ଅବସରପ୍ରାପ୍ତ ସୈନିକଙ୍କ ଘରୁ ଡକାୟତି ମାମଲା : ଅନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗ୍ ଠାବ
ଭୁବନେଶ୍ୱର : କାନନବିହାରର ଅବସରପ୍ରାପ୍ତ ସୈନିକ ସୁଧାକର ଦାସଙ୍କ ଘରେ ଘଟିଥିବା ଡକାୟତି ମାମଲାରେ ଏକ ଗ୍ୟାଙ୍ଗ୍ଙ୍କୁ ଠାବ କରିଛି କମିସନରେଟ୍ ପୁଲିସ। ଖୁବ୍ ଶୀଘ୍ର ଗ୍ୟାଙ୍ଗ୍ ସନ୍ଧାନରେ କମିସନରେଟ୍ ପୁଲିସ ଦିଲ୍ଲୀ ଯିବ ବୋଲି ଜଣାପଡ଼ିଛି। ଭୋଟ ଗଣତି ପରେ ଦୁଇଟି ଦଳ ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳରେ ଚଢ଼ଉ କରିବା ଯୋଜନା ହୋଇଛି। କମିସନରେଟ୍ ପୁଲିସ ଅଧୀନରେ ଘଟିଥିବା ଅନୁରୂପ ମାମଲାକୁ ତର୍ଜମା କଲାବେଳେ ଏହି ଗ୍ୟାଙ୍ଗ୍ ସମ୍ବନ୍ଧରେ ସୂଚନା ମିଳିଛି। ଉଭୟ ମାମଲାର ଅପରେସନ ଅନୁରୂପ ଢଙ୍ଗରେ ହୋଇଛି। ଦିଲ୍ଲୀ ପୁଲିସର ସହାୟତାରେ ଏହି ଗ୍ୟାଙ୍ଗ୍କୁ ଠାବ କରାଯିବ ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ପ୍ରାଥମିକ ଅନୁସନ୍ଧାନରେ ମିଳିଥିବା ସୂଚନା ମୁତାବକ, ଗ୍ୟାଙ୍ଗ୍ରେ ୧୫ ଜଣ ରହିଛନ୍ତି। ସେଥିରେ ଶିଶୁଙ୍କ ସମେତ ନାବାଳକ ଓ ମହିଳା ମଧ୍ୟ ଅଛନ୍ତି। ଛୋଟରୁ ଛୋଟ ରାସ୍ତା ଦେଇ ଘର ଭିତରେ ପଶିବା ପାଇଁ ଏହି ଶିଶୁ ଓ ନାବାଳକଙ୍କୁ ବ୍ୟବହାର କରାଯାଉଛି। ସେମାନେ ଘରେ ପଶି କବାଟ ଖୋଲିବା ପରେ ଅନ୍ୟମାନେ ଘରେ ପ୍ରବେଶ କରୁଛନ୍ତି। ବାହାରେ ମଧ୍ୟ କେତେଜଣ ଜଗି ରହୁଛନ୍ତି। ଡକାୟତି ପରେ ଘଟଣାସ୍ଥଳରୁ ଭାଗ ଭାଗ ହୋଇ ଫେରାର ହେବା ସହ ଯଥାଶୀଘ୍ର ସହର ଛାଡ଼ି ଦେଉଛନ୍ତି। ଏହା ପରେ ସେମାନେ ଆଉ ଏକ ସହରକୁ ଟାର୍ଗେଟ କରୁଛନ୍ତି। ପୂର୍ବ ସହରକୁ ଫେରିବା ପାଇଁ ସେମାନଙ୍କୁ ଅନେକ ସମୟ ଲାଗୁଛି। ସାରା ଭାରତବର୍ଷରେ ବୁଲି ବୁଲି ଏମାନେ ଡକାୟତି କରୁଛନ୍ତି। ଯେଉଁ ସହରରେ ଡକାୟତି କରୁଛନ୍ତି ସେହି ସହରର ଲୋକଙ୍କୁ ବା ସ୍ଥାନୀୟ ଲୋକଙ୍କୁ ସାଙ୍ଗରେ ରଖୁନାହାନ୍ତି। ମୋବାଇଲ ଫୋନ୍ ମଧ୍ୟ ବ୍ୟବହାର କରୁନାହାନ୍ତି। ଫଳରେ ସେମାନଙ୍କୁ ଧରିବା ବା ସୁରାକ୍ ପାଇବା ମଧ୍ୟ ସମ୍ଭବ ହେଉନାହିଁ। ବଡ଼କଥା ହେଉଛି ଏମାନେ ମୋଟାଅଙ୍କର ଅର୍ଥ ରୋଜଗାର କରୁଥିଲେ ମଧ୍ୟ ଅତି ସାଧାରଣ ଜୀବନଯାପନ ଓ ପୋଷାକ ପରିଚ୍ଛଦରୁ ମଧ୍ୟ ଏମାନେ ଡକାୟତ ବା ମୋଟାଅଙ୍କର ଅର୍ଥ ରଖିଥିବା ବିଶ୍ବାସଯୋଗ୍ୟ ହେଉନାହିଁ।
Sambad is now on WhatsApp
Join and get latest news updates delivered to you via WhatsApp
କେମିତି ହୁଏ ଅପରେସନ
