ନାଟକ ଚୟନକୁ ନେଇ ବିବାଦ

ଚର୍ଚାରେ ସଙ୍ଗୀତ ନାଟକ ଏକାଡେମି

ଭୁବନେଶ୍ୱର: ରାଜ୍ୟସ୍ତରୀୟ ନାଟକ ଉତ୍ସବରେ ‘ନାଟକ’ ଚୟନକୁ ନେଇ ପୁଣି ଚର୍ଚାରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମି। ପୂର୍ବରୁ ‘ନାଟ୍ୟଧାରା’ ଲାଗି ନାଟକ ଚୟନକୁ ନେଇ ବିବାଦ ଦେଖା ଦେଇଥିବା ବେଳେ ଏବେ ପୁଣିଥରେ ବିବାଦ ମୁଣ୍ଡ ଟେକିଛି। ଚଳିତ ମାସରେ ବାରିପଦାରେ ହେବାକୁ ଥିବା ରାଜ୍ୟସ୍ତରୀୟ ନାଟକ ଉତ୍ସବରେ ଚୟନ ହୋଇଥିବା ୫ଟି ନାଟକକୁ ନେଇ ଓଡ଼ିଶା ନାଟ୍ୟ ସଂଘର କାର୍ଯ୍ୟକାରୀ କମିଟି ସଭ୍ୟ ତଥା ବିଶିଷ୍ଟ ନାଟ୍ୟ ନିର୍ଦେଶକ ହରେନ୍‌ ସାହୁ ପ୍ରଶ୍ନ ଉଠାଇଛନ୍ତି। ଚୟନରେ ସ୍ୱଚ୍ଛତା ରଖାଯାଇ ନ ଥିବା ସେ ଅଭିଯୋଗ କରିଛନ୍ତି।

ନାଟକ ଚୟନ ଲାଗି ସଙ୍ଗୀତ ନାଟକ ଏକାଡେମି ପକ୍ଷରୁ ଏକ କମିଟି ରହିଛି। ଉକ୍ତ କମିଟିର କାର୍ଯ୍ୟକାଳ ୩ ବର୍ଷ। ସେହି ଦୃଷ୍ଟିରୁ ପୂର୍ବରୁ ଗଠିତ ହୋଇଥିବା କମିଟିର କାର୍ଯ୍ୟକାଳ ପୂରି ଯାଇଛି। ନୂଆ କମିଟି ଗଠନ ଲାଗି ପ୍ରକ୍ରିୟା ଚାଲିଥିବା ବେଳେ ଗତ ମାର୍ଚ୍ଚ ୧୨ ତାରିଖରେ ଏକ ବୈଠକ ଡକାଯାଇ ତରବରିଆ ଭାବେ ନାଟକ ଚୟନ ହୋଇଛି। ଏଥିରେ ବିଶ୍ୱ ନାଟ୍ୟ ଦିବସ ଓ ୫ ଦିନ ଧରି ରାଜ୍ୟସ୍ତରୀୟ ନାଟକ ଉତ୍ସବ ଲାଗି ନାଟକ ଚୟନ ହୋଇଛି। ବାରିପଦାରେ ହେବାକୁ ଥିବା ରାଜ୍ୟସ୍ତରୀୟ ନାଟକ ଉତ୍ସବ ଲାଗି ୫ଟି ନାଟକ ଚୟନ ହୋଇଛି। ସେଥିରେ ଭୁବନେଶ୍ୱରର ୪ଟି ନାଟ୍ୟ ଦଳ ହୋଇଥିବା ବେଳେ ମାତ୍ର ଗୋଟିଏ ଦଳ ବାରିପଦାର ରହିଛି। ସାରା ଓଡ଼ିଶାର ନାଟ୍ୟ ଦଳକୁ ସାମିଲ କରିବା ପରିବର୍ତେ କେଉଁ ଆଧାରରେ କେବଳ ଭୁବନେଶ୍ୱରର ୪ଟି ନାଟ୍ୟ ଦଳ ସାମିଲ ହୋଇଛନ୍ତି, ତାହାକୁ ନେଇ କେତେକ ନାଟ୍ୟ ସଂସ୍ଥା ପ୍ରଶ୍ନ ଉଠାଇଛନ୍ତି। ସ୍ଥାନୀୟ ନାଟ୍ୟ ଦଳକୁ ମାତ୍ର ୪୦ ହଜାର ଟଙ୍କା ଦିଆଯାଉଥିବା ବେଳେ ଭୁବନେଶ୍ୱରର ନାଟ୍ୟ ଦଳଗୁଡ଼ିକୁ ୫୦ହଜାର ଟଙ୍କା ଦେବାକୁ ନିଷ୍ପତ୍ତି ହୋଇଛି। ଓଡ଼ିଶା ସଙ୍ଗୀତ ନାଟକ ଏକାଡେମିର ସଚିବ ବିଜୟ ଜେନା ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ଅଧ୍ୟାପକ ଥିବାରୁ ସେଠାକାର ନାଟ୍ୟ ବିଭାଗର ଛାତ୍ରଛାତ୍ରୀଙ୍କୁ ବି ଉତ୍ସବରେ ଭାଗ ନେବାକୁ ସୁଯୋଗ ଦେଇଥିବା ଶ୍ରୀ ସାହୁ ଅଭିଯାଗ ଆଣିଛନ୍ତି।

