ଉତ୍ତର ପୁରୁଷ ନାଟ୍ୟ ପରିକ୍ରମାରେ ‘ପଞ୍ଚାନନ ଉପାଖ୍ୟାନ’

ପୁରୁଣା ଭୁବନେଶ୍ୱର : ସବୁ ସମୟରେ ଟଙ୍କାର ଆବଶ୍ୟକତା ରହିଛି। ମାତ୍ର ଏହି ଟଙ୍କା ବେଳେବେଳେ ମଣିଷର ସ୍ୱଭବାକୁ ବଦଳାଇ ଦେଇଥାଏ। ମଣିଷ ପାଖରେ ଟଙ୍କା ଅଧିକ ଥାଉ ବା ଆଦୌ ନଥାଉ, ତାହା ମଣିଷର ମଣିଷପଣିଆକୁ ପରିବର୍ତନ କରିଦେଇଥାଏ। ସେହିପରି ଟଙ୍କା ନଥିଲେ ମଣିଷର ବନ୍ଧୁ ପଣିଆ ଏପରିକି ଜାତି ଓ ଚରିତ୍ର ମଧ୍ୟ ବଦଳି ଯାଇଥାଏ। ଠିକ୍‌ ଯେମିତି ଘଟିଥିଲା ପଞ୍ଚୁ ଜୀବନରେ।

ଲଟେରି ମିଳିବା କଥା ଶୁଣି ଆଶ୍ରା ଦେଇଥିବା ପରିବାର ବଦଳି ଯାଇଛି। ପଞ୍ଚକୁ ହତାଦର କରୁଥିବା ପରିବାରର ଲୋକମାନେ ଭଲ ପାଇବାର ମିଛ ପ୍ରଲୋଭନ ଦେଖାଇଛନ୍ତି। ତେବେ କ’ଣ କରିବ ପଞ୍ଚୁ, ଟଙ୍କା କ’ଣ ତାକୁ ବଦଳାଇ ଦେବ। ଟଙ୍କା ଓ ତା ପ୍ରେମ ଚମ୍ପି ମଧ୍ୟରୁ ପଞ୍ଚୁ କାହାକୁ ବାଛିବ। ଏମିତି ଏକ କାହାଣୀକୁ ନେଇ ପ୍ରସ୍ତୁତ ହୋଇଛି ନାଟକ ‘ପଞ୍ଚାନନ ଉପାଖ୍ୟାନ’। ଉତ୍ତର ପୁରୁଷ ନାଟ୍ୟସଂସ୍ଥା ପକ୍ଷରୁ ଆୟୋଜିତ ନାଟକ ପରିକ୍ରମାର ତୃତୀୟ ସନ୍ଧ୍ୟାରେ ଏହା ପରିବେଷିତ ହୋଇଥିଲା। ଏହି ନାଟକର ମୂଳ ରଚନା ଅମିତ ମୈତ୍ର ଓ ଶମ୍ଭୁ ମିତ୍ର କରିଥିବା ବେଳେ ଓଡ଼ିଆ ଅନୁବାଦ କରିଥିଲେ ଅନ୍ନଦାଶଙ୍କର ରାୟ। ସଂଗୀତ ନିର୍ଦ୍ଦେଶନା ଦେଇଥିଲେ ପ୍ରତାପ ରାଉତ ଓ ନାଟକର ନିର୍ଦ୍ଦେଶନା ଦେଇଥିଲେ ପ୍ରସନ୍ନ କୁମାର ମିଶ୍ର। ହରି ପଟ୍ଟନାୟକ, ମାନୁ ପଟ୍ଟନାୟକ, ଦେବଦତ୍ତ ପତି, ଚକ୍ରଧର ପାତ୍ର, ଜଗା, ଅମିତ, ସୁବାସ, ପ୍ରଣତି, ମାମା ଓ ବର୍ଷା ପ୍ରମୁଖ ଅଭିନୟ କରିଥିଲେ। ଆଜିର କାର୍ଯ୍ୟକ୍ରମରେ ଅତିଥି ଭାବେ ସାହିତ୍ୟିକ ବନୋଜ ତ୍ରିପାଠୀ, ସୁବୋଧ ପଟ୍ଟନାୟକ, ଗୌରୀଶ୍ୟାମ ମହାପାତ୍ର, ଉତ୍ତର ପୁରୁଷର ମୁଖ୍ୟ ଅଭିନ୍ନ ରାଉତରାୟ ଓ ଚିତ୍ତରଞ୍ଚନ ସ୍ୱାଇଁ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର