ମସୁଦ୍ ଆଝାର ପାଇଁ ଚୀନ୍‌ର ଦରଦ କାହିଁକି?

ନୂଆଦିଲ୍ଲୀ: ପାକିସ୍ତାନ ସ୍ଥିତ ଆତଙ୍କବାଦୀ ସଂଗଠନ ଜୈସ୍-ଏ-ମହମ୍ମଦ ଏବଂ ଏହାର ପ୍ରତିଷ୍ଠାତା ମସୁଦ୍ ଆଝାର ଭାରତରେ ଅସ୍ଥିରତା ଖେଳାଇବା ପାଇଁ ଅନବରତ ଗୋଟି ଚଳାଇ ଆସୁଛି। ପୂର୍ବରୁ ୨୦୦୧ ଡିସେମ୍ବରରେ ଭାରତୀୟ ସଂସଦ ଆକ୍ରମଣ ଏବଂ ୨୦୧୬ ଜାନୁଆରୀରେ ପଠାନକୋଟ ସ୍ଥିତ ବାୟୁ ସେନା ଘାଟି ଉପରେ ଆକ୍ରମଣ ପରେ ସଦ୍ୟ ସଂଘଟିତ ପୁଲଵାମା ଆକ୍ରମଣ ଭାରତକୁ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ବାଧ୍ୟ କରିଛି। ତେବେ ମସୁଦକୁ ଜାତିସଂଘ ସୁରକ୍ଷା ପରିଷଦର ୧୨୬୭ କମିଟି ଦ୍ବାରା ଆନ୍ତର୍ଜାତିକ ଆତଙ୍କବାଦୀ ଭାବେ ଘୋଷଣା କରିବା ଲାଗି ଭାରତର ଉଦ୍ୟମକୁ ଚୀନ୍ ବାରମ୍ବାର ବିଫଳ କରିଚାଲିଛି। ସୁରକ୍ଷା ପରିଷଦର ଅନ୍ୟତମ ସ୍ଥାୟୀ ସଦସ୍ୟ ଚୀନ୍ ଭିଟୋ ପ୍ରୟୋଗ କରି ପରୋକ୍ଷରେ ମସୁଦକୁ ସୁରକ୍ଷା ଯୋଗାଇ ଆସିଛି। ଏପରିକି ଆତଙ୍କବାଦକୁ ଚୀନ୍ ଦୃଢ଼ ଭାବେ ବିରୋଧ କରେ ବୋଲି କହିବା ସହ ପୁଲଵାମା ଆକ୍ରମଣକୁ ମଧ୍ୟ ନିନ୍ଦା କରିଛି। ମାତ୍ର ଏଥିପାଇଁ ଦାୟୀ ଜେଇଏମ୍ ମୁଖ୍ୟ ମସୁଦକୁ ଘେରିବା ଲାଗି ଚୀନର ଦରଦୀ ଆଭିମୁଖ୍ୟ ଏହାର ଅସଲ ଉଦ୍ଦେଶ୍ୟକୁ ପଦାରେ ପକାଇଛି। ମସୁଦକୁ ପାକିସ୍ତାନ ସରକାର ସୁରକ୍ଷା ଦେବାଟା ଅଛପା ନୁହେଁ। ଏଣେ ପାକିସ୍ତାନ ଓ ଚୀନ୍ ହେଉଛନ୍ତି ସବୁଦିନିଆ ତଥାକଥିତ ବନ୍ଧୁ ରାଷ୍ଟ୍ର। ଅରପରପକ୍ଷେ, ଭାରତ ହେଉଛି ଚୀନର ପ୍ରତିଦ୍ବନ୍ଦ୍ବୀ, ଏପରିକି ଅନ୍ୟତମ ଚ୍ୟାଲେଞ୍ଜ୍ ମଧ୍ୟ। ତେଣୁ ମସୁଦକୁ ସମର୍ଥନ ଜଣାଇ ଗୋଟିଏ ପଟେ ପାକିସ୍ତାନକୁ ଖୁସି କରାଇବା ସହ ଭାରତର କଟା ଘାଆରେ ମଧ୍ୟ ଚୂନ ଦେବା ସଦୃଶ। ଏଥି ସହିତ ମସୁଦ ମାମଲାରେ ପାକିସ୍ତାନକୁ ସମର୍ଥନ ଜଣାଇ ଚୀନ ନିଜର ନଗଣ୍ୟ ପ୍ରଭାବ ଥିବା ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନ ପ୍ରସଙ୍ଗରେ ପାକିସ୍ତାନର ଅହେତୁକ ସମର୍ଥନ ହାସଲ କରୁଛି। ସେହିପରି ଚୀନର ପରମ ଶତ୍ରୁ ସାଜିଥିବା ଅଧ୍ୟାତ୍ମିକ ଗୁରୁ ତଥା ତିବ୍ବତୀୟ ନେତା ଦଲାଇ ଲାମାକୁ ଭାରତ ଶରଣ ଦେଇ ତାହାର ରୋଷକୁ ବହୁଗୁଣିତ କରିଛି। ତେଣୁ ଭାରତକୁ ପାନେ ଚଖାଇବା ପାଇଁ ଚୀନ୍ ଏପରି ଭାରତ ବିରୋଧୀ ଆଭିମୁଖ୍ୟ ଦେଖାଉଛି।

ସମ୍ବନ୍ଧିତ ଖବର