ଆସନ୍ତୁ ସୁଖର ସନ୍ଧାନରେ ଯିବା: ସୁଖ କେଉଁଠି ଥାଏ, କେମିତି ମିଳେ, ତାହା କେତେ ମହଙ୍ଗା?

ସୁଖୀ କିଏ? ଦୁଃଖ କ’ଣ? ବାସ୍ତବରେ ରହଛି କି ସୁଖ ଆଉ ଦୁଃଖର କିଛି ସଂଜ୍ଞା! ଧନ ହେଉ, ଜ୍ଞାନ ହେଉ କି ପ୍ରଭାବ ହେଉ ସବୁର ଶେଷ ଟିକିଏ ସୁଖ। କିଏ ଧନରେ ସୁଖ ପାଏ ତ କିଏ ଅନ୍ୟ କେଉଁଥିରେ। ତେବେ କ’ଣ ଆମେ ଧରିନେବା କି ଧନୀ କିମ୍ବା ଜ୍ଞାନୀମାନେ ହିଁ ହେଉଛନ୍ତି ସଂସାରରେ ସୁଖୀ। ଆସନ୍ତୁ ଆଜି ଆଲୋଚନା କରିବା ସୁଖ କେଉଁଠି ଥାଏ, କେମିତି ମିଳେ ଆଉ ତାହା କେତେ ମହଙ୍ଗା?

ବେଳେ ବେଳେ ଦେଖିବାକୁ ଗଲେ ଜୀବନରେ ତିଳେ ମାତ୍ର ବି ଦୁଃଖ ନଥାଏ। ସବୁ ଠିକ୍‌ ଚାଲିଥାଏ। ଆମେ ଆପଣଛାଏଁ ଗୁଡ଼ାଏ କଥା ଭାବି ଦୁଃଖୀ ହୋଇଯାଉ। ଭବିଷ୍ୟତ ବିଷୟରେ ଚିନ୍ତା କରି ବର୍ତ୍ତମାନକୁ ନଷ୍ଟ କରୁ। ଏମିତି ବି ହୁଏ ଭବିଷ୍ୟତରେ ସବୁ ଭଲ ଘଟେ ମାତ୍ର ଖରାପ ହେବ ବୋଲି ଚିନ୍ତା କରି ଆମେ ବର୍ତ୍ତମାନର ସୁନ୍ଦର ମୁହୂର୍ତ୍ତକୁ ହରାଇ ସାରିଥାଉ।

ଭାବପ୍ରବଣ ବ୍ୟକ୍ତି ହେଲେ କଥା ସରିଲା। ସେ ଧରଣର ବ୍ୟକ୍ତିଙ୍କ ଜୀବନରେ ଦୁଃଖ ଖୁବ୍‌ ବେଶୀ। ସବୁ କଥାକୁ ଗଭୀର ଭାବେ ଚିନ୍ତା କରନ୍ତି। ଛୋଟ କଥାରେ ବି ଭାରାକ୍ରାନ୍ତ ହୋଇପଡ଼ନ୍ତି। କଥାର ସେତିକି ଗୁରୁତ୍ୱ ନଥାଏ ଯେତିକି ସେମାନେ ଦୁଃଖ ପାଆନ୍ତି। ତେବେ, ସେ ଧରଣର ବ୍ୟକ୍ତିଙ୍କ ପାଇଁ ସମାଧାନର ବାଟ ହେଲା ଭାବପ୍ରବଣତାକୁ ଆୟତ୍ତ କରିବା ପାଇଁ ଅଧିକରୁ ଅଧିକ ଲୋକ ସଂପର୍କ ବଢ଼ାଇବା। କ୍ଷୁଦ୍ର ପରିସରରେ ରହୁଥିବା ବ୍ୟକ୍ତି ଅପେକ୍ଷାକୃତ ସୁକ୍ଷ୍ମ। ତେଣୁ ପରିସର ବୃହତ୍ତ କରନ୍ତୁ।

ସୁଖକୁ ଠିକ୍‌ ଭାବେ ଉପଭୋଗ ନକରି ପାରିବା ବି ଦୁଃଖର ଅନ୍ୟତମ କାରଣ ହୋଇଥାଏ। ଅଧିକାଂଶ ବ୍ୟକ୍ତି କୌଣସି ପ୍ରକାର ଶାରୀରିକ ବା ମାନସିକ ଚାପ ହେତୁ ସାମ୍ନାରେ ଥିବା ସୁଖକୁ ଦେଖିପାରନ୍ତି ନାହିଁ। ସୁଖକୁ ଅଣ ଦେଖା କରିବା ବ୍ୟକ୍ତିିର ବଡ଼ ମୁର୍ଖାମୀ। ପ୍ରତ୍ୟେକ ମୁହୂର୍ତ୍ତରେ ସୁଖ ଲୁଚି ରହିଛି। ଆମେ ଦୁଃଖକୁ ଯେତେ ଧ୍ୟାନ ଦେଇ ଖୋଜିଥାଉ, ସେପରି ଭାବେ ସୁଖ ଖୋଜି ନଥାଉ। ଖୋଜିବାକୁ ଚେଷ୍ଟା କରନ୍ତୁ, ଦେଖିବେ ଆପଣଙ୍କ ଜୀବନରେ ଦୁଃଖଠାରୁ ସୁଖର ପରିମାଣ ଢେର୍‌ ବେଶି।

ପରିବାର ଭିତରେ ବୟସ୍କଙ୍କ ଶୃଙ୍ଖଳାବଦ୍ଧ, ପିଲାର ହସ, ମାଆର ସ୍ନେହ ଆଦି ଗୋଟାଏ ଗୋଟାଏ ସୁଖର ପ୍ରତୀକ। ସେସବୁକୁ ହୃଦୟଙ୍ଗମ କରନ୍ତୁ। ଦୁଃଖ ଧୀରେ ଧୀରେ ଅପସରି ଯିବ ଜୀବନରୁ। ଭାବନା ବଦଳାନ୍ତୁ, ସୁଖ ନିଜ ଭିତରେ ଅଛି। ସୁଖର ସନ୍ଧାନ କରିବାକୁ ପୃଥିବୀ ବୁଲିବାର କୌଣସି ଆବଶ୍ୟକତୀ ନାହିଁ, ଆତ୍ମୀୟଙ୍କ ଚାରିପାଖେ ଥରେ ବୁଲି ଆସନ୍ତୁ। ସୁଖ ସେଇଟି ଅଛି।

ସୁଖ ଖୁବ୍‌ ଶସ୍ତା ପଦାର୍ଥଟିଏ। ତାହାକୁ ଯେକେହି ବି ପାଇବାକୁ ସମର୍ଥ। ତାହା ସବୁଠି ମିଳେ, ସବୁବେଳେ ମିଳେ, ସବୁ ପରିସ୍ଥିତିରେ ମିଳେ। ଖାଲି ପାଇବାର ଇଚ୍ଛା ରଖିଲେ ହେଲା। ଦୁଃଖର ଆଶଙ୍କା କରି ସୁଖକୁ ଜିଣି ହୁଏନା। ସୁଖକୁ ପାଇବା ପାଇଁ ଦୁଃଖକୁ ଅଲୋଡ଼ା କରିବାକୁ ହୁଏ।

ସମ୍ବନ୍ଧିତ ଖବର