ବଂଶଧାରା ଜଳବିବାଦ ମାମଲା: ଟ୍ରିବ୍ୟୁନାଲରେ ପକ୍ଷ ରଖିଲା ଆନ୍ଧ୍ରପ୍ରଦେଶ

ନୂଆଦିଲ୍ଲୀ: ଓଡିଶା ଓ ଆନ୍ଧ୍ର ପ୍ରଦେଶ ମଧ୍ୟରେ ଲାଗି ରହିଥିବା ବଂଶଧାରା ଜଳବିବାଦ ବିବାଦର ଶୁଣାଣି କରୁଥିବା ବଂଶଧାରା ଜଳବିବାଦ ଟ୍ରିବ୍ୟୁନାଲ ନିକଟରେ ଆଜି ଆନ୍ଧ୍ରପ୍ରଦେଶ ନିଜର ପକ୍ଷ ରଖିଛି। ଟ୍ରିବ୍ୟୁନାଲ ଅଧ୍ୟକ୍ଷ ବିଚାରପତି ଡକ୍ଟର ମୁକୁନ୍ଦକମ ଶର୍ମା ଏବଂ ଦୁଇ ସଦସ୍ୟ ବିଚାରପତି ବି ଏନ୍ ଚତୁର୍ବେଦୀ ଓ ବିଚାରପତି ପ୍ରତିଭାରାଣୀଙ୍କ ଖଣ୍ଡପୀଠ ନିକଟରେ ଆଜି ଦ୍ବିତୀୟ ଦିନର ଶୁଣାଣିରେ ଆନ୍ଧ୍ରପ୍ରଦେଶ ପ୍ରକଳ୍ପ ଅଞ୍ଚଳ ଗସ୍ତ କରାଯାଇ ଏକ ସର୍ଭେ ରିପୋର୍ଟ ପ୍ରସ୍ତୁତ କରିବା ଉପରେ ଗୁରୁତ୍ବାରୋପ କରିଛି। ଏତଦ୍ବ୍ୟତୀତ ଏନେଇ ବୈଷୟିକ ଟିମ୍‌ର ପରାମର୍ଶ ନିଆଯିବାର ଆବଶ୍ୟକତା ଅଛି ବୋଲି ଟ୍ରିବ୍ୟୁନାଲରେ ଦୃଢ ଯୁକ୍ତି ଉପସ୍ଥାପନ କରିଛି। ପ୍ରସ୍ତାବିତ ସର୍ଭେ ଓ ଟେକ୍ନିକାଲ ଟିମ୍‌ର ରୂପରେଖ ନେଇ ଆସନ୍ତାକାଲି ଆନ୍ଧ୍ରପ୍ରଦେଶ ପୁଣି ଥରେ ଟ୍ରିବ୍ୟୁନାଲଙ୍କ ନିକଟରେ ନିଜର ପକ୍ଷ ରଖିବ। ପୂର୍ବରୁ ନେରେଡ଼ି ବ୍ୟାରେଜର ଜଳ ପରିଚାଳନା ଯାଞ୍ଚ କରିବାକୁ ନେଇ ଟ୍ରିବ୍ୟୁନାଲ ଏକ କମିଟି ଗଠନ କରିଥିଲେ। ଆସନ୍ତାକାଲି ଆନ୍ଧ୍ରପ୍ରଦେଶ ଯୁକ୍ତି ଉପସ୍ଥାପନ କରିସାରିବା ପରେ ଓଡ଼ିଶା ଯୁଗ୍ମ ସର୍ଭେ କିପରି ହେବ ସେନେଇ ଶୁଣାଣି ସମୟରେ ଆଭିମୁଖ୍ୟ ସ୍ପଷ୍ଟ କରିବ। ଗୁରୁତ୍ବପୂର୍ଣ୍ଣ କଥା ହେଉଛି ବଂଶଧାରା ଜଳବିବାଦ ମାମଲାରେ ପୂର୍ବରୁ ଟ୍ରିବ୍ୟୁନାଲ ବୈଷୟିକ ବିଶେଷଜ୍ଞମାନଙ୍କୁ ସମସ୍ୟା ସମାଧାନ କରିବାକୁ ଦୁଇ ରାଜ୍ୟଙ୍କୁ ନିର୍ଦ୍ଦେଶ ଦେଇଥିଲେ। ବୈଠକ ହୋଇଥିଲେ ମଧ୍ୟ କୌଣସି ସମାଧାନ ବାହାରି ପାରିନଥିଲା। ଉଲ୍ଲେଖଯୋଗ୍ୟ ଗତବର୍ଷ ଡିସେମ୍ବର ଶେଷ ସପ୍ତାହରେ ବଂଶଧାରା ଟ୍ରିବ୍ୟୁନାଲ ପ୍ରକଳ୍ପ ଅଞ୍ଚଳ ଅନୁଧ୍ୟାନ କରି ନଦୀର ବନ୍ୟା ଜଳ, ଗତିପଥ, ପାରିପାର୍ଶ୍ବିକ ସ୍ଥିତି, ବିସ୍ଥାପିତ ତଥା କୃତିମ ବନ୍ୟା ପରିସ୍ଥିତି ଉପୁଜିଲେ ଏହାର ମୁକାବିଲା କିପରି କରାଯିବ ସେନେଇ ତଥ୍ୟ ସଂଗ୍ରହ କରିଥିଲେ ଏବଂ ଏକ ରିପୋର୍ଟ ପ୍ରସ୍ତୁତ କରାଯାଇଥିଲା। ଏହାପରେ ମାମଲାର ଶୁଣାଣି ନିୟମିତ ବ୍ୟବଧାନରେ ଟ୍ରିବ୍ୟୁନାଲରେ ଜାରି ରହିଛି।

ସମ୍ବନ୍ଧିତ ଖବର