ବସ୍ତି କବ୍‌ଜାରେ ୭୦୦ ହେକ୍ଟର ଜମି

୨୦୦୮ରେ ଥିଲା ୩୭୭, ୨୦୧୨ରେ ଛୁଇଁଲା ୪୩୬

ଭୁବନେଶ୍ୱର: ଶହେ କି ଦୁଇଶହ ଏକର ନୁହେଁ, ରାଜଧାନୀରେ ଥିବା ପ୍ରାୟ ୭୦୦ ହେକ୍ଟର୍‌ ଜମି ଏବେ ବସ୍ତିବାସିନ୍ଦାଙ୍କ କବ୍‌ଜାରେ ରହିଛି। ଆଜି ବିଧାନସଭାରେ ଦିଆଯାଇଥିବା ତଥ୍ୟରୁ ଏଭଳି ଚାଞ୍ଚଲ୍ୟକର ତଥ୍ୟ ହସ୍ତଗତ ହୋଇଛି। କେବଳ ସେତିକି ନୁହେଁ, ଆହୁରି ଉଦ୍‌ବେଗର ବିଷୟ ହେଉଛି, ସରକାରୀ ପରିସଂଖ୍ୟାନ ସୂଚାଉଛି, ବର୍ଷକୁ ହାରାହାରି ୧୫ଟି ନୂଆ ବସ୍ତି ଗଢ଼ି ଉଠୁଛି। ଏହି ବସ୍ତିଗୁଡ଼ିକ ମଧ୍ୟରୁ ଅଧିକାଂଶ ହେଉଛି ବେଆଇନ୍‌। ଏସବୁ ସରକାରଙ୍କ ଜାଣତରେ ଘଟୁଛି। ହେଲେ ବସ୍ତି ଉଚ୍ଛେଦ ଲାଗି ଆନ୍ତରିକତା ନାହିଁ। ପରିଣାମ ହେଲା, ହାତ ଗଣତି କିଛି ପରିବାରକୁ ନେଇ ଜନ୍ମ ହେଉଥିବା ଛୋଟ ବସ୍ତିର ଆକାର ବଢୁଛି ଓ ପରବର୍ତୀ ସମୟରେ ଏହାକୁ ଛୁଇଁବା ପ୍ରଶାସନ ପାଇଁ କାଠିକର ପାଠ ହୋଇପ଼ଡୁଛି। କଂଗ୍ରେସ ବିଧାୟକ ଭୁଜବଳ ମାଝି ଭୁବନେଶ୍ୱର ବସ୍ତି ସଂପର୍କରେ ଏକ ପ୍ରଶ୍ନ ପଚାରିଥିଲେ। ରାଜ୍ୟ ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଏହାର ଉତ୍ତର ରଖିଛନ୍ତି। ଏଥିରେ ମନ୍ତ୍ରୀ ଦର୍ଶାଇଛନ୍ତି, ୨୦୦୮ ମସିହା ସୁଦ୍ଧା ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ମୋଟ ୩୭୭ଟି ବସ୍ତି ଥିଲା। ସେଠାରେ ୬୦ହଜାର ପରିବାର ବସବାସ କରୁଥିଲେ । ସେତେବେଳେ ବସ୍ତିରେ ଜନସଂଖ୍ୟା ଥିଲା ୩ଲକ୍ଷ ୧୦ହଜାର । କିନ୍ତୁ ୨୦୧୨ ମସିହାରେ ହୋଇଥିବା ସର୍ଭେରେ ରାଜଧାନୀରେ ବସ୍ତିସଂଖ୍ୟା ୪୩୬ରେ ପହଞ୍ଚିଛି । ଅର୍ଥାତ୍‌ ଏହି ୪ବର୍ଷ ଭିତରେ ୫୯ଟି ନୂଆ ବସ୍ତି ଗଢ଼ି ଉଠିଛି। କେବଳ ସେତିକି ନୁହେଁ, ପରିବାର ସଂଖ୍ୟା ପାଖାପାଖି ୨୦ ହଜାର ବଢ଼ିଛି। ସରକାରୀ ତଥ୍ୟ ଅନୁସାରେ, ଏହି ୪୩୬ ବସ୍ତିରେ ୮୦,୬୬୫ ଟି ପରିବାର ବସବାସ କରୁଥିବାବେଳେ ଜନସଂଖ୍ୟା ୩ଲକ୍ଷରୁ ସାମାନ୍ୟ ଅଧିକ ରହିଥିଲା । ରାଜଧାନୀର ବିଭିନ୍ନ ସ୍ଥାନରେ ୬୯୩.୨୧୨ ହେକ୍ଟର ଜମି ଉପରେ ଏହିସବୁ ବସ୍ତି ଗଢ଼ି ଉଠିଛି। ଇତିମଧ୍ୟରେ ୬ ବର୍ଷ ବିତିଗଲାଣି। ଏହି ବର୍ଷ ମାନଙ୍କରେ ଆଉ କେତେ ନୂଆ ବସ୍ତି ଗଢି ଉଠିଛି, ତାହା ଏବେ ଅନୁସନ୍ଧାନ ସାପେକ୍ଷ। କେବଳ ସେତିକି ନୁହେଁ, ଏହି ବସ୍ତିମାନେ କେତେ ଜମି ମା଼ଡ଼ି ବସିଲେଣି, ସେ ନେଇ ମଧ୍ୟ ଅନୁଧ୍ୟାନ ହେବାର ଆବଶ୍ୟକତା ରହିଛି।

ଉଲ୍ଲେଖଥାଉକି, ମନ୍ତ୍ରୀ ଦେଇଥିବା ଉତ୍ତରରେ ଦେଖିବାକୁ ମିଳିଛି ଯେ ରାଜଧାନୀର କେତେକ ସ୍ଥାନରେ ୧୦/୧୫ ପରିବାରକୁ ନେଇ ବସ୍ତି ଗଢି ଉଠିଛି । ୯ ନମ୍ବର ୱାର୍ଡରେ ଥିବା ରଙ୍ଗମାଟିଆ ବସ୍ତିରେ ୧୩ଟି ପରିବାର ଥିବାବେଳେ ସେହି ୱାର୍ଡରେ ଥିବା ରଙ୍ଗମାଟିଆ ବେହେରାସାହି ବସ୍ତିରେ ୧୫ ପରିବାର ରହୁଛନ୍ତି। ୪୭ ନମ୍ବର ୱାର୍ଡର ଯୋଗୀ ସାହିରେ ରହୁଛନ୍ତି ୨୭ ପରିବାର। କେତେକ ବସ୍ତିରେ ଜମିର ପରିମାଣ ୧୦ ରୁ ୧୮ହେକ୍ଟର ପର୍ଯ୍ୟନ୍ତ ରହିଥିବା ଉତ୍ତରରେ ଦର୍ଶାଯାଇଛି ।

ସମ୍ବନ୍ଧିତ ଖବର