୍ତି ରାଷ୍ଟ୍ରପତି ଟ୍ରମ୍ଫ। ସେ ଲେଖିଛନ୍ତି- ମେଲାନିଆଙ୍କ ସହ ଭାରତ ବାହାରିଲି। ଦୁଇ ଦିନିଆ ଭାରତ ଗସ୍ତରେ ଆସୁଛନ୍ତି ଟ୍ରମ୍ପ । ଭାରତରେ ଟ୍ରମ୍ପଙ୍କ ପହଞ୍ଚିବା ନେଇ ଓଲଟ ଗଣନା ଆରମ୍ଭ ହୋଇଛି । ସୋମବାର ଓ ମଙ୍ଗଳବାର ଭାରତରେ ରହିବେ ଆମେରିକା ରାଷ୍ଟ୍ରପତି ଓ ତାଙ୍କର ପରିବାର । ନମସ୍ତେ ଟ୍ରମ୍ପ ଠାରୁ ତାଜମହଲ ପରିଦର୍ଶନ ଭଳି ବ୍ୟସ୍ତବହୁଳ କାର୍ଯ୍ୟକ୍ରମରେ ଯୋଗଦେବେ ଆମେରିକା ରାଷ୍ଟ୍ରପତି । ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ସହ ରାଷ୍ଟ୍ରପତି ଦମ୍ପତି, ଆସନ୍ତାକାଲି ଅହମ୍ମଦାବାଦରେ ଦିନ ୧୧ଟା ୪୦ରେ ପହଞ୍ଚିବାର  କାର୍ଯ୍ୟକ୍ରମ ରହିଛି । ଟ୍ରମ୍ପ ଦମ୍ପତି ଏବେ ଆମେରିକା ଛାଡି ଭାରତ ଅଭିମୁଖେ ଯାତ୍ରା ଆରମ୍ଭ କରିସାରିଛନ୍ତି ।

ଟ୍ରମ୍ପ ଭାରତ ଗସ୍ତରେ ଆସିବା ପୂର୍ବରୁ ଏକ ଗୁରୁତ୍ବପୂର୍ଣ୍ଣ ବୟାନ ରଖିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ନିଜର ବନ୍ଧୁ ବୋଲି କହିବା ସହ ଭାରତୀୟଙ୍କ ସହ ମିଶିବାକୁ ଉତ୍ସାହିତ ଥିବା କହିଛନ୍ତି ଟ୍ରମ୍ପ । ଏସବୁ ଭିତରେ ଟ୍ରମ୍ପଙ୍କୁ ସ୍ୱାଗତ କରିବାକୁ ମଧ୍ୟ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ସୋମବାର ସକାଳ ୧୧ଟା ୫୫ମିନିଟରେ ଅହମ୍ମଦାବାଦ ବିମାନବନ୍ଦରରେ ଅବତରଣ କରିବ ଆମେରିକା ରାଷ୍ଟ୍ରପତିଙ୍କ ବିମାନ- ଏୟାରଫୋର୍ସ-ୱାନ । ପ୍ରଧାନମନ୍ତ୍ରୀ ମୋଦୀ  ନିଜେ ବିମାନବନ୍ଦରରେ ଉପସ୍ଥିତ ରହି  ଆମେରିକାର ପ୍ରଥମ ପରିବାରକୁ ସ୍ୱାଗତ କରିବେ ।

ଡୋନାଲ୍ଡ ଟ୍ରମ୍ପଙ୍କ ଗସ୍ତ ପାଇଁ ପୁରା ଅହମ୍ମଦାବାଦ ସହରକୁ ନୂଆ ବୋହୂ ପରି ସଜେଇ ଦିଆଯାଇଛି । ସ୍ୱାଗତ ପାଇଁ ଏତେ ବଡ ଆୟୋଜନ ହୋଇଛି, ଯାହା ପୂର୍ବରୁ କେବେ ଦେଖିବାକୁ ମିଳିନଥିଲା । ଟ୍ରମ୍ପ ମଧ୍ୟ କହିଛନ୍ତି,  ମୋଦୀ ତାଙ୍କୁ କହିଛନ୍ତି କି ୭୦ଲକ୍ଷ ଲୋକଙ୍କୁ ସାଥିରେ ନେଇ ସ୍ୱାଗତ କରିବେ । ସେ ଯାହା ବି ହେଉ, ଏଥର ଟ୍ରମ୍ପଙ୍କ ସ୍ୱାଗତ ସାରାବିଶ୍ୱରେ ଏକ ଚର୍ଚ୍ଚାର ବିଷୟ ପାଲଟିବ । ଆଉ ଏହାରି ଭିତରେ ଭାରତ-ଆମେରିକା ବ୍ୟବସାୟର କଥାକୁ ନେଇ ଟ୍ରମ୍ପ ଯେଉଁ ଇସାରା ଦେଇଛନ୍ତି, ସେଥିରୁ ଜଣାପଡୁଛି ଉଭୟ ରାଷ୍ଟ୍ର ନିଜ ନିଜ ଦେଶର ଫାଇଦା କଥା ଚିନ୍ତା କରୁଛନ୍ତି । ଅବଶ୍ୟ ଏହା  ସ୍ୱାଭାବିକ ମଧ୍ୟ । ଅହମ୍ମଦାବାଦରେ ୩ଘଂଟାର କାର୍ଯ୍ୟକ୍ରମ ପାଇଁ ରାଜ୍ୟ ସରକାର ୮୦ରୁ ୮୫କୋଟି ଟଙ୍କା ଖର୍ଚ୍ଚ କରୁଥିବା ଜଣାପଡିଛି ।

ସମ୍ବନ୍ଧିତ ଖବର