ଘୁଞ୍ଚି ଘୁଞ୍ଚି ଯାଉଛି ଅଶୋକା ମାର୍କେଟ ଉଚ୍ଛେଦ

ମାର୍ଚ୍ଚ ତୃତୀୟ ସପ୍ତାହରେ ଭଙ୍ଗା ହେବ

କାମ ଆରମ୍ଭ ହେବାକୁ ଆଉ ୩ ମାସ

ଭୁବନେଶ୍ୱର : ସ୍ମାର୍ଟ ସିଟି ଭୁବନେଶ୍ୱରର ସବୁଠୁ ବଡ଼ ପିପିପି ପ୍ରକଳ୍ପ ଭୁବନେଶ୍ୱର ଟାଉନ ସେଣ୍ଟର ଏବଂ ରେଳ ଷ୍ଟେସନ ମଲ୍ଟି ମୋଡାଲ ହବ୍‌ ନିର୍ମାଣ ପାଇଁ ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ ଯେତିକି ତତ୍ପର ହେବା କଥା ସେତିକି ହେଉନାହିଁ। ଏହି ପ୍ରକଳ୍ପ ସ୍ମାର୍ଟ ସିଟିର ପ୍ରମୁଖ ପ୍ରକଳ୍ପ ହୋଇଥିଲେ ହେଁ ଏହାର ନିର୍ମାଣରେ ପ୍ରତିବନ୍ଧକ ସାଜିଥିବା ଅଶୋକା ମାର୍କେଟ ଭାଙ୍ଗିବା ନେଇ ସ୍ମାର୍ଟ ସିଟି କର୍ତ୍ତୃପକ୍ଷ ଅହେତୁକ ବିଳମ୍ବ କରୁଛନ୍ତି। ଏପରିକି କିଛି ଟଙ୍କା ଲୋଭରେ ନିଜେ ଏହି ବିଲଡିଂକୁ ନ ଭାଙ୍ଗି ଏକ ଘରୋଇ ସଂସ୍ଥାକୁ ଦେବାକୁ ଟେଣ୍ଡର କରିଛନ୍ତି। କିନ୍ତୁ ଏହି ଟେଣ୍ଡର ପ୍ରକ୍ରିୟା ଏତେ ଲମ୍ବା ହୋଇଛି ଯେ, ଅଶୋକା ମାର୍କେଟ୍‌ ସଂପୂର୍ଣ୍ଣ ଉଚ୍ଛେଦ କରିବାକୁ ଜୁନ୍‌ ମାସ ହୋଇଯିବ। ଏହାପରେ ବର୍ଷା ଋତୁ ଆରମ୍ଭ ହେବାକୁ ଥିବାରୁ ଏହି ବହୁ ପ୍ରତୀକ୍ଷିତ ପ୍ରକଳ୍ପ କେବେ ଆରମ୍ଭ ହେବ ସେନେଇ ଏବେ ଦ୍ୱନ୍ଦ୍ୱ ସୃଷ୍ଟି ହେଲାଣି।

ଏହି ପ୍ରକଳ୍ପ ପାଇଁ ପ୍ରାୟ ୮୬୦କୋଟି ଟଙ୍କାର ବଜେଟ୍‌ ଧାର୍ଯ୍ୟ ହୋଇଥିବାବେଳେ ଏଥିରେ କେଉଁ ସଂସ୍ଥା ପୁଞ୍ଜି ନିବେଶ କରିବେ ତାହା ଏପର୍ଯ୍ୟନ୍ତ ସ୍ଥିର ହୋଇପାରିଲାନି। ଏପରିକି ଏହି ପ୍ରକଳ୍ପ ପାଇଁ ବିଡିଏ ଅତିରିକ୍ତ କମିସନରଙ୍କ ନେତୃତ୍ୱରେ ଏକ ଏସ୍‌ପିଭି ଗଠନ ହେବାକୁ ଥିଲେ ହେଁ ଏହା ଆଜି ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହେଲାନି। ଯେଉଁଥିପାଇଁ ସ୍ମାର୍ଟ ସିଟି କର୍ତ୍ତୃପକ୍ଷ ଅଶୋକା ମାର୍କେଟ ଭାଙ୍ଗିବାରେ ବିଳମ୍ବ କରୁଥିବା ବିଶ୍ୱସ୍ତ ସୂତ୍ରରୁ ଜାଣିବାକୁ ମିଳିଛି।

