ବନ୍ଧୁକ ମୁନରେ ଦମ୍ପତିଙ୍କ ଘରୁ ଲୁଟ୍

ଯୁବକଙ୍କୁ ଆକ୍ରମଣ କରି ଲୁଟ୍‌, ୨ ଗିରଫ, ଆକ୍ରମଣ କରି ବାଇକ୍‌ ଛଡ଼ାଇନେଲେ

ବାରଙ୍ଗ : ବାରଙ୍ଗ ବ୍ଲକ ଅନ୍ତର୍ଗତ ମଧୁପୁର ଗ୍ରାମରେ ରହୁଥିବା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ଅଜୟ କୁମାର ନାୟକଙ୍କ ଘରୁ ମଙ୍ଗଳବାର ରାତିରେ ଲୁଟ୍‌ ହୋଇଛି। ଲୁଟେରାମାନେ ବନ୍ଧୁକ ମୁନରେ ଦମ୍ପତିଙ୍କୁ ଭୟଭୀତ କରି ନଗଦ ୧୫ ହଜାର ଟଙ୍କା ସହ ସୁନା ଖଡୁ, ସୁନା ଚେନ୍‌ ଓ ହଳେ ରୁପା ପାଉଁଜି ଲୁଟି ନେଇଛନ୍ତି। ଧରା ପଡ଼ିଯିବା ଭୟରେ ଲୁଟେରାମାନେ ଘରେ ଲାଗିଥିବା ସିସିଟିଭି ଓ ହାର୍ଡଡିସ୍କକୁ ତାଡ଼ି ଗଲାବେଳେ ସାଙ୍ଗରେ ନେଇ ଯାଇଛନ୍ତି। ଖବର ପାଇ ବାରଙ୍ଗ ଥାନା ପୁଲିସ ଘଟଣାସ୍ଥଳ ପରିଦର୍ଶନ କରି ତଦନ୍ତ କରିଥିଲା। କିନ୍ତୁ ଶେଷ ରିପୋର୍ଟ ଲେଖା ହେବା ବେଳକୁ ଏ ସଂପର୍କରେ ଥାନାରେ ଅଭିଯୋଗ ହୋଇନାହିଁ। ଗତକାଲି ରାତି ପ୍ରାୟ ୧୦ଟା ବେଳେ ନାୟକ ଦମ୍ପତି ଓ ଜଣେ ସଂପର୍କୀୟ ଯୁବକ ଘରେ ଟିଭି ଦେଖୁଥିଲେ। ଏହି ସମୟରେ ୪ ଜଣ ମୁଖାପିନ୍ଧା ଲୁଟେରା ତାଙ୍କ ଘର ପଛପାଖ ପାଚେରିରେ ରଙ୍ଗ ଦେବା ଲାଗି ବ୍ୟବହୃତ ବାଉଁଶ ସାହାଯ୍ୟ‌ରେ ଘର ଭିତରକୁ ପଶି ଆସିଥିଲେ। ପରେ ସେମାନେ ଘର ପଛପାଖରେ ଥିବା ଛୋଟ ଗ୍ରିଲ୍‌ ଖୋଲି ଭିତରକୁ ପଶିଥିଲେ। ସେମାନଙ୍କ ମଧ୍ୟରୁ ଜଣେ ଦୁର୍ବୃତ୍ତ ଅଜୟଙ୍କୁ ମାଡ଼ ମାରିଥିବା ବେଳେ ଅନ୍ୟ ଜଣେ ଦୁର୍ବୃତ୍ତ ସଂପର୍କୀୟ ଯୁବକଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଭୟଭୀତ କରାଇଥିଲା। ପରେ ସେମାନେ ଘର ଖାନତଲାସି କରି ଲୁଟ୍‌ କରିଥିଲେ। ଅଜୟଙ୍କ ସ୍ତ୍ରୀଙ୍କ ବେକରେ ଥିବା ଏକ ସୁନାଚେନ୍‌କୁ ମଧ୍ୟ ଛିଡ଼ାଇ ନେଇଥିଲେ।

