ପଶୁପକ୍ଷୀଙ୍କୁ ନ ମାରି ହେବ ଗବେଷଣା

ଓୟୁଏଟିରେ ଆରମ୍ଭ ହେଲା ତିନି ଦିନିଆ ସମ୍ମିଳନୀ

ଭୁବନେଶ୍ୱର : ପ୍ରାଣୀ ବିଜ୍ଞାନ ଛାତ୍ରଛାତ୍ରୀଙ୍କ ଶିକ୍ଷା ଓ ଗବେଷଣା ଲାଗି ପଶୁ ପକ୍ଷୀଙ୍କୁ ହତ୍ୟା ନ ଶିକ୍ଷା ପ୍ରଦାନ ଉପରେ ଗବେଷଣା ଆରମ୍ଭ ହୋଇଛି। ପ୍ରାଣୀ ବୈଜ୍ଞାନିକମାନେ ନୂଆ ଉଦ୍ଭାବନ କରିବା ପାଇଁ ମାନସମନ୍ଥନ ଜାରି ରଖିଛନ୍ତି। ପଶୁ, ପକ୍ଷୀ, ବନ୍ୟପ୍ରାଣୀଙ୍କୁ ହତ୍ୟା କରିବା ପରିବର୍ତେ ସେମାନଙ୍କ ଶରୀରଗୁଡ଼ିକର କମ୍ପ୍ୟୁଟରୀକରଣ, ହୃତ୍‌ପିଣ୍ଡ ଆଦିକୁ ଏକାଠି କରି ଡାକ୍ତର ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଦେବା ଲାଗି ଯୋଜନା କରାଯାଉଛି। ବୈଜ୍ଞାନିକମାନେ ଉଦ୍ୟମ ଜାରି ରଖିଥିବା ନେଇ ଆଜିଠାରୁ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ(ଓୟୁଏଟି)ସ୍ଥିତ ଭେଟେରିନାରି କଲେଜରେ ଆରମ୍ଭ ହୋଇଥିବା ଇଣ୍ଡିଆନ୍‌ ଆସୋସିଏସନ୍‌ ଅଫ୍‌ ଭେଟେରିନାରି ଆନାଟୋମିଷ୍ଟର (ଆଇଏଭିଏ)ଜାତୀୟସ୍ତରୀୟ ଆଲୋଚନାରେ ମତପ୍ରକାଶ ପାଇଛି।

ଓୟୁଏଟି କୁଳପତି ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍‌ଘାଟନୀ ଉତ୍ସବରେ ଭୁବନେଶ୍ୱର ଏମ୍‌ସ ନିର୍ଦେଶିକା ଡ. ଗୀତାଞ୍ଜଳି ବି ମୁଖ୍ୟଅତିଥି ଭାବେ ଯୋଗଦେଇ ଗବେଷଣା ଲାଗି ବୈଜ୍ଞାନିକମାନେ ଏକାଠି ହୋଇ କାର୍ଯ୍ୟ କରିବାକୁ ଆହ୍ଵାନ ଦେଇଥିଲେ। ଆରଏମ୍‌ଆରସି ନିର୍ଦେଶକ ଡ. ସଂଘମିତ୍ରା ପତି କହିଲେ, ପ୍ରାଣୀ ଚିକିତ୍ସା, କୃଷି, ମଣିଷ ସ୍ୱାସ୍ଥ୍ୟ ଏବଂ ପରିବେଶ ଅଂଗାଙ୍ଗୀ ଭାବେ ଜଡ଼ିତ। ତେଣୁ ଏହି କ୍ଷେତ୍ରରେ ଜଡ଼ିତ ଥିବା ବିଶେଷଜ୍ଞମାନେ ଏକାଠି ହୋଇ ଗବେଷଣା କଲେ ଆଗାମୀ ଦିନରେ ଅନେକ ତଥ୍ୟ ଲୋକଲୋଚନକୁ ଆସିପାରିବ। ଆଇଏଭିଏ ସଭାପତି ଚନ୍ଦ୍ରଶେଖର ରାଓ, ସମ୍ପାଦକ ଅଜୟ ପ୍ରକାଶ, ଭେଟେରିନାରି କଲେଜ ଡିନ୍‌ ରମେଶ ପାତ୍ର, ଆନାଟୋମି ବିଭାଗ ମୁଖ୍ୟ ଡ. ଉମାକାନ୍ତ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। ତିନି ଦିନ ଧରି ଚାଲିବାକୁ ଥିବା ଏହି ଆଲୋଚନାଚକ୍ରରେ ଦେଶର ୩ଟି କୃଷି ବିଶ୍ୱବିଦ୍ୟାଳୟ କୁଳପତି ଯୋଗଦେଇଛନ୍ତି।

ସମ୍ବନ୍ଧିତ ଖବର