ଅଶୋକା ମାର୍କେଟ୍‌ ଉଚ୍ଛେଦ ପାଇଁ ବିଡିଏ ଟେଣ୍ଡର ଆହ୍ଵାନ କରିଥିବାବେଳେ ଏଥିରୁ ପ୍ରାୟ ୧୦ରୁ ୧୫ଲକ୍ଷ ଟଙ୍କା ପାଇବାକୁ ଆଶା କରିଛି। ଏଥିପାଇଁ ୬ତାରିଖରୁ ଟେଣ୍ଡର ଆହ୍ଵାନ ହୋଇଥିବାବେଳେ ୨୬ତାରିଖ ପର୍ଯ୍ୟନ୍ତ ଆବେଦନ କରି ହେବ। ମାର୍ଚ୍ଚ ୭ତାରିଖରେ ଟେକନିକାଲ ବିଡିଂ ଖୋଲା ହେବାକୁ ଥିବାବେଳେ ମାର୍ଚ୍ଚ ୯ରେ ଫାଇନାନସିଆଲ ବିଡିଂ ଖୋଲା ହେବ। ଦୁଇ ସପ୍ତାହ ମଧ୍ୟରେ କାର୍ଯ୍ୟାଦେଶ ଦିଆଯିବ। ଯେଉଁ ସଂସ୍ଥା ଟେଣ୍ଡର ପାଇବ ସେ ପୂରା ମାର୍କେଟ କମ୍ପ୍ଲେକ୍ସକୁ ମାଟିରେ ମିଶାଇବ। ଏହାସହ ସମସ୍ତ ଭଗ୍ନାବିଶେଷକୁ ଡମ୍ପିଂୟାର୍ଡରେ ପକାଯିବ। ଯେଉଁ ସଂସ୍ଥା ଏହାକୁ ଭାଙ୍ଗିବ ସେ ମାର୍କେଟରେ ଲାଗିଥିବା ରଡ୍‌, ଗ୍ରିଲ୍‌, ସଟର୍‌, ଫ୍ୟାନ୍‌, ଲାଇଟ୍‌ ସମେତ ଇଲେକ୍ଟ୍ରିକ୍‌ ସାମଗ୍ରୀ, ପାଣି ପାଇପ୍‌ ଆଦି ନେବ।

ଏନେଇ ବିଡିଏର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ଅଶୋକା ମାର୍କେଟ୍‌ ଭାଙ୍ଗିବା ପାଇଁ ଆମ ପାଖରେ ଯନ୍ତ୍ରାଂଶ ନଥିବାରୁ ଆମେ ଘରୋଇ ସଂସ୍ଥାକୁ ଦାୟିତ୍ୱ ଦେଉଛୁ। ଅଶୋକା ମାର୍କେଟ୍‌ ସଂପୂର୍ଣ୍ଣ ଉଚ୍ଛେଦ ହେବା ପରେ ଏହି ଅଞ୍ଚଳରେ କାମ ଆରମ୍ଭ ହେବ। ଯେପରି ଖୁବ୍‌ ଶୀଘ୍ର ଏହି ପିପିପି ପ୍ରକଳ୍ପ ଆରମ୍ଭ ହେବ ସେନେଇ ଯୋଜନା ପ୍ରସ୍ତୁତ ହେଉଛି।

ସମ୍ବନ୍ଧିତ ଖବର