ରାଜ୍ୟ ନିର୍ବାଚନ ଆୟୋଗଙ୍କୁ ଭେଟିଲେ କିନ୍ନର ନେତୃମଣ୍ଡଳୀ: ନିର୍ବାଚନରେ ୫ପ୍ରତିଶତ ସଂରକ୍ଷଣ ଦାବି

ଭୁବନେଶ୍ୱର: ୫ ଦଫା ଦାବି ନେଇ ଆଜି ଟି.ଜି ସୁରକ୍ଷା ଟ୍ରଷ୍ଟ ପକ୍ଷରୁ କିନ୍ନର ନେତୃମଣ୍ଡଳୀ ରାଜ୍ୟ ନିର୍ବାଚନ ଆୟୋଗ ସଚିବଙ୍କୁ ଭେଟିଛନ୍ତି। ଲୋକସଭା, ବିଧାନସଭା ଓ ମ୍ୟୁନସିପାଲଟି ନିର୍ବାଚନରେ କିନ୍ନରମାନଙ୍କ ପାଇଁ ୫ପ୍ରତିଶତ ସଂରକ୍ଷଣ ଦାବି କରିବାକୁ ଟ୍ରଷ୍ଟ ପକ୍ଷରୁ ଦାବି କରାଯାଇଛି। ୫ ଦଫା ଦାବି ଉପରେ ରାଜ୍ୟ ସରକାରଙ୍କ ସହ ଆଲୋଚନା କରାଯିବ ବୋଲି ସଚିବ ପ୍ରତିଶ୍ରୁତି ଦେଇଥିବା ଟ୍ରଷ୍ଟର ସଭାପତି ପ୍ରତାପ ସାହୁ ସୂଚନା ଦେଇଛନ୍ତି।
ଟ୍ରଷ୍ଟର ଦାବି ଅନୁଯାୟୀ, ରାଜ୍ୟରେ ହେବାକୁ ଥିବା ଲୋକସଭା, ବିଧାନସଭା ଓ ମ୍ୟୁନସିପାଲଟି ନିର୍ବାଚନରେ କିନ୍ନରମାନଙ୍କୁ ୫ପ୍ରତିଶତ ସଂରକ୍ଷଣ ଦିଆଯାଉ। ରାଜ୍ୟରେ ହେବାକୁ ଥିବା ମ୍ୟୁନସିପାଲିଟି ନିର୍ବାଚନରେ କାଉନସିଲର ପଦବି ପାଇଁ କିନ୍ନରମାନଙ୍କୁ ୫ପ୍ରତିଶତ ସଂରକ୍ଷଣ, କର୍ପୋରେସନ୍‌ ନିର୍ବାଚନରେ କର୍ପୋରେଟର ପଦବି ପାଇଁ କିନ୍ନରଙ୍କୁ ୫ପ୍ରତିଶତ ସଂରକ୍ଷଣ ଓ ଏନ୍‌ଏସି ନିର୍ବାଚନରେ କାଉନସିଲର ପଦବି ପାଇଁ କିନ୍ନରମାନଙ୍କ ଲାଗି ୫ପ୍ରତିଶତ ସଂରକ୍ଷଣ ଦିଆଯାଉ। ଏହାଛଡ଼ା କିନ୍ନରମାନଙ୍କ ପାଇଁ ସ୍ୱତନ୍ତ୍ର କ୍ୟାମ୍ପ କରାଯାଇ ଭୋଟ ପରିଚୟପତ୍ର ଯୋଗାଇ ଦେବାକୁ ଟ୍ରଷ୍ଟ ପକ୍ଷରୁ ଦାବି କରାଯାଇଥିଲା।
କେନ୍ଦ୍ର ନିର୍ବାଚନ ଆୟୋଗ ୫ବର୍ଷ ତଳେ କିନ୍ନରଙ୍କୁ ‘ଅନ୍ୟାନ୍ୟ’ ସ୍ଥାନ ଦେଇଥିବା ବେଳେ ଓଡ଼ିଶାରେ କୌଣସି ସ୍ଥାନ ସଂରକ୍ଷଣ କରାଯାଇନାହିଁ। ସ୍ଥାନ ସଂରକ୍ଷଣ ନ ଥିବାରୁ କୌଣସି ରାଜନୈତିକ ଦଳ କିନ୍ନରଙ୍କୁ ପ୍ରୋତ୍ସାହନ ଦେଉ ନ ଥିବା ଟ୍ରଷ୍ଟ ପକ୍ଷରୁ କୁହାଯାଇଛି। ଆଜିର କାର୍ଯ୍ୟକ୍ରମରେ ସଭାପତି ମେନକା କିନ୍ନର, ସୋନମ କିନ୍ନର, ରାଧା କିନ୍ନର, ରୀନା କିନ୍ନର, ପୂଜା କିନ୍ନର, ପ୍ରିୟା କିନ୍ନର, ଅନୁଷ୍କା କିନ୍ନର, ଲକି କିନ୍ନର, ସପ୍‌ନା କିନ୍ନର ଓ କଣ୍ଢେଇ କିନ୍ନର ପ୍ରମୁଖ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର