କାର୍‌ ଧକ୍କାରେ ବ୍ୟବସାୟୀ ମୃତ, ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତା ଅବରୋଧ

ବାଇକ୍‌ ଧକ୍କାରେ ଯୁବକଙ୍କ ମୃତ୍ୟୁ, ୨ ଗୁରୁତର

ବାଲିଅନ୍ତା : ବାଲିଅନ୍ତା ଥାନା ପାହାଳ ଫାଣ୍ଡି ଅଧୀନ ନଖରା-ନିଆଳି ମୁଖ୍ୟ ରାସ୍ତାର ଅନନ୍ତପୁର ଗ୍ରାମ ନିକଟରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ଦ୍ରୁତଗାମୀ କାର୍‌ ଧକ୍କାରେ ବାଲିଅନ୍ତା ଥାନା ମନ୍ଦାରିଆପାଟଣା ଗ୍ରାମର ସୁଶାନ୍ତ ପଣ୍ଡା (୫୮)ଙ୍କ ମୃତ୍ୟୁ ହୋଇଛି। ସୁଶାନ୍ତ ଜଣେ ଗାଡ଼ି ମାଲିକ। ଗତକାଲି ସେ ତାଙ୍କ ବୁଲେଟ୍‌ରେ ଘରକୁ ଫେରୁଥିବା ବେଳେ ପଛରୁ ଏକ କାର୍‌ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ହିଁ ତାଙ୍କର ପ୍ରାଣବାୟୁ ଉଡ଼ି ଯାଇଥିଲା। ଦୁର୍ଘଟଣା ପରେ ସେଠାରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ସ୍ଥାନୀୟ ଲୋକମାନେ ପହଞ୍ଚି କିଛି ସମୟ ପାଇଁ ରାସ୍ତା ଅବରୋଧ କରିବାରୁ ଉଭୟ ପାର୍ଶ୍ବ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ଖବର ପାଇ ବାଲିଅନ୍ତା ଥାନା ଅଧିକାରୀ ପ୍ରଦୀପ ରାଉତ, ଜୋନ-୪ ଏସିପି ଅମରେନ୍ଦ୍ର ପଣ୍ଡା ଓ ପାହାଳ ଫାଣ୍ଡି ଅଧିକାରୀ କାଶୀନାଥ ହାଂସଦା ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା। ପାହାଳ ଫାଣ୍ଡି ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପରେ ପରିବାରଲୋକଙ୍କୁ ହସ୍ତାନ୍ତର କରିଛି। ଦୁର୍ଘଟଣା ଘଟାଇଥିବା କାର୍‌କୁ ପୁଲିସ ଜବତ କରିବା ସହ ଚାଳକ ଶୁଭାଶିଷ ଲେଙ୍କାଙ୍କୁ ଗିରଫ କରିଥିବା ଜଣାଯାଇଛି। ଶୁଭାଶିଷଙ୍କ ଘର ଜଗତସିଂହପୁର ଜିଲ୍ଲାର ନାଉଗାଁ ଅଞ୍ଚଳରେ।

ବାଇକ୍‌ ଧକ୍କାରେ ଯୁବକଙ୍କ ମୃତ୍ୟୁ, ୨ ଗୁରୁତର

ଭୁବନେଶ୍ବର : ଶାସ୍ତ୍ରୀନଗର ଟ୍ରାଫିକ୍‌ ଛକ ନିକଟରେ ବାଇକ୍‌ ଧକ୍କାରେ ଜଣେ ଯୁବକଙ୍କର ମୃତ୍ୟୁ ଘଟିଥିବା ବେଳେ ୨ଜଣ ଗୁରୁତର ଆହତ ହୋଇଛନ୍ତି। ମୃତ ଯୁବକଜଣଙ୍କ ହେଲେ ୟୁନିଟ୍-୪ ଅଞ୍ଚଳର ଅବିନାଶ ନାୟକ(୨୮)। ସେହିପରି ଆହତ ଯୁବକଦ୍ବୟ ହେଲେ କ୍ୟାପିଟାଲ ହସ୍ପିଟାଲ ନିକଟ ହରିଜନ ବସ୍ତିର ସୁଶାନ୍ତ ନାୟକ ଓ ଅମର ଦଳେଇ। ଶୁକ୍ରବାର ସନ୍ଧ୍ୟା ପ୍ରାୟ ସାଢ଼େ ୬ଟାରେ ଶାସ୍ତ୍ରୀନଗରସ୍ଥିତ ଏକ ଦୋକାନରୁ ଟିଫିନ୍‌ କରି ଫେରୁଥିବା ବେଳେ ୧୨୦ ବାଟାଲିୟନ ପଟୁ ବାଇକ୍‌ରେ ଆସୁଥିବା ସୁଶାନ୍ତ ଅବିନାଶଙ୍କୁ ଧକ୍କା ଦେଇଥିଲେ। ଫଳରେ ଅବିନାଶ, ସୁଶାନ୍ତ ଓ ତାଙ୍କ ପଛରେ ବସିଥିବା ଅମର ଗୁରୁତର ଆହତ ହୋଇଥିଲେ। ତିନିଜଣ ଯାକ ରକ୍ତାକ୍ତ ଅବସ୍ଥାରେ ତଳେ ପଡ଼ି ରହିଥିଲେ। ଖବର ପାଇ ଖାରବେଳନଗର ଥାନା ପୁଲିସ ୩ଜଣଙ୍କୁ ଉଦ୍ଧ‌ାର କରି ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲ୍‌ ନେଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ସେଠାରେ ଅବିନାଶଙ୍କ ମୃତ୍ୟୁ ଘଟିଥିଲା।

ସମ୍ବନ୍ଧିତ ଖବର