ପିଭିକେଙ୍କୁ ମନେ ରଖିବ ଓଡ଼ିଆ ଜାତି, ରେଡିଓରେ ପ୍ରଥମେ ଓଡ଼ିଆ ଗୀତିନାଟ୍ୟ ପ୍ରସାରଣ ଆରମ୍ଭ କରିଥିଲେ

ଭୁବନେଶ୍ବର: ୧୯୬୦ ମସିହାର କଥା। ସେତେବେଳେ କଟକ ଆକାଶବାଣୀ କେନ୍ଦ୍ରର ଷ୍ଟେସନ୍‌ ନିର୍ଦେଶକ ଥା’ନ୍ତି ପି.ଭି କୃଷ୍ଣମୂର୍ତି (ପିଭିକେ)। ‌ଏହାର ୪ ବର୍ଷ ପୂର୍ବରୁ କଟକ ଆକାଶବାଣୀରେ ନାଟକ ବିଭାଗରେ ଯୋଗ ଦେଇଥାଆନ୍ତି ବିଶିଷ୍ଟ ନାଟ୍ୟକାର ଗୋପାଳ ଛୋଟରାୟ। ଏକ ବୈଠକରେ ଶ୍ରୀ କୃଷ୍ଣମୂର୍ତି ପଚାରିଲେ, କଟକ ଆକାଶବାଣୀରେ କି କି ଅପେରାର ରେକର୍ଡିଂ ଅଛି? କୌଣସି ଅପେର‌ା ରେକର୍ଡିଂ ନଥିବାରୁ ଶ୍ରୀ କୃଷ୍ଣମୂର୍ତିଙ୍କ କଥା ଶୁଣି ବୈଠକରେ ଗୁଞ୍ଜରଣ ଖେଳିଗଲା। ଏତିକିବେଳେ ଗୋପାଳ ଛୋଟରାୟ କହିଲେ, ଯଦି ଆପଣ ଚାହି‌ଁବେ, ଆମେ ବୈଷ୍ଣବ ପାଣିଙ୍କ ଗୀତିନାଟ୍ୟ ରେକର୍ଡିଂ କରିପାରିବା। ଏହା ଶୁଣି ବୈଠକରେ ଜଣେ ଭଦ୍ରଲୋକ ଉଠିଯାଇ କ‌ହିଲେ, ବୈଷ୍ଣବ ପାଣିଙ୍କ ଯାତ୍ରା ଯଦି ରେଡିଓରେ ବାଜିବ, ବେତାର କେନ୍ଦ୍ରର ଆଉ ମର୍ଯ୍ୟାଦା ରହିବ! ଏ କଥାକୁ ଭ୍ରୂକ୍ଷେପ ନକରି ଶେଷରେ ପି.ଭି କୃଷ୍ଣମୂର୍ତି ଏଥିରେ ସମ୍ମତି ଦେଲେ। ଶ୍ରୀ‌ ଛୋଟରାୟଙ୍କ ଦ୍ବାରା ୧୯୬୦ ନଭେମ୍ବର ୧୬ ତାରିଖରେ ପ୍ରସ୍ତୁତ ବୈଷ୍ଣବ ପାଣିଙ୍କ ଗୀତାଭିନୟ ‘ରଙ୍ଗସଭା’ ପ୍ରସାରଣ ହେଲା। ଏହା ଏତେ ପ୍ରଶଂସନୀୟ ହେଲା ଯେ ବୈଜ୍ଞାନିକ ଡ. ପ୍ରାଣକୃଷ୍ଣ ପରିଜା ଷ୍ଟେସନ୍‌ ନିର୍ଦେଶକଙ୍କୁ ଫୋନ୍‌ କରି କହିଲେ, ଆଜି ଏ କଟକ ବେତାର କେନ୍ଦ୍ରର ପୁନର୍ଜନ୍ମ ହୋଇଛି। ପରେ ଶ୍ରୀ ଛୋଟରାୟଙ୍କ ସ୍ବରଚିତ ପ୍ରଥମ ଗୀତିନାଟ୍ୟ ‘ଗଣେଶ’ ପ୍ରସାରିତ ହେବା ପରେ ଶହେରୁ ଅଧିକ ପ୍ରଶଂସାପତ୍ର ବେତାର କେନ୍ଦ୍ରକୁ ଆସିଲା। କୌଣସି ଗୋଟିଏ କାର୍ଯ୍ୟକ୍ରମ ସପକ୍ଷରେ ଏତେସଂଖ୍ୟକ ପତ୍ର ବେତାର କେନ୍ଦ୍ରକୁ ଆସିବା ଥିଲା ପ୍ରଥମ। ପି.ଭି କୃଷ୍ଣମୂର୍ତି ବୁଧବାର ଇହଧାମରୁ ବିଦାୟ ନେଇଥିବା ବେଳେ ଓଡ଼ିଶାର ସାଂସ୍କୃତିକ ନବ ଜାଗରଣରେ ତାଙ୍କର ଏହିଭଳି ଅନେକ ଅନବଦ୍ୟ ଅବଦାନକୁ ଓଡ଼ିଆ ଜାତି ସବୁବେଳେ ମନେ ରଖିବ।