ଏପ୍ରିଲ ୪ରେ ନାଟକ ଚୟନ ଲାଗି ନୂତନ କମିଟି ଗଠିତ ହୋଇଛି। ଏଥିରେ ଭୁବନେଶ୍ୱରରୁ ଦୁଇ ଜଣ ସଦସ୍ୟ ରହିଥିବା ବେଳେ ବାଲେଶ୍ୱର, ଢେଙ୍କାନାଳ, ଓ ରାଉରକେଲାରୁ ଜଣେ ଲେଖାଏଁ ସଦସ୍ୟ ରହିଛନ୍ତି। ତେଣୁ ଚଳିତ ବର୍ଷ ହେବାକୁ ଥିବା ନାଟକ ଉତ୍ସବ ଲାଗି ନୂତନ କମିଟି ଦ୍ୱାରା ନାଟକ ଚୟନ କରାଯାଉ। ପୁରୁଣା କମିଟି ଯେଉଁ ନାଟକ ଚୟନ କରିଛି ସେଥିରେ ପଶ୍ଚିମ କିମ୍ବା ଦକ୍ଷିଣ ଓଡ଼ିଶାର ନାଟ୍ୟ ସଂସ୍ଥାକୁ ସାମିଲ କରାଯାଇ ନାହିଁ। ଚୟନରେ ପକ୍ଷପାତିତା ହୋଇଛି। ସଂସ୍କୃତି ବିଭାଗ ମନ୍ତ୍ରୀ, ସଚିବ, ନିର୍ଦେଶକ ଘଟଣାରେ ହସ୍ତକ୍ଷେପ କରିବାକୁ ଶ୍ରୀ ସାହୁ ଦାବି କରିଛନ୍ତି।

ଓଡ଼ିଶା ସଙ୍ଗୀତ ନାଟକ ଏକାଡେମି ସଚିବ ଶ୍ରୀ ଜେନା ଅଭିଯୋଗକୁ ଖଣ୍ଡନ କରି କହିଛନ୍ତି ଯେ ମାର୍ଚ୍ଚ ୧୨ ତାରିଖରେ ନାଟକ ଚୟନ ଲାଗି ବସିଥିବା ବୈଠକକୁ ଶ୍ରୀ ସାହୁଙ୍କୁ ଡକାଯାଇଥିଲେ ମଧ୍ୟ ସେ ଯୋଗ ଦେଇ ନ ଥିଲେ। ଏବେ ପ୍ରଶ୍ନ ଉଠାଇଥିବାରୁ ଦୁଃଖ ଲାଗୁଛି। ନାଟକ ଚୟନରେ କିଛି ବି ପକ୍ଷପାତିତା କରାଯାଇ ନାହିଁ। ୩ ବର୍ଷ ଧରି ଯେଉଁମାନେ ନାଟକ ପାଇନଥିଲେ ସେମାନଙ୍କୁ ସୁଯୋଗ ଦିଆଯାଇଛି। ନାଟ୍ୟସଂଘର ସଭାପତି, ସମ୍ପାଦକ ମାର୍ଚ୍ଚ ୧୨ରେ ବସିଥିବା ବୈଠକରେ ଉପସ୍ଥିତ ଥିଲେ। ଗତବର୍ଷର କିଛି କାମ ବାକି ରହି ଯାଇଥିବାରୁ ପୁରୁଣା କମିଟି ବୈଠକରେ ରାଜ୍ୟସ୍ତରୀୟ ନାଟକ ଉତ୍ସବ ଲାଗି ନାଟକ ଚୟନ ହୋଇଛି। ସ୍ୱଚ୍ଛତା ରଖାଯାଇଛି। ନୂଆ କମିଟି ଗଠନ ଏବେ ହୋଇଛି। ଚଳିତବର୍ଷ ହେବାକୁ ଥିବା କାର୍ଯ୍ୟକ୍ରମ ଲାଗି ସେମାନେ ନାଟକ ଚୟନ କରିବେ। ସବୁ ଅଞ୍ଚଳକୁ ଗୁରୁତ୍ୱ ଦିଆଯାଉଛି। ପଶ୍ଚିମ ଓଡ଼ିଶାର ନାଟ୍ୟ ସଂସ୍ଥାକୁ ବି ଗୁରୁତ୍ୱ ଦିଆଯାଉଛି।

ସମ୍ବନ୍ଧିତ ଖବର