ଯୁବକଙ୍କୁ ଆକ୍ରମଣ କରି ଲୁଟ୍‌, ୨ ଗିରଫ

ଭୁବନେଶ୍ବର : ଦାଦାବଟି ନ ଦେବାରୁ ଯୁବକଙ୍କୁ ଆକ୍ରମଣ କରି ଲୁଟ୍‌ ଅଭିଯୋଗରେ ସହିଦନଗର ଥାନା ପୁଲିସ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ, ବାଙ୍କୁଆଳ ଅଞ୍ଚଳର ନାରାୟଣ ସ୍ବାଇଁ(୨୬) ଓ ବିଘ୍ନେଶ୍ବର ରଣା ଓରଫ ସୁଜିତ(୨୪)। କିଛି ଦିନ ତଳେ ନାରାୟଣ ଓ ସୁଜିତ ସ୍ଥାନୀୟ ଅଞ୍ଚଳରେ ଥିବା ସୁରେଶ ଚନ୍ଦ୍ର ସାହୁଙ୍କ ଦୋକାନକୁ ଯାଇ ଦାଦାବଟି ମାଗିଥିଲେ। ହେଲେ ସେ ନ ଦେବାରୁ ଉଭୟ ତାଙ୍କୁ ଧମକଚମକ ଦେଇ ଚାଲି ଯାଇଥିଲେ। ଗତ ୨୦ ତାରିଖ ସନ୍ଧ୍ୟାରେ ସୁରେଶଙ୍କ ପୁଅ ସୁଦୀପ ହାଇଟେକ୍‌ କଲେଜ୍‌ରୁ କାମ ସାରି ଘରକୁ ଫେରୁଥିବା ବେଳେ ସୁଜିତ ଓ ନାରାୟଣ ତାଙ୍କୁ ଅତର୍କିତ ଆକ୍ରମଣ କରିଥିଲେ। ସେ କିଛି ବୁଝିବା ପୂର୍ବରୁ ଉଭୟ ତାଙ୍କୁ ନିସ୍ତୁକ ମାଡ଼ ମାରି ୧୦ ହଜାର ଟଙ୍କା ନେଇଯାଇଥିଲେ। ମାଡ଼ ଯୋଗୁଁ ସୁଦୀପଙ୍କ ଦୁଇ ଗୋଡ଼ ଭାଙ୍ଗି ଯାଇଥିଲା। ଏନେଇ ସେ ସହିଦନଗର ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିଲା। ଆଜି ପୁଲିସ ଉଭୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ଆକ୍ରମଣ କରି ବାଇକ୍‌ ଛଡ଼ାଇନେଲେ

ଭୁବନେଶ୍ୱର : ମଙ୍ଗଳବାର ବିଳମ୍ବିତ ରାତିରେ ସିଆର୍‌ପି ଛକ ନିକଟରୁ ଜଣେ ଯୁବକଙ୍କଠାରୁ ଲୁଟ୍‌ ହୋଇଛି। ଲୁଟେରାମାନେ ଯୁବକଙ୍କୁ ଆକ୍ରମଣ କରି ତାଙ୍କ ବାଇକ୍‌, ମୋବାଇଲ ଓ ଟଙ୍କା ଛଡ଼ାଇ ନେଇଛନ୍ତି। ଲୁଟ୍‌ର ଶିକାର ଯୁବକଜଣଙ୍କ ହେଲେ, ମୋହନ ବଳବନ୍ତରାୟ। ଆଜି ସେ ଏ ସଂପର୍କରେ ନୂଆପଲ୍ଲୀ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ମୋହନଙ୍କ ଅଭିଯୋଗ ମୁତାବକ, ମଙ୍ଗଳବାର ରାତି ପ୍ରାୟ ୧ଟାରେ ସେ ଆଇଟିଇଆର୍‌ କଲେଜରୁ ନୂଆପଲ୍ଲୀସ୍ଥିତ ଘରକୁ ଫେରୁଥିଲେ। ସିଆର୍‌ପି ଟ୍ରାଫିକ୍‌ ଛକ ନିକଟରୁ ଏକ କାର୍‌ ତାଙ୍କୁ ପିଛା କରିଥିଲା। କିଛି ବାଟ ପିଛା କରିବା ପରେ କାର୍‌ଟି ଆଗକୁ ଆସି ତାଙ୍କ ରାସ୍ତା ଅବରୋଧ କରିଥିଲା। ମୋହନ ବିପରୀତ ଦିଗରେ ବାଇକ୍‌ ବୁଲାଇ ଖସିବାକୁ ଚେଷ୍ଟା କରିବାରୁ ପଛପଟୁ ୨ଟି ଆକ୍ଟିଭାରେ ଆସୁଥିବା ୪ଜଣ ଦୁର୍ବୃତ୍ତ ତାଙ୍କୁ ଅଟକାଇ ଘେରି ଯାଇଥିଲେ। ସେମାନେ ମୋହନଙ୍କୁ ନିସ୍ତୁକ ମାଡ଼ ମାରି ବାଇକ୍‌, ମୋବାଇଲ୍‌ ଓ ଟଙ୍କା ଛଡ଼ାଇ ନେଇଥିଲେ।

ସମ୍ବନ୍ଧିତ ଖବର