ଗୋଦାମରୁ ଡକାୟତି ମାମଲା : ଗ୍ୟାଙ୍ଗ୍‌ର ୫ ଗିରଫ

ଓମ୍‌ଫେଡ୍‌ ପାର୍ଲରରୁ ଚୋରି, ଧରାପଡ଼ିଲେ ୨

ଖଣ୍ଡଗିରି : ଗତ ସେପ୍ଟେମ୍ବର ମାସରେ ଜଟଣୀ ଥାନା ଯାଁଳା ଫାଣ୍ଡି ଅନ୍ତର୍ଗତ ଏକ ଗୋଦାମରୁ ହୋଇଥିବା ଏକ ଡକାୟତି ମାମଲାରେ ସମ୍ପୃକ୍ତ ଗ୍ୟାଙ୍ଗ୍‌କୁ ପୁଲିସ ଗିରଫ କରିଛି। ସେମାନେ ହେଲେ ଚନ୍ଦକା ଥାନା ଛତାବର ଗାଁର ସନ୍ତୋଷ ବେହେରା(୪୦), ମେଣ୍ଢାଶାଳ ହରିପୁର ଗାଁର ସେକ୍ ରାଜା ଓରଫ୍ ରହିମ୍‌(୩୦), ବାଲିପାଟଣା ଥାନା ରାଜସ ଗାଁର ସଦାଶିବ ମଲ୍ଲିକ ଓରଫ୍ ମଙ୍ଗୁ(୨୮), ଆଇଗିଣିଆ ଆଳୁଗଦି ଅଞ୍ଚଳରେ ରହୁଥିବା ଗଞ୍ଜାମ ପୋଲସରା ଓ କୋଦଳାର ଗଣେଶ ଦାସ ଓରଫ୍ ଗଇ(୨୨) ଏବଂ ଦୀପୁ ପ୍ରଧାନ ଓରଫ୍ କଂଗ୍ରେସ(୩୨)।

ପୁଲିସ ସୂଚନାନୁସାରେ ଗତ ସେପ୍ଟେମ୍ବର ୨୧ ତାରିଖ ବିଳମ୍ବିତ ରାତିରେ ଏହି ଗ୍ୟାଙ୍ଗ୍‌ ଯାଁଳା ଶିଳ୍ପାଞ୍ଚଳ ଷ୍ଟର୍ଲିଂ ୱିଲିସନ୍ ଗୋଦାମରେ ପଶି ଡକାୟତି କରିଥିଲେ। ୩ ସୁରକ୍ଷାକର୍ମୀଙ୍କୁ ଆକ୍ରମଣ କରି ୬ ଡ୍ରମ୍ ଆଲୁମିନିୟମ୍ ତାର, କିଛି ବ୍ୟାଟେରି ଓ ୩୩ ‌‌କେଭି ଲାଇନ୍‌ରେ ବ୍ୟବହୃତ ହେଉଥିବା ବିଦ୍ୟୁତ୍ ଉପକରଣ ଲୁଟି ନେଇଥିଲେ। ଲୁଟ୍‌ ମାଲ୍‌ର ଆନୁମାନିକ ମୂଲ୍ୟ ୨୦ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଥିଲା। ତେ‌ବେ ସୁରକ୍ଷାକର୍ମୀଙ୍କ ସହ ହାତାହାତି ହେବାବେଳେ ଦୁର୍ବୃତ୍ତମାନଙ୍କର ଏକ ମୋବାଇଲ୍ ଫୋନ୍ ସେଠାରେ ଗଳି ପଡ଼ିଥିଲା। ଏହି ଫୋନ୍‌କୁ ଜବତ କରି ପୁଲିସ ଗ୍ୟାଙ୍ଗ୍‌କୁ ଠାବ କରିବାରେ ସଫଳ ହୋଇଛି।

ଓମ୍‌ଫେଡ୍‌ ପାର୍ଲରରୁ ଚୋରି, ଧରାପଡ଼ିଲେ ୨
ଭୁବନେଶ୍ୱର : ୟୁନିଟ୍‌ ୫ରେ ଥିବା ଏକ ଓମ୍‌ଫେଡ୍‌ ପାର୍ଲର ତାଡ଼ି ଚୋରି କରିବା ଅଭିଯୋଗରେ କ୍ୟାପିଟାଲ ଥାନା ପୁଲିସ ଦୁଇଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ନୀଳାଦ୍ରିବିହାରର ଦୀପକ କୁମାର ଓ ଚନ୍ଦ୍ରଶେଖରପୁରର ଦୀପକ ବାହାଦୂର। ସେମାନଙ୍କ ଠାରୁ ଦୁଇଟି ଗ୍ୟାସ୍‌ ସିଲିଣ୍ଡର, ଦୁଇ ପେଟି ବିସ୍କୁଟ ଓ ୫ ହଜାର ଟଙ୍କା ଜବତ ହୋଇଛି। ମଙ୍ଗଳବାର ରାତିରେ ସଟର ତାଡ଼ି ଏହି ସବୁ ସାମଗ୍ରୀ ଚୋରି ହୋଇଥିବା ଅଭିଯୋଗ ହୋଇଥିଲା। ଆଜି ଭୋର୍‌ରୁ ସେମାନଙ୍କ ଘରେ ଚଢ଼ଉ କରି କ୍ୟାପିଟାଲ ଥାନା ପୁଲିସ ଦୁଇ ଜଣଙ୍କୁ ଗିରଫ କରିବା ସହ ଚୋରି ସାମଗ୍ରୀ ଓ ଟଙ୍କା ଜବତ କରିଛି। ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି।

ସମ୍ବନ୍ଧିତ ଖବର