ପଚାଶ ଦଶକରେ କଟକ ଆକାଶବାଣୀର କେନ୍ଦ୍ର ନିର୍ଦ୍ଦେଶକ ଭାବରେ ତାଙ୍କର ଯୋଗଦାନ ଓଡ଼ିଶାର ସାଂସ୍କୃତିକ ଜୀବନରେ କ୍ରାନ୍ତି ଆଣିଥିଲା। ଓଡ଼ିଆ ପ୍ରତିଭାଙ୍କୁ ଚିହ୍ନି ସେମାନଙ୍କୁ ସୁଯୋଗ ଦେବାରେ ତାଙ୍କର ‌ଢେର୍‌ ଅବଦାନ ଥିଲା। ଶ୍ରୀ କୃଷ୍ଣମୂର୍ତି କୋଲକାତା ଷ୍ଟେସନ୍‌ ନିର୍ଦେଶକ ଥିବା ବେଳେ କୋଲକାତା ରେଡିଓ ପାଇଁ ‘ଭାରତ ଦର୍ଶନ’ ଶୀର୍ଷକ ଏକ ବଙ୍ଗଳା କାର୍ଯ୍ୟକ୍ରମ କରିଥିଲେ। ସେଥିରେ ସେ ଗାୟକ ଭାବେ ବାଛିଲେ ଅକ୍ଷୟ ମହାନ୍ତିଙ୍କୁ। ‘ଏଇ ଭାରତେର ମାନବରେ.. ଗୀତ ଗାଇ ଅକ୍ଷୟ ମହାନ୍ତି ବଙ୍ଗଳାରେ ବି ଲୋକପ୍ରିୟ ହୋଇଯାଇଥିଲେ। ବିଶିଷ୍ଟ ବଂଶୀବାଦକ ହରିପ୍ରସାଦ ଚୌରାସିଆଙ୍କୁ କଟକ ଆକାଶବାଣୀରେ ନିଯୁକ୍ତି ଦେବା ଦିନକୁ ସ୍ମରଣ କରି ଏକ ସାକ୍ଷାତକାରରେ କହିଥିଲେ, ୧୯-୨୦ ବର୍ଷର ସେ ଟୋକାଟି ଯେତେବେଳେ ପ୍ରଥମ ସ୍ବର ତୋଳିଥିଲା ସେଇଠୁ ମୁଁ ଜାଣିଥିଲି, ଏ ପିଲା ଦିନେ ମହାନ ଶିଳ୍ପୀ ହେବ। ପଣ୍ଡିତ ଚୌରାସିଆ ମଧ୍ୟ ସ୍ବୀକାର କରନ୍ତି, ପିଭିକେ ନଥିଲେ ହୁଏତ ସେ ବି ସଠିକ୍‌ ବାଟ ପାଇ ନଥାଆନ୍ତେ।