ଏହି ଦଳ ଗୋଟିଏ ଡକାୟତି କରିବା ପାଇଁ ପାଖାପାଖି ଗୋଟିଏ ମାସ ସମୟ ନେଇଥାନ୍ତି। ସହରରେ ରହିବା ପାଇଁ ରେଳ ଷ୍ଟେସନକୁ ପ୍ରକୃଷ୍ଟ ସ୍ଥାନ ଭାବରେ ବାଛିଥାନ୍ତି। ରୋଜଗାର ଆଳରେ ଘର ଘର ବୁଲି ଜିନିଷ ବିକ୍ରି କରିବା ପାଇଁ ଏମାନେ ମହିଳାମାନଙ୍କୁ କାମରେ ଲଗାଇଥାନ୍ତି। ମହିଳାମାନେ ଜିନିଷ ବିକ୍ରି କରିବା ଆଳରେ ଘରର ପରିସ୍ଥିତି ଅନୁଧ୍ୟାନ କରନ୍ତି। ପାରିପାର୍ଶ୍ବିକ ପରିସ୍ଥିତି ସହ ଯଥାଶୀଘ୍ର ଖସିବା ବାଟ ମଧ୍ୟ ଅନୁମାନ ଲଗାଇଥାନ୍ତି। ତା’ ସହିତ ଘରେ ପଶିବା ପାଇଁ ବାଟ ମଧ୍ୟ ମାପିଥା’ନ୍ତି। ଘର ଥରେ ଟାର୍ଗେଟ ହେବା ପରେ ଦଳ ପ୍ରସ୍ତୁତ ହୁଅନ୍ତି। ରାତିର ବିଳମ୍ବିତ ପ୍ରହରକୁ ଅପରେସନ ପାଇଁ ବାଛିଥାନ୍ତି। ଛୋଟ ପିଲା ଭିତରେ ପଶି କବାଟ ଖୋଲିବା ପରେ ସମସ୍ତେ ଭିତରକୁ ପଶନ୍ତି। ଯଦି ନାବାଳକ ବା ଶିଶୁ ଧରା ପଡ଼ି ଯାଆନ୍ତି ତେବେ ବଡ଼ମାନେ ଖଣ୍ଡେ ଦୂରରେ ଅପେକ୍ଷା କରନ୍ତି। ଛୋଟ ପିଲା ଭାବି ଲୋକମାନେ ମାଡ଼ ମାରି ବିଦା କରିଦିଅନ୍ତି। କିନ୍ତୁ ଏହି ଗ୍ୟାଙ୍ଗ୍ର ସୁରାକ୍ ଲେକମାନେ ପାଆନ୍ତି ନାହିଁ। ଗୋଟିଏ ପରେ ଗୋଟିଏ ଘଟଣା ଘଟିବାରୁ କମିସନରେଟ୍ ପୁଲିସ୍ ଖୋଳତାଡ଼ କରି ଗ୍ୟାଙ୍ଗ୍ର ସନ୍ଧାନ ପାଇଛି। ଗ୍ୟାଙ୍ଗ୍ ଦିଲ୍ଲୀରେ ଥିବା ଜଣାପଡ଼ିଛି।
କେମିତି କରିଥିଲେ ଡକାୟତି
ଭାରତୀୟ ସେନାରୁ କିଛି ବର୍ଷ ତଳେ ଅବସର ନେଇଥିବା ସୁଧାକର ଦାସ କାନନ ବିହାର ଫେଜ୍-୧ସ୍ଥିତ ଏଚ୍ଆଇଜି କଲୋନିରେ ସପରିବାର ଭଡ଼ା ରହୁଥିଲେ। ବଡ଼ ପୁଅ ଦିଲ୍ଲୀରେ ରହୁଥିବା ବେଳେ ବୋହୂ ସୁରଞ୍ଜିତା (ଘରୋଇ ବ୍ୟାଙ୍କ କର୍ମଚାରୀ), ସାନପୁଅ ଅମିତ କୁମାର ଦାସ (ଏନ୍ଆଇଏଫ୍ଟି ସହ ପ୍ରଧ୍ୟାପକ), ୫ ମାସର ନାତି ଓ ପତ୍ନୀ ପ୍ରମିଳା ଦାସ ତାଙ୍କ ସହ ଏଠାରେ ରହୁଥିଲେ। ଫେବ୍ରୁଆରି ୧୪ ତାରିଖ ରାତିରେ ସମସ୍ତେ ଶୋଇବା ପରେ ରାତି ପ୍ରାୟ ୩ଟା ୧୫ ବେଳକୁ ପରିବାର ଲୋକ ଶବ୍ଦ ଶୁଣି ଉଠିବା ବୋଳକୁ ଘର ଭିତରରେ ୧୦ରୁ ୧୫ ଜଣ ମୁଖାପିନ୍ଧା ଡକାୟତ ହାତରେ ଖଣ୍ଡା, ଭୁଜାଲି ଓ କଟୁରି ଧରି ଠିଆ ହୋଇଥିଲେ। ପରିବାର ସଦସ୍ୟ କିଛି ବୁଝିବା ପୂର୍ବରୁ ସେମାନଙ୍କ ହାତଗୋଡ଼ ରଶିରେ ବାନ୍ଧି ପକାଇଥିଲେ। ୫ ମାସର ଶିଶୁକୁ ଉଠାଇ ହତ୍ୟା ଧମକ ଦେବାରୁ ପରିବାରଲୋକ ଆଲମିରା ଖୋଲି ଦେଇଥିଲେ। ଆଲମିରାରୁ ୧୦ରୁ ୧୫ଲକ୍ଷ ଟଙ୍କାର ସୁନାଗହଣା, ୨ଲକ୍ଷ ଟଙ୍କାର ରୁପା ଅଳଙ୍କାର, ୮୦ ହଜାର ଟଙ୍କା, ୭ଟି ଦାମୀ ମୋବାଇଲ୍ ଲୁଟି ଫେରାର ହୋଇ ଯାଇଥିଲେ।