ଶ୍ରୀଶ୍ରୀ ବଡ଼ଦା ହସ୍ପିଟାଲ୍‌ ବେଆଇନ ଭାବେ ଚାଲୁଥିବା ଅଭିଯୋଗ

ବିତାଡ଼ିତ କର୍ମଚାରୀ ଆଣୁଛନ୍ତି ମିଥ୍ୟା ଅଭିଯୋଗ: ହସ୍ପିଟାଲ କର୍ତୃପକ୍ଷ

ଭୁବନେଶ୍ବର: ଶିଶୁପାଳଗଡ଼ ନିକଟରେ ଥିବା ଶ୍ରୀ ଶ୍ରୀ ବଡ଼ଦା ହସ୍ପିଟାଲ ବିରୋଧରେ ଅଭିଯୋଗ ଆସିଛି। ସୂଚନା ଅଧିକାର ଆଇନ ବଳରେ କିଛି ସ୍ଥାନୀୟ ବାସିନ୍ଦା ହସ୍ପିଟାଲର ବେଆଇନ କାର୍ଯ୍ୟକଳାପକୁ ପଦାକୁ ଆଣିଛନ୍ତି। ହସ୍ପିଟାଲର ଏହି ବେଆଇନ କାର୍ଯ୍ୟ ବିରୋଧ‌ରେ ରାଜ୍ୟପାଳଙ୍କ ସମେତ ସାଧାରଣ ପ୍ରଶାସନ ଓ ଗୃହ ବିଭାଗକୁ ମଧ୍ୟ ଚିଠି ଲେଖି କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ସ୍ଥାନୀୟ ବାସିନ୍ଦାଙ୍କ ଅଭିଯୋଗ ଅନୁସାରେ, ଶ୍ରୀ ଶ୍ରୀ ବଡ଼ଦା ହସ୍ପିଟାଲ ଏଣ୍ଡ କମ୍ୟୁନିଟି ହେଲ୍‌ଥ ସେଣ୍ଟର ଶ୍ରୀ ପରମପ୍ରେମମୟ ପୁରୁଷୋତ୍ତମ ଟ୍ରଷ୍ଟ ଅଧୀନରେ ପରିଚାଳିତ। ଏହା ଏକ ଲାଭକାରୀ ସଂସ୍ଥା ନୁହେଁ। ଗରିବ ଲୋକଙ୍କୁ ସେବା ଯୋଗାଇବା ଉଦ୍ଦେଶ୍ୟରେ ଏହାକୁ ପ୍ରତିଷ୍ଠା କରାଯାଇଥିବା ବେଳେ ହସ୍ପିଟାଲ ଏହାର ବିପରୀତ କାର୍ଯ୍ୟ କରୁଛି। ଉଭୟ ବହିର୍ବିଭାଗ ଓ ଅନ୍ତର୍ବିଭାଗ ପାଇଁ ଲୋକଙ୍କଠାରୁ ଟଙ୍କା ଆଦାୟ କରାଯାଉଛି। ଯେଉଁ ପ୍ଲଟ୍ ଉପରେ ହସ୍ପିଟାଲର ବିଲ୍ଡିଂ ନିର୍ମାଣ କରାଯାଇଛି, ଏଥିପାଇଁ ବିଡିଏରୁ କୌଣସି ଅନୁମତି ନିଆଯାଇନାହିଁ। ୨୦୧୭ ମସିହା ଡିସେମ୍ବର ମାସରେ କିଛି ଜାଗାକୁ ସର୍ବସାଧାରଣ ରାସ୍ତା ପାଇଁ ଟ୍ରଷ୍ଟ ଦାନ କରିଥିଲା। ମାତ୍ର ଏହି ଜାଗା ହସ୍ପିଟାଲର ଗାଡ଼ି ପାର୍କିଂ ଭାବେ ବ୍ୟବହାର କରାଯାଉଛି। କେବଳ ସେତିକି ନୁହେଁ, ପାଖ ସରକାରୀ ଜାଗାକୁ ମଧ୍ୟ ମାଡ଼ି ବସି ଦଖଲରେ ରଖିଛନ୍ତି। ଏହି ଜବରଦଖଲ ଯୋଗୁଁ ସ୍ଥାନୀୟ ଲୋକଙ୍କୁ ଯିବା ଆସିବାରେ ବହୁ ସମସ୍ୟା ସୃଷ୍ଟି କରୁଥିବା ‌ସ୍ଥାନୀୟ ବାସିନ୍ଦା ଅଭିଯୋଗ ଆଣିଛନ୍ତି। ହସ୍ପିଟାଲ ପାଇଁ କର୍ତୃପକ୍ଷ ସ୍ବାସ୍ଥ୍ୟ ବିଭାଗରୁ ଆବଶ୍ୟକ ଅନୁମତି ନେଇନାହାନ୍ତି କି ପ୍ରଦୂଷଣ ବୋର୍ଡ ମଧ୍ୟ ଅନୁମତି ଦେଇନାହିଁ। ହସ୍ପିଟାଲରେ କଠିନ ବର୍ଜ୍ୟବସ୍ତୁ ପରିଚାଳନା ସୁବିଧା ନ ଥିବାରୁ ବାହାରୁଥିବା କଠିନ ବର୍ଜ୍ୟବସ୍ତୁ ସିଧାସଳଖ କେନାଲ ମଧ୍ୟକୁ ଛଡ଼ା ଯାଉଛି। ସେହିପରି ହସ୍ପିଟାଲରେ ଅଗ୍ନି ନିର୍ବାପକ ବ୍ୟବସ୍ଥା ପାଇଁ ସ୍ବାସ୍ଥ୍ୟ ବିଭାଗ ଜୋର୍‌ ଦେଉଥିବା ବେଳେ ଶ୍ରୀ ଶ୍ରୀ ବଡ଼ଦା ହସ୍ପିଟାଲ ଏହାର ଉଲ୍ଲଂଘନ କରି ଚାଲିଛି। କେବଳ ତଳ ମହଲା ପାଇଁ ହସ୍ପିଟାଲ ଅସ୍ଥାୟୀ ଭାବେ ଅଗ୍ନି ନିର୍ବାପକ ଲାଇସେନ୍‌ସ ହାସଲ କରିଥିବା ବେଳେ ୩ ମହଲା ବିଲ୍ଡିଂରେ ହସ୍ପିଟାଲ ଚାଲିଛି। ଏହା ସତ୍ତ୍ବେ ହସ୍ପିଟାଲ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନ ଥିବା ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି। ଶ୍ରୀ ଶ୍ରୀ ବଡ଼ଦା ହସ୍ପିଟାଲର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଏଭଳି ଅଭିଯୋଗରେ କୌଣସି ସତ୍ୟତା ନାହିଁ। ନିକଟରେ ହସ୍ପିଟାଲରୁ କିଛି କର୍ମଚାରୀଙ୍କୁ ବାହାର କରାଯାଇଥିବା ବେଳେ ସେମାନେ ଚାରିଆଡ଼େ ଏଭଳି ମିଥ୍ୟା ଅଭିଯୋଗ ଆଣୁଛନ୍ତି ବୋଲି ଅଧିକାରୀଜଣକ ସ୍ପଷ୍ଟ କରିଛନ୍ତି।

ସମ୍ବନ୍ଧିତ ଖବର