ଶ୍ରୀ କୃଷ୍ଣମୂର୍ତିଙ୍କ ନିଧନ ପରେ ବିଶିଷ୍ଟ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକ କହିଛନ୍ତି, ସେ କେବଳ ଜଣେ ଭଲ ପ୍ରଶାସକ କି ଦକ୍ଷ ଷ୍ଟେସନ୍‌ ନିର୍ଦେଶକ ନଥିଲେ, ବରଂ ଜଣେ ଭଲ ବାଦ୍ୟକାର, ସ୍ବରକାର ଓ ଗାୟକ ଥିଲେ। ଆମ ଭିତରେ ଘଟନ ବଜାଇ ସେ ଗୀତ ଆଦାୟ କରୁଥିଲେ। ମତେ ବ୍ୟକ୍ତିଗତ ଭାବେ କହୁଥିଲେ, ତ‌ୁମେ ଗୀତକୁ ଅନୁଭବ କରି ଇମୋସନ୍‌କୁ ବୁଝି ଗାଇ ପାରୁଛ। ସଂଗୀତକୁ ଭଲ ପାଉଥାଅ ଏବଂ ଏମିତି ସାଧନା ଜାରି ରଖିଥାଅ। ଓଡ଼ିଆ ଶିଳ୍ପୀଙ୍କ ପ୍ରତି ତାଙ୍କର ଏହି ଆନ୍ତରିକତା ପାଇଁ ସେ ସବୁବେଳେ ଓଡ଼ିଆ ଜାତିର ସ୍ମରଣୀୟ ହୋଇ ରହିବେ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।

କଟକରେ ବହୁ ମହାନ ଶିଳ୍ପୀଙ୍କୁ ନିଯୁକ୍ତି ଦେବା ଓ ସେମାନଙ୍କ ପ୍ରତିଭାର ପୂର୍ଣ୍ଣ ବିନିଯୋଗ କରାଇବାରେ ପିଭିକେଙ୍କ ଯୁଗାନ୍ତକାରୀ ଭୂମିକା ରହିଥିଲା। ସଙ୍ଗୀତ ସୁଧାକର ବାଳକୃଷ୍ଣ ଦାଶ, ପଣ୍ଡିତ ଭୁବନେଶ୍ୱର ମିଶ୍ର, ବଂଶୀବାଦକ ପଣ୍ଡିତ ହରିପ୍ରସାଦ ଚୌରାସିଆ, ଅକ୍ଷୟ ମହାନ୍ତି, ପ୍ରଣବ ପଟ୍ଟନାୟକ, ସିକନ୍ଦର ଆଲାମଙ୍କ ଭଳି ବହୁ କାଳଜୟୀ ଶିଳ୍ପୀ ତାଙ୍କ ମାର୍ଗଦର୍ଶନ ଲାଭ କରିଥିଲେ। ଗୁରୁ କେଳୁଚରଣ ମହାପାତ୍ରଙ୍କୁ ପ୍ରୋତ୍ସାହନ ଓ ପରିଚିତି ଦେବାରେ ମଧ୍ୟ ତାଙ୍କର ‌ବଡ଼ ଭୂମିକା ଥିଲା। ସେ ସବୁବେଳେ କହୁଥିଲେ, ଓଡ଼ିଶାର ସାଂସ୍କୃତିକ ସମ୍ପଦର ୧ ଭାଗ ବି ଆମେ ଚିହ୍ନି ପାରିନୁ। ଅଣଓଡ଼ିଆ ହୋଇ ମଧ୍ୟ ଓଡ଼ିଶାର ସାଂସ୍କୃତିକ ରାଇଜକୁ ସମୃଦ୍ଧ କରିବାରେ ତାଙ୍କର ଆନ୍ତରିକ ଉଦ୍ୟମ ପାଇଁ ଓଡ଼ିଶାର ସାଂସ୍କୃତିକ ଇତିହାସ ତାଙ୍କୁ ସର୍ବଦା ମନେ ରଖିଥିବ।

ସମ୍ବନ୍ଧିତ ଖବର