ଦେଶର ଅର୍ଥନୀତିର ସଂରକ୍ଷକ ସିଏ: ରାଜ୍ୟପାଳ

ଜାତୀୟ ଚାଟାର୍ଡ ଆକାଉଣ୍ଟାଣ୍ଟ ସମ୍ମିଳନୀ ଉଦ୍‌ଘାଟିତ

ଭୁବନେଶ୍ୱର: ଭାରତର ଅର୍ଥନୈତିକ କାର୍ଯ୍ୟକଳାପରେ ଚାଟାର୍ଡ ଆକାଉଣ୍ଟାଣ୍ଟ(ସିଏ)ମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଦେଶର ଆର୍ଥିକ ଅଭିବୃଦ୍ଧି କ୍ଷେତ୍ରରେ ସେମାନଙ୍କର ଉଲ୍ଲେଖନୀୟ ଯୋଗଦାନ ପାଇଁ ସେମାନଙ୍କୁ ଅର୍ଥନୀତିର ସଂରକ୍ଷକ କୁହାଯାଏ ବୋଲି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ କହିଛନ୍ତି। ହୋଟେଲ ମେ’ ଫେୟାରରେ ଆଜିଠାରୁ ଆରମ୍ଭ ହୋଇଥିବା ଜାତୀୟ ଚାଟାର୍ଡ ଆକାଉଣ୍ଟାଣ୍ଟ ସମ୍ମିଳନୀକୁ ଉଦ୍‌ଘାଟନ କରି ରାଜ୍ୟପାଳ ପ୍ରଫେସର ଲାଲ୍‌ କହିଲେ, ଦେଶର ଅର୍ଥନୈତିକ ସ୍ୱାସ୍ଥ୍ୟର ଅଭିବୃଦ୍ଧି ନିମନ୍ତେ ସିଏମାନଙ୍କୁ ବୃତ୍ତିଗତ ଦକ୍ଷତା ପ୍ରଦର୍ଶନ କରିବାକୁ ହେବ। କୃଷକ ଆତ୍ମହତ୍ୟା ରୋକିବାଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ଆର୍ଥିକ ସ୍ଥିତିରେ ଉନ୍ନତି ଆଣିବା ଆଦି ଅନେକ ପ୍ରସଙ୍ଗ ରହିଛି। ସରକାର ଏଥିପାଇଁ ଅନେକ ଆଇନ ଓ ବ୍ୟବସ୍ଥା ପ୍ରଣୟନ କରୁଛନ୍ତି। ଏହାର ସଫଳ କାର୍ଯ୍ୟକାରିତା ସିଏଙ୍କ ଦ୍ୱାରା ହୋଇପାରିବ ବୋଲି ରାଜ୍ୟପାଳ କହିଛନ୍ତି।

ନାଲ୍‌କୋର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦେଶକ ଡ. ତପନ କୁମାର ଚାନ୍ଦ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଭାରତ ଏକ ଅର୍ଥନୈତିକ ମହାଶକ୍ତିରେ ପରିଣତ ହେବାକୁ ଯାଉଛି। ଏହି ଧାରାରେ ଚାଟାର୍ଡ ଆକାଉଣ୍ଟାଣ୍ଟଙ୍କର ବିଶେଷ ଦାୟିତ୍ୱ ରହିଛି ବୋଲି ସେ କହିଥିଲେ। ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଚାଟାର୍ଡ ଆକାଉଣ୍ଟାଣ୍ଟସ୍‌ ଅଫ୍‌ ଇଣ୍ଡିଆର ଅଧ୍ୟକ୍ଷ ନବୀନ ଏନ୍‌ ଡି ଗୁପ୍ତା, ପ୍ରଫେସନାଲ ଡେଭଲପ୍‌ମେଣ୍ଟ କାଉନସିଲ୍‌ର ଅଧ୍ୟକ୍ଷ ରଞ୍ଜିତ କୁମାର ଅଗ୍ରଓ୍ଵାଲ, ପୂର୍ବ ଭାରତ ଆଞ୍ଚଳିକ ପରିଷଦର ଅଧ୍ୟକ୍ଷ ସୋନୁ ଜୈନ, ସମ୍ମିଳନୀ ଆୟୋଜନ କମିଟିର ଅଧ୍ୟକ୍ଷ ଚରଞ୍ଜୀବୀ ଜେନା, ଭୁବନେଶ୍ୱର ଶାଖା ସମ୍ପାଦକ ସିଦ୍ଧାର୍ଥ ରଞ୍ଜନ ପ୍ରମୁଖ ଉଦ୍‌ଘାଟନୀ ସମାରୋହରେ ବକ୍ତବ୍ୟ ରଖିଥିଲେ। ଏହାପରେ ବିଭିନ୍ନ ପର୍ଯ୍ୟାୟରେ ଅଧିବେଶନ ଅନୁଷ୍ଠିତ ହୋଇଥିଲା।

ସମ୍ବନ୍ଧିତ ଖବର