ସୂର୍ଯ୍ୟାସ୍ତ ପୂର୍ବରୁ ‘ନାଇଟି’ ମନା, ପିନ୍ଧିଲେ ୨ହଜାର ଟଙ୍କା ଜରିମାନା

ରାଜମହେନ୍ଦ୍ରି: ଆନ୍ଧ୍ର ପ୍ରଦେଶ ପଶ୍ଚିମ ଗୋଦାବରୀ ଜିଲ୍ଲାର ଏକ ଗ୍ରାମରେ ମହିଳାମାନେ ଦିନବେଳା ‘ନାଇଟି’ ପିନ୍ଧିବା ବନ୍ଦ କରିଦେଇଛନ୍ତି। ଶାଢ଼ିଠାରୁ ନାଇଟି ପିନ୍ଧିବା ସହଜ ଓ ଆରାମଦାୟକ ହୋଇଥିବାରୁ ଗ୍ରାମର ମହିଳାମାନେ ଏହାକୁ ପସନ୍ଦ କରୁଥିଲେ। କିନ୍ତୁ ଗ୍ରାମର ବୟୋଜ୍ୟେଷ୍ଠ ଲୋକମାନେ ନୂଆ ନିୟମ ଆଣିବା ପରେ ଏହାର ବ୍ୟବହାର ସୀମିତ ହୋଇଛି। ମହିଳାମାନେ କେବଳ ରାତ୍ରିରେ ଏହାକୁ ପିନ୍ଧି ପାରିବେ ଏବଂ ସୂର୍ଯ୍ୟାସ୍ତ ପୂର୍ବରୁ ପିନ୍ଧିଲେ ୨,୦୦୦ ଟଙ୍କା ଜରିମାନା ଗଣିବେ ବୋଲି ନିୟମ ତିଆରି ହୋଇଛି। ଏହାକୁ ନେଇ ରାଜ୍ୟବ୍ୟାପୀ ଚର୍ଚ୍ଚା ଜୋର ଧରିଛି। ରାଜ୍ୟର ତୋକଲାପଲ୍ଲୀ ଗ୍ରାମରେ ଏହି ଘଟଣା ଘଟିଛି। ଗ୍ରାମର ମହିଳାମାନେ ବହୁଳ ଭାବେ ଦିନବେଳା ନାଇଟି ପିନ୍ଧିବା ପରେ ଏହାକୁ କିଛି ବରିଷ୍ଠ ନାଗରିକ ବିରୋଧ କରିଥିଲେ। କିନ୍ତୁ ମହିଳାମାନେ ଶୁଣିନଥିଲେ। ଏହାପରେ ଗ୍ରାମର ୯ ଜଣିଆ କମିଟି ବସି ଏ ବାବଦରେ ଚୂଡ଼ାନ୍ତ ନିଷ୍ପତ୍ତି ନେଇଛି। ନିୟମ ମୁତାବକ ସକାଳ ୭ରୁ ସନ୍ଧ୍ୟା ୭ଟା ମଧ୍ୟରେ ନାଇଟି ପିନ୍ଧିବା ଅବସ୍ଥାରେ କୌଣସି ମହିଳାଙ୍କୁ ଦେଖିବାକୁ ମିଳିଲେ ତାଙ୍କ ଉପରେ ୨,୦୦୦ ଟଙ୍କା ଜରିମାନା ଲାଗୁ କରାଯିବ। ସେହିଭଳି ଦିନବେଳା ନାଇଟି ପିନ୍ଧୁଥିବା ମହିଳାଙ୍କୁ ଧରାଇଦେଲେ ୧,୦୦୦ ଟଙ୍କା ପୁରସ୍କାର ଦିଆଯିବ ବୋଲି କୁହାଯାଇଛି। ଗ୍ରାମର ୧,୮୦୦ ମହିଳା ଏବେ ଏହି ନୂଆ ନିୟମକୁ ଆଖିରେ ରଖି ନାଇଟି ପିନ୍ଧୁଛନ୍ତି। ତେବେ ଜରିମାନା ଦେଉନଥିବା ମହିଳାମାନଙ୍କୁ ସାମାଜିକ ବାସନ୍ଦ କରାଯିବ ବୋଲି ମଧ୍ୟ ସତର୍କ କରାଯାଇଛି।

ଏ ବାବଦରେ ଗ୍ରାମର ସରପଞ୍ଚ ଫାଣ୍ଟାସିଆ ମହାଲକ୍ଷ୍ମୀ କହିଛନ୍ତି, ନାଇଟିକୁ ରାତିବେଳା ପିନ୍ଧିବା ଉଚିତ। କିନ୍ତୁ ଏହାକୁ ପିନ୍ଧି ଖୋଲା ଜାଗାରେ ବାସନ ମାଜିବା, ଦୋକାନକୁ ସଉଦା କିଣିବାକୁ ଯିବା ଅଥବା କୌଣସି ସଭାରେ ଯୋଗଦେବା ବେଳେ ଏହାକୁ ପିନ୍ଧିବା ଠିକ୍ ନୁହେଁ। ତାଙ୍କ କହିବାନୁଯାୟୀ ପ୍ରଥମେ ଗ୍ରାମର କିଛି ମହିଳା ଦିନବେଳା ନାଇଟି ପିନ୍ଧାକୁ ବିରୋଧ କରି ଏହାକୁ ନିଷେଧ କରିବା ପାଇଁ ଦାବି କରିଥିଲେ। ପରେ କମିଟି ଗଠନ ହୋଇ ନିଷ୍ପତ୍ତି ନିଆଯାଇଛି। କିନ୍ତୁ ଜରିମାନା ଓ ସାମାଜିକ ବାସନ୍ଦ କଥାକୁ ସେ ଖଣ୍ଡନ କରିଛନ୍ତି।

ସମ୍ବନ୍ଧିତ ଖବର